ଭବାନୀପାଟଣା ,ଲାଞ୍ଜିଗଡ଼,( ଧୀରେନ୍ଦ୍ର ସୁନାନି):ଲାଞ୍ଜିଗଡ଼ ବ୍ଲକ ବେନଗାଁ ପଞ୍ଚାୟତ ଅନ୍ତର୍ଗତ କୋକସୁର ବାସିନ୍ଦାଙ୍କ ପାଇଁ ଆଜିବି ଅପହଞ୍ଚ ମୌଳିକ ସୁବିଧା । ଗାଁରେ ରୁହନ୍ତି ୨୪ ଟି ଆଦିବାସୀ ପରିବାର । ହେଲେ ଗାଁରେ ପାନୀୟ ଜଳ ପାଇଁ ଭଲ ନଳକୂପ ନାହିଁ, ଯାତାୟାତ ପାଇଁ ରାସ୍ତା ନାହିଁ, ବିଦ୍ୟାଳୟ ନାହିଁ, ଅଙ୍ଗନବାଡ଼ି କେନ୍ଦ୍ର ନାହିଁ କି ସ୍ଵାସ୍ଥ୍ୟସେବା ନାହିଁ । ଏସବୁ ସମସ୍ୟା ନେଇ ଗତ ୨୦୨୦ ଡିସେମ୍ବର ୧୬ ତାରିଖରେ ବିସ୍ତୃତ ଭାବରେ ଅନେକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଏହାପରେ ଲାଞ୍ଜିଗଡ଼ ତତ୍କାଳୀନ ତହସିଲଦାର ମୁନିଦ୍ର ହୋନ୍ନାଙ୍ଗା ଓ ଏହାପରେ ଲାଞ୍ଜିଗଡ଼ ତତ୍କାଳୀନ ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ର ଗାଁକୁ ଯାଇ ଗାଁର ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ପାଇଁ ଲୋକଙ୍କ ସହିତ ଆଲୋଚନା କରିଥିଲେ। ଗାଁର ଯୁବକଙ୍କୁ ମନରେଗା ଯୋଜନାରେ କାମ ଯୋଗାଇବା ସାଙ୍ଗକୁ ଅନ୍ୟ ମୌଳିକ ସୁବିଧା ଉପଲବ୍ଧ କରାଇବାକୁ ପ୍ରତିଶ୍ରୁତି ଦେଇଥିଲେ ।
ପ୍ରତିଶ୍ରୁତି ଅନୁସାରେ ରାସ୍ତା ପାଇଁ ଅର୍ଥ ମଞ୍ଜୁର ହୋଇ ଆରମ୍ଭ ହୋଇଥିଲା କାମ। ନୂଆ କଚ୍ଚା ରାସ୍ତାରେ ଗାଁକୁ ଗାଡ଼ି ଯାଇ ପାରିବା ସମ୍ଭବ ହେଲା।ପାନୀୟ ଜଳ ଯୋଗାଣ ପାଇଁ ଗାଁରେ ଦୁଇ ଗୋଟି ଗଭୀର ନଳକୂପ ଖନନ କରାଗଲା କିନ୍ତୁ ସେଥିରେ ପମ୍ପ ଓ ଅନ୍ୟ ଉପକରଣ ଲାଗି ନ ଥିବାରୁ ସେଥିରୁ ପାନୀୟ ଜଳ ଯୋଗାଣ ହୋଇ ପାରୁନାହିଁ । ବିଦ୍ୟୁତ ବିଭାଗ କର୍ମଚାରୀ ମାନେ ମଧ୍ୟ ପହଞ୍ଚି ଥିଲେ ହେଲେ ସତେଯେମିତି ସେତିକିରେ ହିଁ ଉନ୍ନୟନମୂଳକ କାମ ଠପ୍ ହୋଇଗଲା । ଗାଁକୁ ଯାଇଥିବା କଞ୍ଚା ରାସ୍ତାଟି ଅନେକ ସ୍ଥାନରେ ଖାଲ ଖମା ହୋଇ ଥିବାରୁ ବାଇକ ଟିଏ ମଧ୍ୟ୍ୟ ଯିବା କଷ୍ଟ ହେଉଛି । ଏନେଇ ସରପଞ୍ଚ ପୁରାଣା ମାଝୀଙ୍କୁ ପଚାରିବାରୁ ମୁଁ ମଧ୍ୟ କୋକସୁର ଗାଁକୁ ନେଇ ପଞ୍ଚାୟତ ସମିତି ବୈଠକ ଓ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାନୀରେ ବାରମ୍ବାର ଅଭିଯୋଗ କରି ଆସୁଛି।କିନ୍ତୁ ପ୍ରତିଶ୍ରୁତି ଛଡା ଆଉ କିଛି ମିଳୁନାହିଁ ବୋଲି ପ୍ରକାଶ କରିଛନ୍ତି।
Post a Comment