ମନ୍ତ୍ରୀ ପ୍ରଦୀପ ଅମାତ ଙ୍କ ଦ୍ୱାରା ଶ୍ରୀଜଗନ୍ନାଥ ମନ୍ଦିରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଉଦଘାଟିତ


ବୌଦ୍ଧ,(ସୁଶାନ୍ତ କୁମାର ବେହେରା) : ବୌଦ୍ଧର ପ୍ରସିଦ୍ଧ ଶ୍ରୀଜଗନ୍ନାଥ ମନ୍ଦିରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ,ଜଙ୍ଗଲ ଓ ପରିବେଶ ଏବଂ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତଙ୍କ କରକଳମରେ ଉଦଘାଟିତ ହୋଇଯାଇଛି । ଏହି ମନ୍ଦିରର ଉନ୍ନତିକରଣ ପାଇଁ ରାଜ୍ୟ ସରକାର ୧ କୋଟି ଟଙ୍କା ସହାୟତା ରାଶି ଯୋଗାଇଦେଇଥିବାବେଳେ ବିଧାୟକ ପାଣ୍ଠି ଓ ବିଭିନ୍ନ ଅନୁଦାନରୁ ପ୍ରାୟ ୧ କୋଟି ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ମନ୍ଦିରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯାଇଥିଲା । ରାଜାଙ୍କ ସମୟରେ ନିର୍ମିତ ମନ୍ଦିରର ଉପରି ଭାଗରେ ଅନେକ ଫାଟ ଦେବା ସହିତ ଭିତରେ ପାଣି ଗଳୁଥିବାବେଳେ ଯନ୍ତ୍ରୀମାନଙ୍କ ପରାମର୍ଶକ୍ରମେ ସଂପୁର୍ଣ୍ଣ ମନ୍ଦିରର ମରାମତି କରାଯାଇଥିଲା । ମନ୍ଦିର ବେଢାର ଉନ୍ନତିକରଣ ସହିତ,ଏକ କଲ୍ୟାଣମଣ୍ଡପ ନିର୍ମାଣ,ମନ୍ଦିର ସମ୍ମୁଖ ମଧ୍ୟ ଉନ୍ନତିକରଣ କରାଯାଇଛି । ଅରୁଣ ସ୍ତମ୍ବ ନିକଟରେ ଶ୍ରଦ୍ଧାଳୁମାନଙ୍କ ପାଦ ଧୋଇ ମନ୍ଦିର ପ୍ରବେଶ କରିବା ବ୍ୟବସ୍ଥା କରାଯାଇଛି । ସେହିପରି ମନ୍ଦିର ବେଢାରେ ବିଭିନ୍ନ ଦେବାଦେବୀଙ୍କ ପାଇଁ ନୂତନ ମନ୍ଦିର ନିର୍ମାଣ ସହିତ ବିଗ୍ରହ ସ୍ଥାପନ ମଧ୍ୟ କରାଯାଇଥିଲା । ରଥଯାତ୍ରା ପୂର୍ବରୁ ସମସ୍ତ କାର୍ଯ୍ୟ ସମାପନ କରାଯାଇ ମାନ୍ୟବର ମନ୍ତ୍ରୀ ଶ୍ରୀଅମାତ ଏହି ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ଉଦଘାଟନ କରିବା ସହିତ ଯେଉଁ ଅଧିକାରୀ ଓ କର୍ମକର୍ତ୍ତାମାନେ ଏଥିପାଇଁ ନିଷ୍ଠାର ସହିତ କାର୍ଯ୍ୟ କରିଥିଲେ ସେମାନଙ୍କୁ ମଧ୍ୟ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । 

ଜିଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ନିରନ୍ତର ଉଦ୍ୟମ ଓ ତତ୍କାଳୀନ ବୌଦ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବୀ ପ୍ରସାଦ ଦାଶ ଏବଂ ତାଙ୍କର ସହକର୍ମୀ ଓ ଆର୍କିଟେକ ସୁମନ ଷଡଙ୍ଗୀଙ୍କ ଦ୍ୱାରା ଯୋଜନା ପ୍ରସ୍ତୁତ କରାଯାଇ ମନ୍ଦିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯାଇଥିଲା । ମନ୍ତ୍ରୀ ଶ୍ରୀଅମାତ ମନ୍ଦିର ଚର୍ତୁପାଶ୍ୱର୍ ବୁଲି ଦେଖିବା ସହିତ କାର୍ଯ୍ୟର ପ୍ରଶଂସା କରିଥିଲେ । ଏହି ଅବସରରେ ମନ୍ଦିର ବେଢା ଭିତରେ ବ୍ରାହ୍ମଣ ସମାଜ ପକ୍ଷରୁ ବିଭିନ୍ନ ସଂସ୍କାର କାର୍ଯ୍ୟକ୍ରମ ପାଇଁ ଏକ ମୁକ୍ତିମଣ୍ଡପ ନିର୍ମାଣ କରାଯିବାକୁ ବ୍ରାହ୍ମଣ ସମାଜର ସଂପାଦକ ଦେବାଶିଷ ପୁରୋହିତ ମନ୍ତ୍ରୀ ଶ୍ରୀଅମାତ ଓ ଜିଲାପାଳ ଶ୍ରୀମିଶ୍ରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ ମନ୍ତ୍ରୀ ଶ୍ରୀଅମାତ ସେଥିପାଇଁ ଆବଶ୍ୟକୀୟ ଯାଗା ଚିହ୍ନଟ ପରେ ଅନୁଦାନ ଯୋଗଇଦେବାକୁ ପ୍ରତିଶୃତି ଦେଇଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ବୌଦ୍ଧ ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର,ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ,ଅତିରିକ୍ତ ଜିଲାପାଳ ବବିତାରାଣୀ ଦଳବେବେହେରା,ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱନୀ କୁମାର ମେହେର, ଉପ ଜିଲ୍ଲପାଳ ସନତ କୁମାର ନାଏକ, ବୌଦ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅବିନାଶ ପାଣ୍ଡିଆ,ଜିଲା ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ୱାଇଁ , ଜିଲା ସୂଚାନ ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହଙ୍କ ସମେତ ଅନେକ ବରିଷ୍ଠ ନାଗରିକ,ବୁଦ୍ଧିଜିବୀ ଓ ମନ୍ଦିର କମିଟି କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Post a Comment

Previous Post Next Post