ନୁଆପଡ଼ା (ପରମେଶ୍ବର ମେହେର) ନୂଆପଡ଼ା ଜିଲ୍ଲା ମଙ୍ଗଳ ଅଧିକାରୀ କାର୍ଯ୍ୟାଳୟ ତରଫରୁ କୁକ୍ କମ୍ ଆଟେଣ୍ଡେଣ୍ଟ(ସିସିଏ) ମାଧବ ଶବରଙ୍କୁ ବିନା କାରଣରେ ଚାକିରୀରୁ ବାହାର କରିଥିବା ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦରେ ଯୁବକ ଜଣକ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇବାକୁ ଉଦ୍ୟମ କରିଥିଲେ । ତେବେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି। ଗତ ୨୦୧୬ରୁ ବୋଡ଼େନ ଥାନା ରୋକାଲ ଗାଁର ମାଧବ ଶବର ଏକ ଘରୋଇ ସ୍କୁଲରେ ପିଅନ ଭାବେ କାମ କରୁଥିଲେ। ଗତ ୨୦୨୦ରେ ସିଲଦାସ୍ଥିତ ଅନ୍ଵେଷା ହଷ୍ଟେଲରେ କୁକ୍ କମ୍ ଆଟେଣ୍ଡେଣ୍ଟ ଭାବେ ନିଯୁକ୍ତ ହୋଇଥିଲେ । ୨୦୨୩ ଅଗଷ୍ଟ ୨୦ରେ ତାଙ୍କୁ ଖଡ଼ିଆଳ ଅନ୍ଵେଷା ହଷ୍ଟେଲକୁ ବଦଳି ହୋଇଥିଲା। ସେଠାରେ ମାଧବ ସୁରୁଖୁରୁରେ ନିଜ କାମ କରୁଥିଲେ। ଏହି ଚାକିରୀରେ ରୋଜଗାର କରି ପରିବାର ପ୍ରତିପୋଷଣ କରୁଥିଲେ। ଗତ କିଛିମାସ ତଳେ ହଷ୍ଟେଲ ଅଧିକ୍ଷକ ତାଙ୍କୁ ଅଯଥାରେ ହଇରାଣ ହରକତ କରୁଥିଲେ। ଏହାକୁ ମାଧବ ପ୍ରତିବାଦ କରିବାରୁ ତାଙ୍କୁ ଚାକିରୀରୁ ବହିଷ୍କାର କରିଥିଲେ । ସେହିପରି ଅଯଥାରେ ଅନ୍ଵେଷା ହଷ୍ଟେଲରୁ
ମାଧବଙ୍କୁ ଚୋରି କରିଥିବା ନେଇ ହଷ୍ଟେଲ କର୍ତ୍ତୃପକ୍ଷ ମିଛ ଅଭିଯୋଗ ଆଣିଥିଲେ। ଏହି ମିଛ ଅଭିଯୋଗ ଉପରେ ମାଧବ ବିଭାଗୀୟ ଅଧିକାରୀଙ୍କୁ ଅନେକ ଥର ଜଣାଇଥିଲେ ସୁଦ୍ଧା ସେମାନେ ନିରବ ରହିଥିଲେ। ପରେ ମାଧବ ଚାକିରୀ ହରାଇ ଅସହାୟ ହୋଇପଡ଼ିଥିଲେ। ମାଧବଙ୍କୁ ପୁଣିଥରେ ସିସିଏ ଚାକିରୀରେ ନିୟୋଜିତ କରିବାକୁ ଅନୁରୋଧ କରିଥିଲେ ବି ବିଭାଗୀୟ ଅଧିକାରୀ ଗୁରୁତ୍ବ ଦେଇନଥିଲେ। ଆଜି ମଧ୍ୟାହ୍ନରେ ମାଧବ ଜିଲ୍ଲା ମଙ୍ଗଳ ଅଧିକାରୀ ଦୀପ୍ତିମନ୍ତ ଭୋଇଙ୍କୁ ସାକ୍ଷାତ କରି ତାଙ୍କୁ ପୁନଃ ନିୟୋଜିତ କରିବାକୁ ଗୁହାରୀ କରିଥିଲେ। ହେଲେ ବିଭାଗୀୟ ଅଧୂକାରୀ ସନ୍ତୋଷଜନକ ଉତ୍ତର ନଦେବାରୁ ହତାଶ ଓ ନିରାଶ ହୋଇ ସେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିଲେ। ଏକ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ଆଣି ଅଫିସ ଭିତରେ ଦେହରେ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସେହି ସମୟରେ ଅଫିସ ଭିତରେ କର୍ମଚାରୀମାନେ ମାଧବଙ୍କୁ କାବୁ କରି ପୁଲିସକୁ ଖବର ଦେଇଥିଲେ । ନୂଆପଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ଥାନାକୁ ନେଇଥିଲେ । ସେଠାରେ ଅଧିକ ପଚରାଉଚୁରା କରି ପୁଲିସ ଛାଡ଼ି ଦେଇଥିବା ଜଣାପଡ଼ିଛି । ଏବେ ମାଧବଙ୍କୁ ସିସିଏ ପଦବୀରେ ପୁନଃ ନିଯୁକ୍ତି ଦେବାକୁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି। ଏନେଇ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଭୋଇଙ୍କୁ ପଚାରିବାରୁ, ଖଡ଼ିଆଳ ଅନ୍ଵେଷା ହଷ୍ଟେଲରେ ମାଧବ କାମ କରୁଥିଲେ । ସେଠି ସଠିକ ଭାବେ କାମ କରୁନଥିବା ରିପୋର୍ଟ ହୋଇଥିଲା। ଏହା ସର୍ଭିସ ପ୍ରୋଭାଇଡର ସଂସ୍ଥାକୁ ଜଣାଇଥିଲୁ । ଏହା ଉପରେ କୌଣସି ନିଷ୍ପଭି ନେବା ପୂର୍ବରୁ ଆଜି ହଠାତ୍ ଆସି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଏହା ଉପରେ ଜିଲ୍ଲାପାଳଙ୍କୁ ଜଣାଇ ଦେଇଛୁ ବୋଲି ସେ କହିଥିଲେ।
Post a Comment