ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ପାଇଁ ସୁପ୍ରିମକୋର୍ଟଙ୍କ ଆଦେଶକୁ ଓଡ଼ିଶାରେ ପାଳନ ନ ହେବା ହେତୁ ମହାମହିମ ରାଷ୍ଟ୍ରପତିଙ୍କୁ ଅନୁରୋଧ


ଧର୍ମଗଡ (ପ୍ରଦିପ ସେଠିଆ) ଓଡ଼ିଶାର ସାଧାରଣ ବିଦ୍ୟାଳୟ ରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କ ଶିକ୍ଷା ପାଇଁ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ନିମନ୍ତେ ମାନ୍ୟବର ସୁପ୍ରିମକୋର୍ଟ ୨୦୨୧ ମସିହା ଅକ୍ଟୋବର ୨୮ ମସିହାରେ ନିର୍ଦ୍ଦେଶ ଦେଇଥିଲେ।ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ୨୧.୦୭.୨୦୨୨ ତାରିଖ ଦିନ ପୁନଶ୍ଚ ରାୟ ର ଶୁଣାଣି କରି କହିଛନ୍ତି ଯେ,ପ୍ରାଥମିକ ବିଦ୍ୟାଳୟରେ ୧୦ ଜଣ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ଙ୍କ ପାଇଁ ୧ ଜଣ ସ୍ବତନ୍ତ୍ର ଶିକ୍ଷକ ଓ ଉଚ୍ଚ ପ୍ରାଥମିକ,ମାଧ୍ୟମିକ,ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ୧୫ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଙ୍କ ପାଇଁ ୧ ଜଣ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ପାଇଁ ସ୍ଥିର କରିଛନ୍ତି ଏବଂ ଯଦି ଗୋଟେ ବିଦ୍ୟାଳୟରେ ଗୋଟିଏ ବି ଭିନ୍ନକ୍ଷମ ପିଲା ଅଛି ସେଠି ଜଣେ ସ୍ୱତନ୍ତ୍ର ଶିକ୍ଷକ ଦବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିର୍ଦ୍ଦେଶକୁ ଦୀର୍ଘ ୨୦ ମାସ ବିତିଯାଇଥିଲେ ମଧ୍ୟ ଓଡ଼ିଶାରେ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ର‌‌ ବିଜ୍ଞାପନ‌ ବାହାରିନାହିଁ ଏବଂ ମାନ୍ୟବର ସୁପ୍ରିମକୋର୍ଟ ରେ ଅଦାଲତ ଅବମାନନା କେସ୍ ହୋଇଥିବା ସତ୍ତ୍ୱେ ତାହାକୁ କାର୍ଯକାରୀ କରାଯାଇନାହିଁ। ଏହି ପରିପ୍ରେକ୍ଷୀରେ ମହାମହିମ ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୁର୍ମୁ ମହୋଦୟା ଙ୍କୁ ଆମ ସଂଘ ର‌ ରାଜ୍ୟ ଯୁଗ୍ମ ସମ୍ପାଦକ ଆୟୁଷ୍ମାନ ଚୌଧୁରୀ ସାକ୍ଷାତ କରି ମାନ୍ୟବର ସୁପ୍ରିମକୋର୍ଟ ଙ୍କ ନିର୍ଦ୍ଦେଶ‌ କୁ ଓଡ଼ିଶାରେ କାର୍ଯ୍ୟକାରୀ‌ କରି ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ବାହାରିବା ପାଇଁ ଆଲୋଚ଼ନା କରିବା ସହ ଅନୁରୋଧ କରିଥିଲେ। ଓଡ଼ିଶାର ସାଧାରଣ ବିଦ୍ୟାଳୟ ରେ ୧ ଲକ୍ଷ ୪୬ ହଜାର ଦିବ୍ୟାଙ୍ଗ ବିଦ୍ୟାର୍ଥୀ ଶିକ୍ଷା ଗ୍ରହଣ କରୁଛନ୍ତି ଏବଂ ସେହି ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କୁ ଶିକ୍ଷା ଦାନ କରିବା ପାଇଁ ଭାରତୀୟ ପୁନର୍ବାସ ପରିଷଦ ରେ ଓଡ଼ିଶା ର‌ ୬୦୦୦ ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ଓ ଶିକ୍ଷୟିତ୍ରୀ ଗଣ ନାମ ପଞ୍ଜିକରଣ କରି ବେରୋଜଗାରି ହୋଇ ଅଛନ୍ତି। ଓଡ଼ିଶାରେ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ହେଲେ ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ଓ ଶିକ୍ଷୟିତ୍ରୀ ଗଣ ଉପକୃତ ହେବା ସହ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନେ ଉତ୍ତମ ଶିକ୍ଷା ପାଇ‌ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ ବୋଲି ସଂଘ ଆଶାବ୍ୟକ୍ତ କରିଛି।

Post a Comment

Previous Post Next Post