ବାଇକ୍‌କୁ ଧକ୍କା ଦେଲା ଟ୍ରକ୍, ଯବାନଙ୍କ ମୃତ୍ୟୁ


କୋମନା (ବିରବଲ ପ୍ରଧାନ) ନୂଆପଡ଼ା ଜିଲ୍ଳା କୋମନା ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ନିକଟ ଜାତୀୟ ରାଜପଥ ଉପରେ ରବିବାର ଏକ ସଡକ ଦୁର୍ଘଟଣାରେ ଜଣେ ଯବାନଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବୋଡେନ ଥାନା ରୋକାଲ ପଞ୍ଚାୟତ କ୍ଷିରମାଳ ଗାଁର ଚୈତନ୍ୟ ଶବର (୪୦)। ପ୍ରାପ୍ତ ସୂଚନା ମୁତାବକ ଚୈତନ୍ୟ କୋମନା ଥାନା ସୁନାବେଡା ଅଭୟାରଣ୍ୟ ଦାଥୁନାମା ସିଆର୍‌ପିଏଫ୍ କ୍ୟାମ୍ପରେ ଯବାନ ଭାବେ ନିୟୋଜିତ ଥିଲେ। କୌଣସି କାମରେ ସେ ଗାଁକୁ ଯାଇ ଏକ ବାଇକ୍‌ରେ ଫେରୁଥିବା ସମୟରେ କୋମନା ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ନିକଟ ୩୫୩ନଂ.ଜାତୀୟ ରାଜପଥ ଉପରେ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ୍‌ ତାଙ୍କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ସେ ରାସ୍ତାରେ ଛିଟିକି ପଡି ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି କୋମନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ସଂକଟାପନ୍ନ ହେବାରୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ନୂଆପଡ଼ା ଆରକ୍ଷୀ ଅଧୀକ୍ଷକ ଗୁଣ୍ଡାଳା ରେଡ୍ଡୀ ରାଘବେନ୍ଦ୍ର, ସଦର ଥାନା ଅଧିକାରୀ ଦିଲୀପ ସାହୁ ପ୍ରମୁଖ ମୁଖ୍ୟ ଚିକିତ୍ସାଳୟରେ ପହଞ୍ଝଥିଲେ। ରାତ୍ରି ହୋଇଯାଇଥିବାରୁ ମୃତଦେହ ବ୍ୟବଚ୍ଛେଦ ହୋଇପାରି ନାହିଁ ସୋମ‌ବାର ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସଠାରୁ ସୂଚନା ମିଳିଛି।

Post a Comment

Previous Post Next Post