ବୌଦ୍ଧ, (ଶୁଶାନ୍ତ କୁମାର ବେହେରା):ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ର୍ୟାଗିଂ ଉପରେ ରୋକ ଲଗାଇବା ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଅଧକ୍ଷତା କରିବାସହ ସମସ୍ତ ମହାବିଦ୍ୟାଳୟରେ କମିଟି ଗଠନ କରି ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା ମାଧ୍ୟମରେ ଏହି ସମସ୍ୟାର ସମାଧାନ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ଜିଲ୍ଲାରେ ଶିକ୍ଷାନୁଷ୍ଠାନଗୁଡିକରେ ଯେପରି ର୍ୟାଗିଂ ଭଳି ଘଟଣା ନହୁଏ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ପ୍ରତିଷ୍ଠା ପାଇଁ ଯତ୍ନବାନ ହେବା, ଛାତ୍ରାବାସ ଦାୟିତ୍ୱରେ ଥିବା ଅଧ୍ୟକ୍ଷ , ୱାଡେନ ଛାତ୍ରାବାସ ନିକଟରେ ରହିବା ଓ ପ୍ରତିଦିନ ନିଶ୍ଚିତ ଭାବରେ ଦୁଇଥର ଛାତ୍ରାବାସ ପରିଦର୍ଶନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଏଥିସହିତ ଶାରୀରିକ ଓ ମାନସିକ ସ୍ତରରେ ର୍ୟାଗିଂର ପ୍ରଭାବ ସଂପର୍କରେ ଛାତ୍ରଛାତ୍ରୀମାନଙ୍କୁ କାଉନସିଲିଂ ମାଧ୍ୟମରେ ସଚେତନ କରାଇବା , ର୍ୟାଗିଂରେ ସଂପୃକ୍ତ ଛାତ୍ରଛାତ୍ରୀମାନଙ୍କୁ ଉଚିତ ଦଣ୍ଡବିଧାନ ସଂପର୍କରେ ସଚେତନ କରାଇବା ନେଇ ବୈଠକରେ ଆଲୋଚନା କରାଯାଇଥିଲା । ଜିଲ୍ଲାପାଳ ଶ୍ରୀମିଶ୍ର ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିବା ସହିତ ଅସୁବିଧା ଉପୁଜିଲେ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ପରାମର୍ଶ ଦେବାସହ ମହାବିଦ୍ୟାଳୟ ଗୁଡିକରେ ଏକ ହେଲପଲାଇନ ନମ୍ବର ରଖାଗଲେ ଛାତ୍ରଛାତ୍ରୀମାନେ ଅଭିଯୋଗ କରିପାରିବେ ବୋଲି ପରାମର୍ଶ ଦେଇଥିଲେ । ଏହି ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଗ୍ୟାନରଞ୍ଜନ ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଅଶ୍ୱିନୀ କୁମାର ମେହେର ,ଉପଜିଲ୍ଲାପାଳ ସନତ କୁମାର ନାଏକ, ତହସିଲଦାର ଦେବୀପ୍ରସାଦ ଦାଶ ଓ ଡେପୁଟି କଲେକ୍ଟର ଝରଣା ପ୍ରଧାନ ପ୍ରମୁଖ ଯୋଗଦେବାସହ ଜିଲାର ସମସ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକାମାନେ ଯୋଗ ଦେଇଥିଲେ ।
ର୍ୟାଗିଂ ଉପରେ ରୋକ ଲଗାଇଲେ ବୌଦ୍ଧ ଜିଲ୍ଲା ପାଳ
ଆଜତକ ଓଡ଼ିଶା
0
Tags
ହାଇଲାଇଟ୍ ସମ୍ବାଦ
Post a Comment