ସମାଜସେବୀ ମଧୁସୂଦନ ଦାସ ପାଇଲେ ବାବା ଆମତେ ଜାତୀୟ ପୁରସ୍କାର


ମାହାଙ୍ଗା : (ଅଶୋକ କୁମାର ଦାସ) ମାହାଙ୍ଗା ବ୍ଲକର ଏକ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ 'ଅଭିଯାନ'ର ପ୍ରତିଷ୍ଠାତା, ଜାତୀୟ ଯୁବ ପ୍ରକଳ୍ପର ରାଷ୍ଟ୍ରୀୟ ଟ୍ରଷ୍ଟି ତଥା ଓଡ଼ିଶାର ଆବାହକ ଲଳିତଗିରି ପଂଚାୟତ ପୁରସ୍ତମପୁର ଗ୍ରାମର ମଧୁସୂଦନ ଦାସଙ୍କୁ "ବାବା ଆମେତ ଜାତୀୟ ପୁରସ୍କାର-୨୦୨୫" ପ୍ରଦାନ କରାଯାଇଛି । ଏହି ଉପଲକ୍ଷେ ପୁନେ ସ୍ଥିତ ଗାନ୍ଧୀ ଭବନ ଠାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଜି ଜି ପାରିଖ ଓ ସମ୍ମାନୀତ ଅତିଥି ଭାବେ ରାଷ୍ଟ୍ରୀୟ ସେବା ଦଳର ମୁଖ୍ୟ ସୁନିତା ଆତେ ଯୋଗଦେଇ ଶ୍ରୀ ଦାସଙ୍କୁ ନଗଦ ୫୧ ହଜାର ଟଙ୍କା ସହିତ ଏହି ସମ୍ମାନଜନକ ଜାତୀୟ ପୁରସ୍କାର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜାତୀୟ ଯୁବ ପ୍ରକଳ୍ପର ବରିଷ୍ଠ କାର୍ଯ୍ୟକର୍ତା କେଦାରନାଥ ମିଶ୍ର,ୟାଦବ ରାଜୁ, ଧର୍ମେନ୍ଦ୍ର କୁମାର, ହନୁମାନ ଦେଶାଇ, ପୂଜା ଡାକୁଆ, ଅରୁପା ଗୌଡ଼, ବିକାଶ ଭାଇ ଓ ଫାରୁକ ଭାଇ ପ୍ରମୁଖ ଉପସ୍ଥିତ ଥାଇ ଶ୍ରୀ ଦାସଙ୍କୁ ଅଭିନନ୍ଦନ ଜଣାଇଥିଲେ । ସୂଚନା ମୁତାବକ ଛାତ୍ରାବସ୍ଥାରୁ ଶ୍ରୀ ଦାସ ନିଜକୁ ସମାଜସେବାରେ ସମର୍ପିତ କରି ଓଡିଶା ସମେତ ଦେଶ ବିଦେଶରେ ନିସ୍ୱାର୍ଥ ସେବା କାର୍ଯ୍ୟ କରି ଆସୁଛନ୍ତି । ଯୁବ ପ୍ରେରଣାର ଉତ୍ସ ଏସ ଏନ ସୁବାରାଓଙ୍କ ପଟ୍ଟଶିଷ୍ୟ ଭାବେ ଦୀର୍ଘ ତିନି ଦଶନ୍ଧି ଧରି ଶ୍ରୀ ଦାସ ଦେଶରେ ଏକତା ଓ ଭାଇଚାରାକୁ ସୁଦୃଢ଼ କରି ଆସୁଛନ୍ତି । ବର୍ତ୍ତମାନ ସେ ଓଡିଶା ଓ ଭାରତ ପୁନର୍ଗଠନ ଅଭିଯାନ ପାଇଁ ନିରନ୍ତର କାର୍ଯ୍ୟକ୍ରମ କରି ଆସୁଛନ୍ତି । ଜାତୀୟ ପୁରସ୍କାର ପ୍ରାପ୍ତ ଶ୍ରୀ ଦାସଙ୍କୁ ବଡ଼ଚଣା ଓ ମାହାଙ୍ଗା ଅଞ୍ଚଳର ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି ।

Post a Comment

Previous Post Next Post