ବାହାନଗା ରେଳ ଦୁର୍ଘଟଣାରେ ଜଳେଶ୍ୱର ବ୍ଲକର ୨ଯୁବକ ଗୁରୁତର, ଜଣେ ମୃତ୍ୟୁ ଓ ଜଣେ ନିରୁଦ୍ଦିଷ୍ଟ


ଜଳେଶ୍ୱର ୦୩ ।୦୬ (ଜଗନ୍ନାଥ ଗୋଛାୟତ): ଜୁନ ୨ତାରିଖ ସଂନ୍ଧ୍ୟାରେ ବାଲେଶ୍ୱର ରେଳ ଷ୍ଟେସନଠାରୁ ୧୫କି.ମି. ଦୂରରେ ଥିବା ବାହାନଗା ରେଳଷ୍ଟେସନ ନିକଟରେ ହୋଇଥିବା ହୃଦୟ ବିଦାରକ ରେଳ ଦୁର୍ଘଟଣାରେ ଓଡିଶା, ପଶ୍ଚିମବଙ୍ଗ ଏବଂ ବିଭିନ୍ନ ରାଜ୍ୟରୁ ଯାତ୍ରା କରୁଥିବା ଯାତ୍ରୀ ମାନଙ୍କର ଅଭାବନୀୟ ମୃତ୍ୟୁ ହୋଇଥିବା ବେଳେ ଜଳେଶ୍ୱର ବ୍ଲକର ବିଭିନ୍ନ ଅଂଚଳର ଲୋକମାନେ ମଧ୍ୟ ଆହତ ଓ ମୃତ୍ୟୁ ବରଣ କରିଥିବାର ଧିରେ ଧିରେ ସୂଚନା ମିଳୁଛି । ଜଣାଯାଇଛି ଖୁଆଡ ଗ୍ରାମପଂଚାୟତର ୪ଜଣ ବ୍ୟକ୍ତି କାମ ଖୋଜିବା ପାଇଁ ହଉଡା ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସରେ ବିଶାଖାପାଟଣା ଯିବାପାଇଁ ବାଲେଶ୍ୱର ଷ୍ଟେସନରୁ ଟ୍ରେନ ଚଢିଥିଲେ । କିନ୍ତୁ ବିଧିର ବିଧାନ ଥିଲା କିଛି ଅଲଗା ଟ୍ରେନ ଦୁର୍ଘଟଣା ଫଳରେ ହରେନ୍ଦ୍ର ପାତ୍ର (୫୨)ନାମକ ବ୍ୟକ୍ତି ଘଟଣା ସ୍ଥଳରେ ପ୍ରାଣ ହରାଇଥିବା ବେଳେ ଦୀପକ ପାତ୍ର(୨୬) ଓ ବାପି ପାତ୍ର(୨୦) ବାଲେଶ୍ୱର ହସପିଟାଲରେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବାର ସୂଚନା ମିଳିଛି । କିନ୍ତୁ ଅନ୍ୟ ଜଣେ ରାହୀ ଟୁଡୁ ନାମକ ୩୬ ବର୍ଷର ଯୁବକଙ୍କର କୈାଣସୀ ଖବର ମିଳିନାହିଁ । ପରିବାର ଲୋକେ ଚିନ୍ତାରେ ରହିଛନ୍ତି । ମୃତ ଓ ଆହତ ବ୍ୟକ୍ତି ମାନଙ୍କ ପରିବାରକୁ ସରକାରଙ୍କ ଅନୁକମ୍ପା ରାଶି ଦେବା ସଙ୍ଗେସଙ୍ଗେ ନିରୁଦ୍ଦିଷ୍ଟ ଯୁବକକୁ ଖୋଜି ବାହାର କରିବା ପାଇଁ ପରିବାର ଲୋକେ ନିବେଦନ କରିଛନ୍ତି । ସେହିପରି ବାଲିଆପାଳ ବ୍ଲକର ମଧୁପୁରା ପଂଚାୟତର ମୁକ୍ତିକାନ୍ତ ରାଉଳ ଭୁବନେଶ୍ୱରରେ ରହି କୋଚିଂ ନେଉଥିଲେ ସେ ମଧ୍ୟ ଏହି ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି ।

Post a Comment

Previous Post Next Post