ରାଜ୍ୟ ପ୍ରନୂତତ୍ଵ ବିଭାଗର ଅଧିକାରୀଙ୍କ ମନ୍ମଥ - ମନୋଜ ଐତିହ୍ୟସ୍ଥଳୀ ପରିଦର୍ଶନ ଉତ୍କଳମଣି ଗୋପବନ୍ଧୁଙ୍କ ସୁଆଣ୍ଡୋ ଭଳି ଝଲସିବ ଶଙ୍ଖାରି


ଭୋଗରାଇ ୨୬/୩ (ଚିନ୍ମୟ କୁମାର ଦାସ): ରାଜ୍ୟ ପ୍ରଦୂତତ୍ଵ ବିଭାଗର ଅଧିକାରୀଙ୍କ ୩ଜଣିଆ ଦଳ ବାଲେଶ୍ଵର ଜିଲ୍ଲା ଭୋଗରାଇର ଶଙ୍ଖାରି ମନ୍ମଥ ମନୋଜଙ୍କ ଐତିହ୍ୟସ୍ଥଳୀ ପରିଦର୍ଶନ କରି ଫେରିଛନ୍ତି । ଭୋଗରାଇର ମାଟିର ଦୁଇ ବରପୁତ୍ର ଐତିହାସିକ ମନ୍ମଥ ନାଥ ଦାସ ଏବଂ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ କଥାକାର ପଦ୍ମଭୂଷଣ ଅନୁଜ ମନୋଜ ଦାସଙ୍କ ଶଙ୍ଖାରି ସ୍ଥିତ ପୈତୃକ ବାସ ଭବନର ଐତିହ୍ୟସ୍ଥଳୀ କାର୍ଯ୍ୟକୁ ସେମାନେ ଅନୁଧ୍ୟାନ କରିଥିଲେ । ଏହି ଅବସରରେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ଶାସନ ସଚିବ ମଧୁସୂଦନ ଦାସ ଉତ୍କଳମଣି ଗୋପବନ୍ଧୁଙ୍କ ଜନ୍ମସ୍ଥାନ ସୁଆଣ୍ଡୋ ଭଳି ଶଙ୍ଖାରି ମଧ୍ୟ ଝଲସି ଉଠିବ ବୋଲି କହିଥିଲେ । ଏହାଛଡା ଏଠାକାର ସମସ୍ତ କାର୍ଯ୍ୟକୁ ସମାନ୍ତରାଳ ଭାବେ ଗୁରୁତ୍ଵ ଦିଆ ଯାଉଛି । ଭୋଗରାଇର ପର୍ଯ୍ୟଟନ ବଳୟ ମଧ୍ୟରେ ଏହି ସ୍ଥାନ ରହୁଥିବାରୁ ଆଗାମୀ ଦିନରେ ଏଠାକୁ ବହୁ ପର୍ଯ୍ୟଟକ , ଗବେଷକ ଓ ସାହିତିକଙ୍କ ସମାଗମ ହେବ ବୋଲି କହିଥିଲେ ରାଜ୍ୟ ପ୍ରଦୂତତ୍ଵ ବିଭାଗର ଅଧୀକ୍ଷକ ଅଶ୍ବିନୀ କୁମାର ଶତପଥୀ ସ୍ଵର୍ଗତ ଦାସଙ୍କ ବାସ ଭବନ ଓ ମନ୍ଦିରର ସଂରକ୍ଷଣ କାର୍ଯ୍ୟ ବହୁ ଉନ୍ନତ ମାନର କରାଯିବ , ଯାହା ସମୟ ସାପେକ୍ଷ । ଅନ୍ୟ ମାନଙ୍କ ମଧ୍ୟରେ ଇନଟାକର ନିର୍ଦ୍ଦେଶିକା ମଲ୍ଲିକା ମିତ୍ର , ବିଭାଗର କନିଷ୍ଠଯନ୍ତ୍ରୀ ଜ୍ୟୋତି ରଞ୍ଜନ ମହାନ୍ତି , ମନ୍ମଥ ମନୋଜ ଫାଉଣ୍ଡେସନର ସମ୍ପାଦକ ସୁବାସ ଦାସ , ଶଙ୍ଖାରି ସମିତି ସଦସ୍ୟା ସୁବାସିନୀ ଜେନା , ସଦସ୍ୟ ସୁଶାନ୍ତ କୁମାର ନାୟକ , ଶ୍ରୀପତି ସଁ , ପ୍ରଦୀପ ଜେନା ପ୍ରମୁଖ ସାମିଲ ଥିଲେ । ଏହି ଦଳ ଶଙ୍ଖାରି ଗସ୍ତ ପରେ ବାଲେଶ୍ବର ଜିଲ୍ଲାପାଳ ଦତାତ୍ରେୟ ଭାଉସାହେବ ଶିନ୍ଦେଙ୍କୁ ସାକ୍ଷାତ କରିବେ ବୋଲି ପ୍ରକାଶ କରିଥିଲେ । ସୂଚନା ଥାଉକି , ଏହି ଐତିହ୍ୟ ସ୍ମାରକୀ ସ୍ଥଳୀରେ ଦୁଇ ବରପୁତ୍ରଙ୍କ ରଚିତ ପୁସ୍ତକ ଓ ବ୍ୟବହାର ସାମଗ୍ରୀ ସବୁ ସଂରକ୍ଷିତ କରି ରଖାଯିବ ।

Post a Comment

Previous Post Next Post