ଗୁଣ୍ଡିଚା ମନ୍ଦିରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ


ବୌଦ୍ଧ,(ସୁଶାନ୍ତ କୁମାର ବେହେରା) : ବୌଦ୍ଧ ର ପ୍ରସିଦ୍ଧ ରଥଯାତ୍ରାକୁ ଆଉମାତ୍ର ଦୁଇଦିନ ବାକିଥିବାବେଳେ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତିର ସମୀକ୍ଷା ଚାଲିଛି । ଏହି ପରିପ୍ରେକ୍ଷିରେ ତିନି ଠାକୁରଙ୍କ ଗୁଣ୍ଡିଚା ମନ୍ଦିରରେ ରହଣି ଅବସରରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଅତିରିକ୍ତ ଜିଲାପାଳ ବବିତାରାଣୀ ଦଳବେହେରାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନର ପ୍ରତନିଧି ଉପସ୍ଥିତ ରହି ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଗୁଣ୍ଡିଚା ମନ୍ଦିରଠାରେ ଠାକୁରମାନଙ୍କ ଅବତାରୀ ବେଶରେ ଦର୍ଶନ ଅବସରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଭଜନ ପରିବେଷଣ ପାଇଁ ବୈଠକରେ ସ୍ଥିର କରାଯାଇଥିଲା । କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ଜିଲା ପ୍ରଶାସନ ପକ୍ଷରୁ ମଞ୍ଚ ସହିତ ସାଉଣ୍ଡ ଓ ଆଲୋକ ବ୍ୟବସ୍ଥା ଯୋଗାଇଦେବାକୁ ସ୍ଥିର କରାଯାଇଥିବାବେଳେ ଅନୁଷ୍ଠାନମାନେ ନିଜସ୍ୱ ବାଦ୍ୟଯନ୍ତ୍ର ସହିତ ଉପସ୍ଥିତ ରହି ଭଜନ ପରିବେଷଣ କରିବାକୁ ବୈଠକରେ ସ୍ଥିର କରାଯାଇଥିଲା । ଏହି ବୈଠକରେ ଜିଲା ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ୱାଇଁ ,ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ଉପସ୍ଥିତ ଥିବାବେଳେ ଗେହ୍ଲାମା କଳାନିକେତନ ର ସଭାପତି ଶଶାଙ୍କ ଶେଖର ମିଶ୍ର, ପ୍ରଣାମ ଅନୁଷ୍ଠାନ ପକ୍ଷରୁ ବସନ୍ତ କୁମାର ସାହୁ ଓ ବରିଷ୍ଠ ସାମ୍ବାଦିକ ଦେବାଶିଷ ପୁରୋହିତଙ୍କୁ କାର୍ଯ୍ୟକ୍ରମ ପରିଚାଳନାର ସମସ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ସୂଚନା ମୁତାବକ ଗୁଣ୍ଡିଚା ମନ୍ଦିର ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପାଇଁ ଗେହ୍ଲାମା କଳାନିକେତନ,ପ୍ରଣାମ,ରାମଲୀଳା ନାଟ୍ୟସଂସଦ,ସଙ୍ଗିତାୟନ,ବୌଦ୍ଧ ନାଗରିକ କମିଟି,ମଦନମୋହନ ନାଟ୍ୟକଳା ପରିଷଦ ପକ୍ଷରୁ ସହମତି ପ୍ରକାଶ କରାଯାଇଛି ।

Post a Comment

Previous Post Next Post