ସିନ୍ଧେକେଲା,୧୮/୨ (ଦୀନେଶ ଜୈନ) ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ବୁଡିପଦର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଙ୍ଗଲର ପଶୁପକ୍ଷୀଙ୍କ ସୁରକ୍ଷା ଓ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା ନିମନ୍ତେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଜଗତ କଅଁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରକୃତି ବନ୍ଧୁ ଗୁରୁ ରବୀନ୍ଦ୍ର ସାଏ ଯୋଗଦେଇ ସଙ୍ଗୀତ ଓ ନୃତ୍ୟ ଅଭିନୟ ମାଧ୍ୟମରେ ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କ ମନରେ ଚେତନା ଭରି ଦେଇଥିଲେ ।
Ad.....
ସେହିପରି ଭାବରେ ଗୋବିନ୍ଦପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ପ୍ରଧାନ ଶିକ୍ଷକ ଧରଣୀ ଧର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ତେତେଲପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଆସିଥିବା ଛାତ୍ରୀ ପୂଜ୍ୟସିନୀ ବାଗ ଓ ମେଘା ତାଣ୍ଡି ସମ୍ବଲପୁରୀ ଢଗଢମାଲି ପରିବେଷଣ ସହିତ ଲୋକନୃତ୍ୟ "ଝାର ଆମର ପରାନ , ଗଛ ଆମର ବନ୍ଧୁ " ପରିବେଷଣ କରି ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କୁ ସଚେତନ କରିଥିଲେ । ଜଙ୍ଗଲ ବଞ୍ଚି ରହିଲେ ଜଙ୍ଗଲର ପଶୁପକ୍ଷୀ ବଞ୍ଚି ରହିପାରିବେ । ମଣିଷ ସମାଜ ମଧ୍ୟ ଜଙ୍ଗଲ ଦ୍ୱାରା ଉପକୃତ ହୋଇପାରିବେ । ସେହି ଉପରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଶିକ୍ଷକ ବାପୀନା ସାହୁ ଶିକ୍ଷୟିତ୍ରୀ ରଶ୍ମିତା ବେହେରା , ନୀଳାଦ୍ରି କୁଅଁର ପ୍ରମୂଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଛାତ୍ରୀ ପୂଜ୍ୟସିନୀ ବାଗ ଓ ମେଘା ତାଣ୍ଡିଙ୍କୁ ବିଦ୍ୟାଳୟ ପକ୍ଷରୁ ପ୍ରମାଣପତ୍ର ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା ।
Post a Comment