ଜାଲ୍‌ ଚେକ୍‌ ମାଧ୍ୟମରେ ୪୨ଲକ୍ଷ ଟଙ୍କା ଉଠାଇନେବାକୁ ଉଦ୍ୟମ: ଥାନାରେ ଏତଲା ଦେଲେ ଇଓ

ସିସିଟିଭି ଫୁଟେଜରେ କଏଦ୍‌ ହେଲା ଠକର ଦୃଶ୍ୟ

ଜୁନାଗଡ଼ ୦୧/୦୫ (ଧୀରେନ୍ଦ୍ର ସୁନାନୀ) କଳାହାଣ୍ଡି ଜିଲା ଜୁନାଗଡ଼ ଏନ୍‌ଏସିର ଏକ ଜାଲ୍‌ ଚେକ୍‌ ମାଧ୍ୟମରେ ଜଣେ ବ୍ୟକ୍ତି ସ୍ଥାନୀୟ ଆକ୍ସିସ ବ୍ୟାଙ୍କରୁ ୪୨ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଉଠାଇ ନେବାକୁ ଚେଷ୍ଟା କରିଥିଲେ। ଏପରିକି ବ୍ୟକ୍ତି ଜଣକ ନିଜକୁ ଏନ୍‌ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ବୋଲି ପରିଚୟ ଦେଇ ଟଙ୍କା ଉଠାଇବାକୁ ଉଦ୍ୟମ କରିଥିଲେ। ବ୍ୟକ୍ତି ଜଣକ ଏହି ଟଙ୍କା ପଶ୍ଚିମବଙ୍ଗ ମେଦିନୀପୁର ଜିଲାର ତାମଲୁକ ପୂର୍ବା ନାମକ ସ୍ଥାନରେ ଥିବା ଆଇସିଆଇସିଆଇ ବ୍ୟାଙ୍କ ଶାଖାର ଏକ ଆକାଉଣ୍ଟରେ ଜମା କରିବାକୁ ଯୋଜନା କରୁଥିବା ଜଣାପଡିଛି। ତେବେ ତୁରନ୍ତ ଟଙ୍କା ଟ୍ରାନ୍ସଫର କରିବାକୁ ବ୍ୟକ୍ତି ଜଣକ କହିଥିଲେ। ଏତେ ପରିମାଣର ଟଙ୍କା ଟ୍ରାନ୍ସଫର କରାଯାଉଥିବାରୁ କର୍ମଚାରୀ ଜଣକ ଶାଖା ପରିଚାଳକ ଆସିବା ଯାଏ ତାଙ୍କୁ ଅପେକ୍ଷା କରିବାକୁ କହିଥିଲେ। ହେଲେ ବ୍ୟକ୍ତି ଜଣକ କିଛି ସମୟ ବ୍ୟାଙ୍କରେ ଅଟକି ରହି ଶେଷରେ ଧରାପଡିବା ଭୟରେ ସେଠାରୁ ଚମ୍ପଟ ମାରିଥିଲେ। ତେବେ ଏହି ଘଟଣାର ସମସ୍ତ ଦୃଶ୍ୟ ସିସିଟିଭି ଫୁଟେଜରେ କଏଦ୍‌ ହୋଇଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେଉଁ ଚେକ୍‌ ସହାୟତାରେ ଟଙ୍କା ଉଠାଣ ପାଇଁ ବ୍ୟକ୍ତି ଜଣକ ଉଦ୍ୟମ କରୁଥିଲେ ସେଭଳି ନମ୍ବରର ଚେକ୍‌ ଏନ୍‌ଏସି କାର୍ଯ୍ୟାଳୟକୁ ବ୍ୟାଙ୍କ ପକ୍ଷରୁ ଦିଆଯାଇ ନ ଥିବାରୁ ଏହା ଅନ୍ୟ ଏକ ସ୍ଥାନରେ ଛପା ହୋଇ ଆସିଥିବା ସ୍ପଷ୍ଟ ହୋଇଛି। ଏହି ଘଟଣା ଜଣାପଡିବା ପରେ ଜୁନାଗଡ଼ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ(ଇଓ) ବିଶ୍ୱମ୍ବର ମିଶ୍ର ଜୁନାଗଡ଼ ଥାନାରେ ଏତଲା ଦେଇଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Post a Comment

Previous Post Next Post