ଫକୀରମୋହନ ସେନାପତି ଓ ମୁନ୍‌ସୀ ପ୍ରେମଚାନ୍ଦ: ଏକ ତୁଳନାତ୍ମକ ଅଧ୍ୟୟନ’ ଶୀର୍ଷକ ଆଲୋଚନାଚକ୍ର


ବାଲେଶ୍ବର, ୨୭/୭ (ଲକ୍ଷ୍ମୀଧର ବାରିକ) କେନ୍ଦ୍ର ସାହିତ୍ୟ ଅକାଦେମି, କୋଲକାତା ଓ ସ୍ନାତକୋତ୍ତର ଭାଷାସାହିତ୍ୟ ବିଭାଗ, ଫକୀରମୋହନ ବିଶ୍ଵବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ‘ଫକୀରମୋହନ ସେନାପତି ଓ ମୁନ୍‌ସୀ ପ୍ରେମଚାନ୍ଦ: ଏକ ତୁଳନାତ୍ମକ ଅଧ୍ୟୟନ’ ଶୀର୍ଷକ ଆଲୋଚନାଚକ୍ର ଗୁରୁବାର ଫକୀରମୋହନ ବିଶ୍ଵବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଫକୀରମୋହନ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, ସାହିତ୍ୟ ଅକାଦେମି, କୋଲକାତାର ଆଞ୍ଚଳିକ ସଚିବ ଡ.ଦେବେନ୍ଦ୍ର କୁମାର ଦେବେଶ, ଫକୀରମୋହନ ବିଶ୍ବବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ମୁନେଶ୍ ଚନ୍ଦ୍ର ଅଧିକାରୀ, ସାହିତ୍ୟ ଅକାଦେମିର ଓଡ଼ିଆ ଉପଦେଷ୍ଟାମଣ୍ଡଳୀ ସଦସ୍ୟ ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀ ଓ ଫକୀରମୋହନ ବିଶ୍ବବିଦ୍ୟାଳୟର ସ୍ନାତକୋତ୍ତର ଭାଷାସାହିତ୍ୟ ବିଭାଗୀୟ ମୁଖ୍ୟ ଡକ୍ଟର ଦେବାଶିଷ ପାତ୍ର ମିଳିତ ଭାବେ ଉଦ୍‌ଘାଟନ କରିଥିଲେ। 
ଏହି ଅବସରରେ ସଂଘମିତ୍ରା ଭଞ୍ଜଙ୍କ ଦ୍ବାରା ସଂକଳିତ ଓ ସଂପାଦିତ ପୁସ୍ତକ ‘ଓଡ଼ିଆ ଗାନ୍ଧୀକଥା’, ଡ.ଅରବିନ୍ଦ ଗିରିଙ୍କ ଦ୍ବାରା ରଚିତ ‘ବାଞ୍ଛାନିଧି ମହାନ୍ତିଙ୍କ ନିର୍ବାଚିତ କବିତା’, ଡ.ଦେବାଶିଷ ପାତ୍ରଙ୍କ ଦ୍ବାରା ସଂପାଦିତ ‘ଓଡ଼ିଶାର ଆଦିବାସୀ ଲୋକଗୀତ ସଞ୍ଚୟନ’ ଅତିଥିମାନଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା। ପ୍ରଫେସର ବବ୍ରୁବାହନ ମହାପାତ୍ର, ସଂଘମିତ୍ରା ଭଞ୍ଜ, ଦୀପ୍ତିପ୍ରକାଶ ମହାପାତ୍ର, କବିତା ପାତ୍ର, ମହମ୍ମଦ ସରିବ, ସୌମ୍ୟା ସଂଗୀତା ସାହୁ ପ୍ରବନ୍ଧ ପାଠ କରିଥିଲେ। ସାହିତ୍ୟ ଚର୍ଚ୍ଚା ଅଧିବେଶନରେ ପ୍ରଫେସର ମଣୀନ୍ଦ୍ର କୁମାର ମେହେର, ପ୍ରଫେସର ରବିନ୍ଦ୍ର ମିଶ୍ର, ଡ.ଅରବିନ୍ଦ ଗିରି ସଭାପତିତ୍ଵ କରିଥିବା ବେଳେ ଡ.ଜୟନ୍ତ କୁମାର ଦାସ, ଡ.ଦେବସ୍ମିତା ବାରିକ, ଡ.ହେମଲତା ବେହେରା, ଡ.ପ୍ରହ୍ଲାଦ ଖିଲ ଭିନ୍ନ ଭିନ୍ନ ଅଧିବେଶନର ନିଷ୍କର୍ଷ ଉପସ୍ଥାପନ କରିଥିଲେ। ଭାଷା ଓ ସାହିତ୍ୟ ବିଭାଗର ମୁଖ୍ୟ ଡ.ଦେବାଶିଷ ପାତ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହିତ ଭିତ୍ତି ପ୍ରବନ୍ଧ ପାଠ କରି ଉଭୟ ଫକୀରମୋହନ ଓ ମୁନ୍‌ସୀ ପ୍ରେମଚାନ୍ଦ ମାନବୀୟ ସମ୍ବେଦନଶୀଳତାକୁ ପ୍ରାଧାନ୍ୟ ଦେଇ ସାହିତ୍ୟ ସୃଷ୍ଟି କରିଥିବା ହେତୁ ପାଠକ ନିକଟରେ ଆଦରଣୀୟ ହୋଇପାରିଛନ୍ତି ବୋଲି ମତ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ, ପ୍ରାଧ୍ୟାପକଙ୍କ ସମେତ ବାଲେଶ୍ବରର ବିଭିନ୍ନ ସାହିତ୍ୟ ଅନୁଷ୍ଠାନର କର୍ମକର୍ତ୍ତା ଅଂଶଗ୍ରହଣ କରି ଆଲୋଚନାରେ ଭାଗ ନେଇଥିଲେ। ଶେଷରେ ହେମଲତା ବେହେରା ଧନ୍ୟବାଦ ଦେଇଥିଲେ।

Post a Comment

Previous Post Next Post