ବାଲେଶ୍ବର, ୧୫/୪(ଲକ୍ଷ୍ମୀଧର ବାରିକ): ଇଚ୍ଛାଶକ୍ତି ଥିଲେ ଅସମ୍ଭବ କାର୍ଯ୍ୟ ମଧ୍ୟ ସମ୍ଭବ ହୋଇଥାଏ। ବୟସର ଅପରାହ୍ଣରେ ରକ୍ତଦାନ ଭଳି ମହତ କାମ କରିବା ସହିତ ନିଜ ବନ୍ଧୁ, ପରିବାର ଲୋକ ଓ ସହଯୋଗୀମାନଙ୍କୁ ନେଇ ସେଥିରେ ସାମିଲ କରାଇ ଉଦାହରଣ ସାଜିଛନ୍ତି ସମାଜସେବୀ କମଲ କୁମାର ଚକ୍ରବର୍ତ୍ତୀ। ଶ୍ରୀ ଚକ୍ରବର୍ତ୍ତୀ ନିଜେ ଜଣେ ସଚେତନ ରକ୍ତଦାତା ହିସାବରେ ଶହେରୁ ଅଧିକଥର ରକ୍ତଦାନ କରିଛନ୍ତି। ବାଲେଶ୍ବର ଜିଲ୍ଲା ରକ୍ତଦାତା ସଂଘର ପ୍ରତିଷ୍ଠାତା ସଦସ୍ୟ ରହିଆସିଥିବା ବେଳେ ଏବେ ସେ ସଭାପତି ଦାୟିତ୍ବ ତୁଲାଉଛନ୍ତି। ଆଜି ତାଙ୍କର ୬୫ତମ ଜନ୍ମଦିବସ ହୋଇଥିବା ବେଳେ ଗ୍ରୀଷ୍ମପ୍ରବାହ ଯୋଗୁ ଜିଲ୍ଲା ରକ୍ତଭଣ୍ଡାରରେ ରକ୍ତର ଅଭାବକୁ ପୂରଣ କରିବା ପାଇଁ ସେ ସେଠାରେ ଏକ ରକ୍ତଦାନ ଶିବିର ଆୟୋଜନ କରି ନିଜ ଜନ୍ମଦିନ ପାଳିବାକୁ ଇଚ୍ଛାପ୍ରକାଶ କରିଥିଲେ।
ଆଜି ସକାଳେ ଆୟୋଜିତ ଏହି ରକ୍ତଦାନ ଶିବିର ‘ସମ୍ବାଦ-ଆମ ଓଡ଼ିଶା’ ଏବଂ ‘ଓଡ଼ିଶା ରକ୍ତ କେନ୍ଦ୍ର ବାଲେଶ୍ୱର’ ମିଳିତ ସହଯୋଗରେ ଜିଲ୍ଲା ରକ୍ତ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଥିଲା। ରକ୍ତ କେନ୍ଦ୍ରର ଅଧିକାରୀ ଡାକ୍ତର ବସନ୍ତ କୁମାର ଉପାଧ୍ୟାୟ, ବରିଷ୍ଠ ସାମ୍ବାଦିକ ବିପ୍ଳବ କୁମାର ମହାନ୍ତି, ରକ୍ତଦାତା ସଂଘର ସଭାପତି ନିଜେ ଶ୍ରୀ ଚକ୍ରବର୍ତ୍ତୀ ମିଳିତ ଭାବେ ଶିବିରକୁ ଉଦ୍ଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ସମାଜସେବୀ ତଥା ଆଇନଜୀବୀ ସାହିରୁଲ ହକ୍ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହ ଶ୍ରୀ ଚକ୍ରବର୍ତ୍ତୀ ବୟସର ଅପରାହ୍ଣରେ ନିଜ ଜନ୍ମଦିବସକୁ ଏଭଳି ନିଆରା ତଥା ମହତ ଉଦ୍ଦେଶ୍ୟରେ ପାଳିଥିବାରୁ ତାଙ୍କର ସୁସ୍ଥ ଓ ଦୀର୍ଘାୟୁ କାମନା କରିଥିଲେ। ବାଲେଶ୍ୱର ଜିଲ୍ଲାର କୋଣ ଅନୁକୋଣରେ ବର୍ଷ ତମାମ ବିଭିନ୍ନ ରକ୍ତଦାନ ଶିବିର ଆୟୋଜିତ କରି ଶ୍ରୀ ଚକ୍ରବର୍ତ୍ତୀ ଜିଲ୍ଲାବାସୀଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିବା ରକ୍ତକେନ୍ଦ୍ର ଅଧିକାରୀ ଡା ଉପାଧ୍ୟାୟ କହିଥିଲେ। ତେବେ ଜୀବନର ଶେଷ ପର୍ଯ୍ୟନ୍ତ ଏହି ମହାନ କାର୍ଯ୍ୟରେ ନିଜକୁ ସମର୍ପିତ କରିବା ପାଇଁ ଚେଷ୍ଟା କରିବି ବୋଲି ଶ୍ରୀ ଚକ୍ରବର୍ତ୍ତୀ କହିଛନ୍ତି। ଏହି ଶିବିରରେ ୨୦ ଜଣ ସ୍ବେଚ୍ଛା ରକ୍ତଦାତା ସାମିଲ ହୋଇ ରକ୍ତଦାନ କରିଥିଲେ। ଶିବିରର ଅନ୍ତିମ ପର୍ଯ୍ୟାୟରେ କେକ୍ କଟାଯାଇଥିଲା। ଶେଷରେ ଆମ ଓଡ଼ିଶାର ସହଯୋଗୀ ଲକ୍ଷ୍ମୀଧର ବାରିକ ସମସ୍ତ ରକ୍ତଦାତାଙ୍କୁ ଧନ୍ୟବାଦ୍ ଦେଇଥିଲେ।
Post a Comment