ଜିଲ୍ଲା ଯାଦବ ମହାସଭାର ସାମ୍ବାଦିକ ସମ୍ମିଳନୀ ଆଗାମୀ ଦିନରେ ବିଭିନ୍ନ କାର୍ଯ୍ୟପନ୍ଥା ସଂପର୍କରେ ଆଲୋଚନା


ବାଲେଶ୍ବର,୧୩/୧୦(ଲକ୍ଷ୍ମୀଧର ବାରିକ): ଜିଲ୍ଲା ଯାଦବ(ଗୋପାଳ) ମହାସଭା ପକ୍ଷରୁ ସହରର ସ୍ଥାନୀୟ ହୋଟେଲରେ ପୂର୍ବତନ ବିିଚାରପତି ଭାଗିରଥୀ ବାରିକଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାର ଆଗାମୀ କାର୍ଯ୍ୟପନ୍ଥା ସଂପର୍କରେ ଆଲୋଚନା ହୋଇଥିଲା। ପ୍ରଥମେ ନନ୍ଦୋତ୍ସବ ଉପଲକ୍ଷେ କୃଷ୍ଣାୟନ କାର୍ଯ୍ୟକ୍ରମକୁ ସଫଳ କରିଥିବା ଜିଲ୍ଲାର ସମସ୍ତ ଯାଦବମାନଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା। ନିକଟ ଅତୀତରେ ଅହିର୍‌ ରେଜିମେଣ୍ଟର ଦାବି ନେଇ ସର୍ବଭାରତ ପରିକ୍ରମା କରୁଥିବା ଉତ୍ତରପ୍ରଦେଶର ଅଭିଷେକ ଯାଦବଙ୍କୁ ବାଲେଶ୍ବର ଠାରେ ସମ୍ବର୍ଦ୍ଧନା କରାଯାଇଥିବା ନେଇ ଉଲ୍ଲେଖ କରାଯାଇଥିଲା। ଜିଲ୍ଲା ଯାଦବ ମହାସଭା ପକ୍ଷରୁ ଓବିସି ଜନଗଣନା ତଥା ୨୭ ପ୍ରତିଶତ ସଂରକ୍ଷଣରେ ଯାଦବଙ୍କୁ ହିତାଧିକାରୀ ଅଧିକାର ପାଇଁ ଦାବି କରାଯାଇଥିବା ବେଳେ ଏହାକୁ ନେଇ ଆଗାମୀ ଦିନରେ ସଂଗଠନ ତାର ଆଭିମୁଖ୍ୟକୁ ଶାଣିତ କରିବ ବୋଲି ସୂଚନା ଦିଆଯାଇଥିଲା। ସେହିପରି ଜିଲ୍ଲାର ଏକମାତ୍ର ପଞ୍ଜିକୃତ ଯାଦବ ସଂଗଠନ ଆଗାମୀ ଦିନରେ ଯାଦବ ତଥା ଗୋପାଳ ଜାତିର ସାମ୍ବିଧାନିକ ଉନ୍ନତି ନିମନ୍ତେ ସଂଗଠନକୁ ଆହୁରି ସୁଦୃଢ଼ କରିବା ସହିତ ନୂତନ ପରିବର୍ଦ୍ଧିତ କମିଟି ଆଗାମୀ ଜିଲ୍ଲା ସମ୍ମିଳନୀରେ ଘୋଷଣା କରାଯିବା ନେଇ ସୂଚନା ଦିଆଯାଇଥିଲା। ଜିଲ୍ଲା ଯାଦବ ମହାସଭା ପରବର୍ତ୍ତୀ ରଣକୌଶଳ ସର୍ବଭାରତୀୟ ସ୍ତରୀୟ ସଂଗଠନ ‘ଅଖିଳ ଭାରତୀୟ ଯାଦବ ମହାସଭା’ ସହ ଅନୁବନ୍ଧିତ ହୋଇ ଆଗକୁ ବଢ଼ିବାର ସୂଚନା ଦିଆଯାଇଥିଲା। ଏଥିସହିତ ଉତ୍ତର ଓଡ଼ିଶାରେ ପ୍ରଥମ ଥର ପାଇଁ ଏକ ‘ଯାଦବ ଭବନ’ର ଶୁଭ ଉଦ୍‌ଘାଟନ ଅଳ୍ପ ଦିନ ମଧ୍ୟରେ ଲୋକାର୍ପଣ ହେବ ବୋଲି ସୂଚନା ଦିଆଯାଇଥିଲା। ଶେଷରେ ଜିଲ୍ଲା ଯାଦବ ମହାସଭାର ଯୁବ ସଂଗଠକ ରାଜେଶ ମହାକୁଡ଼ଙ୍କୁ ବିଜେପି ଯୁବ ମୋର୍ଚ୍ଚାର ରାଜ୍ୟ କୋଷାଧ୍ୟକ୍ଷ, କୈଳାସ ବାରିକଙ୍କୁ ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସଂଯୋଜକ ଓ ଜିଲ୍ଲାର ଏକମାତ୍ର ମହିଳା ବିଜେଡିର କଲ୍ୟାଣୀ ବାରିକ ୩୯ ନମ୍ବର ଜୋନ୍‌ର ଜିଲ୍ଲା ପରିଷଦ ସଦସ୍ୟ‌ା ଭାବେ ପଦବି ପାଇଥିବାରୁ ଜିଲ୍ଲା ଯାଦବ ମହାସଭା ତରଫରୁ ସଂଗଠନର ବରିଷ୍ଠ ନେତୃବୃନ୍ଦ ସମ୍ବର୍ଦ୍ଧିତ କରିଥିଲେ।

Post a Comment

Previous Post Next Post