ନାଳରୁ ନବଜାତ ଶିଶୁପୁତ୍ର ଉଦ୍ଧାର


ନୂଆପଡା (ପରମେଶ୍ୱର ମେହେର)  ନୂଆପଡା ଜିଲ୍ଲା ଖଡ଼ିଆଳ ସହର ସପ୍ତାହିକ ବଜାର ପଡା ଠାରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଅଛି। ଖଡ଼ିଆଳ କୃଷି ଫାର୍ମ ନିକଟରେ ଥିବା ନାଳରୁ ଏକ ଶିଶୁପୁତ୍ର କୁ ଉଦ୍ଧାର କରାଯାଇଛି।ଖଡ଼ିଆଳ ଏଗାର ନଂ ୱାର୍ଡ(ବଜାର ପଡା)ର ଧରିତ୍ରୀ ଜାଲ ନିଜ ଝିଅ ସହ ଶୌଚ ପାଇଁ ଯାଇଥିବା ବେଳେ ଶିଶୁର କାନ୍ଦିବା ଶୁଣି ପାରିଥିଲେ।ଶିଶୁକୁ ଲାଲ କନା ଗୁଡ଼ାଇ ମୁଣ୍ଡକୁ ଛାଡି ମାଟି ତଳେ ପୋତି ଦେଇଥିବା ଦେଖିବାକୁ ପାଇଥିଲେ। ଶିଶୁକୁ ଉଦ୍ଧାର କରି ଧରିତ୍ରୀ ଘରକୁ ଆଣିଥିଲେ। ନବଜାତ ଶିଶୁ ପୁତ୍ର କୁ ଧରିତ୍ରୀଙ୍କ ଭଉଣୀ ସୁନାଫୁଲ ପୁଞ୍ଜି ସ୍ତନ୍ୟ ପାନ କରାଇଥିଲେ।ମାମଲା ଖଡ଼ିଆଳ ଥାନା ରେ ପହଞ୍ଚିବା ପରେ ଶିଶୁ ପୁତ୍ରକୁ ଚିକିତ୍ସା ପାଇଁ ଖଡ଼ିଆଳ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ର ଭର୍ତ୍ତି କରାଯାଇଥିଲା ଓ ବର୍ତ୍ତମାନ ସେ ସୁସ୍ଥ ଅଛି।ଜିଲ୍ଲା ଶିଶୁ ସୁରକ୍ଷା ସମିତି ଖବର ପାଇଲା ପରେ ଖଡ଼ିଆଳ ହସ୍ପିଟାଲ ପହଞ୍ଚି ତଦନ୍ତ କରିଛି।ଅନ୍ୟ ପକ୍ଷରେ ଧରିତ୍ରୀ ଓ ତାଙ୍କ ପରିବାର ଲୋକେ ଶିଶୁପୁତ୍ରକୁ ତାଙ୍କୁ ଦେଇଦେବା ଅଡ଼ି କରି ଡାକ୍ତରଖାନାରେ ପଡି ରହିଛନ୍ତି।ଏନେଇ ନୂଆପଡା ଜିଲ୍ଲା ଶିଶୁ ସୁରକ୍ଷା ସମିତିର ସଭାପତି ଡ଼ଃ ଫନିନ୍ଦମ ସିଂ ଦେଓଙ୍କୁ ପଚାରିବାରୁ ନିୟମ ଅନୁସାରେ ବର୍ତ୍ତମାନ ଶିଶୁ ସୁରକ୍ଷା ସମିତି ନିଜ ଦାୟିତ୍ୱ ରେ ରଖିବ ଓ ମାସକ ମଧ୍ୟରେ ପ୍ରମାଣ କରି ଛୁଆକୁ ନେବା ପାଇଁ ବାପା ମାଆ ଙ୍କୁ ସୁଯୋଗ ଦିଆଯିବ।ଯଦି କେହି ଦାବିଦାର ବାହାରିବେ ନାହିଁ ତାହେଲେ ତାଙ୍କୁ ଶିଶୁ ଏଡ଼ପସନ କେନ୍ଦ୍ରରେ ରଖାଯିବ ଓ ତାଙ୍କୁ ପୌଷ୍ୟ ପୁତ୍ର କରିବା ପାଇଁ ନୋଟିସ ଜାରି କରାଯିବ ବୋଲି କହିଛନ୍ତି।

Post a Comment

Previous Post Next Post