ବ୍ଲକ ସ୍ତରୀୟ ଶିଶୁ ସଚେତନତା କାର୍ଯ୍ୟକ୍ରମ


ବଲାଙ୍ଗିର : (ଗଣେଶ ଦାସ) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଶିଶୁ ଅଧିକାର, ଶିଶୁ ସୁରକ୍ଷା, ପୋଷ୍ୟ ସନ୍ତାନ ଗ୍ରହଣ ,ପ୍ରତିପାଳନ ଶିଶୁର ଯତ୍ନ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଖପ୍ରାଖୋଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିବେକାନନ୍ଦ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶିଶୁଙ୍କ ନିମିତ୍ତ ବିଭିନ୍ନ ଆଇନ୍ ଉପରେ ଆଲୋକପାତ କରିଥିଲେ ଶ୍ରୀ ଷଡ଼ଙ୍ଗୀ । ମାଁ ଗର୍ଭରୁ ଆରମ୍ଭ କରି ୧୮ ବର୍ଷ ବୟସ ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ ଶିଶୁ ଓ ମହିଳା ବିଭାଗ ତରଫରୁ ଶିଶୁର ବିକାଶ,ସୁରକ୍ଷା ଓ ସର୍ବାଙ୍ଗୀନ ଉନ୍ନତି ସକାଶେ ବିଭିନ୍ନ ପ୍ରକାର ଯୋଜନା ଅନ୍ତର୍ଭୁକ୍ତ କରାଯାଇଅଛି ବୋଲି ଖପ୍ରାଖୋଲ ତହସିଲଦାର ଶ୍ରୀ ମିଶ୍ର ଆଲୋକପାତ କରିଥିଲେ । ସେହିପରି ପୋଷ୍ୟ ସନ୍ତାନ ଗ୍ରହଣରେ ଆଇନଗତ ବିଧି ବ୍ୟବସ୍ତା ଉପରେ ଖପ୍ରାଖୋଲ ଥାନାଧିକାରୀ ଶ୍ରୀ ନରେନ୍ଦ୍ର ଛତର ଅବଗତ କରିଥିଲେ । ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଣୀ ଶ୍ରୀମତୀ ଲକ୍ଷ୍ମୀ ସିଂ ଯୋଗଦାନ କରି ଆଇନ୍ ସମ୍ମତ ପୋଷ୍ୟ ସନ୍ତାନ ଗ୍ରହଣ, ପୋଷ୍ୟ ସନ୍ତାନ ଗ୍ରହଣକାରିଙ୍କ ଯୋଗ୍ୟତା ଏବଂ ପୋର୍ଟାଲ ମାଧ୍ୟମରେ ପୋଷ୍ୟ ସନ୍ତାନ ପାଇଁ ଆଗ୍ରହୀ ଥିବା ବ୍ୟକ୍ତି ମାନେ କିପରି ଆବେଦନ କରିପାରିବେ ସବିଶେଷ ଟିକିନିଖି ଉପସ୍ଥିତ ସମସ୍ତଙ୍କୁ ବୁଝାଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ଜିଲ୍ଲା ପରାମର୍ଶଦାତା ଶ୍ରୀ ପ୍ରମୋଦ ବଗର୍ତ୍ତି ସଂଯୋଜନା କରିଥିବା ବେଳେ ସେ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଜ୍ଞାପନ କରି ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଖପ୍ରାଖୋଲ ବ୍ଲକ ଅଂଚଳର ଅଙ୍ଗନୱାଡି ସୁପରଭାଇଜର, ଆଶା ଦିଦି, ଅଙ୍ଗନୱାଡ଼ି କର୍ମୀ , ମହିଳା ସ୍ୱାସ୍ଥ୍ୟକର୍ମୀ, ମିଶନଶକ୍ତି ମହିଳା ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଟିର ସଦସ୍ୟା ପ୍ରମୁଖ ଯୋଗଦାନ କରିଥିଲେ ।

Post a Comment

Previous Post Next Post