ବାଲେଶ୍ଵର,୨୨/୭(ଲକ୍ଷ୍ମୀଧର ବାରିକ) ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ସହ ସାମ୍ବାଦିକଙ୍କ ସାମାଜିକ ନିରାପତ୍ତା ନେଇ ଓଡ଼ିଶା ସାମ୍ବାଦିକ ୟୁନିଅନ ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀ ଙ୍କ ନିକଟରେ ଦୃଢ଼ ଦାବି ରଖିଛି। ସଭାପତି ପ୍ରସନ୍ନ କୁମାର ମହାନ୍ତି ଙ୍କ ନେତୃତ୍ୱରେ ୟୁନିଅନର ଏକ ୮ଜଣିଆ ପ୍ରତିନିଧି ଦଳ ନବୀନ ନିବାସ ରେ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟି ଏହି ସମ୍ପର୍କରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ବୋଲି ବାଲେଶ୍ବର ଜିଲ୍ଲା ଶାଖା ସଭାପତି ଗଙ୍ଗାଧର ରାଉତ ଜଣାଇଛନ୍ତି।
ସାମ୍ବାଦିକ ବୀମା ରାଶି ଦୁଇ ଲକ୍ଷ ଟଙ୍କାରୁ ପାଞ୍ଚ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିବାରୁ ୟୁନିଅନ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା। ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ସହ ଅବସରପ୍ରାପ୍ତ ସାମ୍ବାଦିକଙ୍କୁ ପେନସନ ପ୍ରଦାନ, ଅଧିସ୍ବୀକୃତି କମିଟିର ପୁନର୍ଗଠନ ସହ ୫ଦଫା ଦାବି ସମ୍ବଳିତ ସ୍ମାରକ ପତ୍ର ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରଦାନ କରାଯାଇଥିଲା। ଅନେକ ସାମ୍ବାଦିକ ଏହି ବୀମା ସୁବିଧାରୁ ବଂଚିତ ହେବାର ଆଶଙ୍କା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସହ ଏହାର ସରଳୀକରଣ କରିବା ପାଇଁ ଦାବି କରାଯାଇଥିଲା। ଏଥି ସହିତ ସ୍ୱୀକୃତି ପ୍ରାପ୍ତ ସାମ୍ବାଦିକଙ୍କ ଲୋକସେବା ଭବନ ପ୍ରବେଶ କଟକଣା ପ୍ରତ୍ୟାହାର ସହ ରାଜ୍ୟରେ ସାମ୍ବାଦିକଙ୍କୁ ପେନସନ ଯୋଜନା ପରିସର ଭୂକ୍ତ କରିବାକୁ ସଭାପତି ଶ୍ରୀ ମହାନ୍ତି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ରଖିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରତିନିଧି ଦଳ ଙ୍କ ସହ ବିଭିନ୍ନ ପ୍ରସଂଗ ରେ ଆଲୋଚନା କରିବା ସହ ଦାବି ଗୁଡ଼ିକ ନେଇ ପର୍ଯ୍ୟାଲୋଚନା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ସାଧାରଣ ସମ୍ପାଦକ ଅଶୋକ ନନ୍ଦ, ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଅକ୍ଷୟ କୁମାର ସାହୁ, ପ୍ରମୋଦ ସାମନ୍ତରାୟ, ବରିଷ୍ଟ ସଦସ୍ୟ କ୍ଷେତ୍ରବାସୀ ମହାକୁଡ଼, ସଂପାଦକ ପ୍ରସନ୍ନ ପାଇକରାୟ , ଚିନ୍ମୟ ମହାପାତ୍ର ପ୍ରତିନିଧି ଦଳରେ ସାମିଲ ହୋଇଥିଲେ। ବିଜେଡିର ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଓ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ପ୍ରମୁଖ ଆଲୋଚନା ବେଳେ ଉପସ୍ଥିତି ଥିଲେ।
Post a Comment