ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ଆଦିବାସୀ ନେତା ଗିରିରାଜ ଭୋଇ


ପାଟଣାଗଡ଼ ୨୯/୦୩ (ଗଣେଶ ଦାସ) ପାଟଣାଗଡ଼ ଉପଖଣ୍ଡ ତିନି ଗୋଟି ବ୍ଲକ ପାଟଣାଗଡ଼, ବେଲପଡା ଓ ଖପ୍ରାଖୋଲ କୁ ନେଇ ଗଠିତ। ଉପଖଣ୍ଡରେ ବହୁଳ ପରିମାଣରେ ଆଦିବାସୀ ସମ୍ପ୍ରଦାୟର ଜନସାଧାରଣ ବସବାସ କରନ୍ତି । ଏଠାରେ ଆଦିବାସୀ ସମ୍ପ୍ରଦାୟ ମଧ୍ୟରୁ ସହରା (ଶବର ),ଗଣ୍ଡ, ବିଂଝାଲ, ମିର୍ଧା, ଦଳ, କନ୍ଧ ଜାତିର ଜନସାଧାରଣ ଅଛନ୍ତି । ଆଦିବାସୀ ଜନସଂଖ୍ୟା ୩୪ ଶତକଡା ବସବାସ କରୁଥିବାବେଳେ ସେହି ହିସାବରେ ଏକ ଲକ୍ଷ ଆଦିବାସୀ ଭୋଟର ମଧ୍ୟ ତାଙ୍କର ଭୋଟ ମତଦାନ ସାବ୍ୟସ୍ତ କରିଥାନ୍ତି । ପାଟଣାଗଡ଼ ନିର୍ବାଚନ ମଣ୍ଡଳୀରେ ଏତେ ସଂଖ୍ୟାରେ ଆଦିବାସୀ ବସବାସ କରୁଥିବାବେଳେ ବିଗତ ନିର୍ବାଚନ ବର୍ଷରେ କେବଳ ତିନି ଥର ଆଦିବାସୀ ବିଧାୟକ ପ୍ରାର୍ଥୀ ପାଇଁ ସ୍ଥାନ ସଂରକ୍ଷଣ ଥିଲା। ବିଗତ ନିର୍ବାଚନ ମାନଙ୍କରେ ସ୍ବର୍ଗତ ଗଣେଶ ରାମ ବରିହା,ସ୍ବର୍ଗତ ଆଶାରାମ ଭୋଇ ଏବଂ ସ୍ବର୍ଗତ ରମେଶ ଚନ୍ଦ୍ର ସିଂ ଭୋଇ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । କାଳକ୍ରମେ ରାଜନୀତିର ପାଶାପାଳିରେ ପେଷି ଦେଇ ଶାସନ ଗାଦିରେ ବସିଥିବା ରାଜନେତା ମାନେ ସମ୍ବିଧାନର ଦୁରୁପଯୋଗ କରି ଏହି ନିର୍ବାଚନ ମଣ୍ଡଳୀକୁ ବିଧାୟକ ଆସନ ସାଧାରଣ ବର୍ଗଙ୍କ ପାଇଁ କରିଛନ୍ତି । ଆଦିବାସୀ ମାନେ ତାଙ୍କର ରାଜନୈତିକ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ଅଛନ୍ତି । ଏହି ନିର୍ବାଚନ ମଣ୍ଡଳୀକୁ କ୍ରମାନ୍ୱୟରେ ଆସନ ପରିବର୍ତନ କରିବା ପାଇଁ ଦୀର୍ଘ ବର୍ଷରୁ ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଦାବୀ କରି ଆସୁଥିଲେ ସୁଦ୍ଧା ଶାସକ ଦଳ ନିର୍ବାଚନ ମଣ୍ଡଳୀରେ ବସବାସ କରୁଥିବା ଆଦିବାସୀ ମାନଙ୍କୁ ଅଣଦେଖା କରୁଛନ୍ତି, ଯଦ୍ଦ୍ୱାରା ଆଦିବାସୀ ମାନେ ରାଜନୈତିକ ଅଧିକାରରୁ ବଞ୍ଚିତ ଅଛନ୍ତି । ସରକାର ଆଦିବାସୀ ମାନଙ୍କୁ ଭଲ ପାଉଛୁ କହି, ଆଦିବାସୀ ମାନଙ୍କ ସାମୁହିକ ବିକାଶ କରୁଛୁ କହି କେବଳ ଡିଣ୍ଡିମ ପିଟୁଛନ୍ତୁ । କେଉଁ ସ୍ୱାର୍ଥ ଯୋଗୁଁ ବିଧାନସଭା ବିଧାୟକ ଆସନ ପର୍ଯ୍ୟାୟ କ୍ରମେ ପରିବର୍ତନ କରାଯାଉନାହିଁ ବୋଲି ଆଦିବାସୀ ମାନେ କ୍ଷୋଭ ପ୍ରକାଶ କରୁଛନ୍ତି । ଯଦି ସରକାର ଆଦିବାସୀ ମାନଙ୍କ ସାମୁହିକ ବିକାଶ କରିବା ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି ତାହେଲେ ରାଜନୈତିକ କ୍ଷେତ୍ରରେ କାହିଁକି ବଞ୍ଚିତ କରାଯାଇଛି । ପାଟଣାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଧାୟକ ଆସନ ଆଦିବାସୀଙ୍କ ପାଇଁ ସଂରକ୍ଷଣ କରିବା ପାଇଁ ଗତ ତା.୦୧.୦୩.୨୪ ରେ ପାଟଣାଗଡ଼ ଗଡଭିତର ସ୍ଥିତ ପାଟଣେଶ୍ୱରୀ ଉତ୍ସବ ଭବନରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି ନିର୍ବାଚନ ମଣ୍ଡଳୀରେ ନେତୃତ୍ୱ ପରିବର୍ତନ ସହ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଧାୟକ ଆସନ ଆଦିବାସୀଙ୍କ ପାଇଁ ସଂରକ୍ଷଣ କରିବା ପାଇଁ ବିଜୁ ଜନତା ଦଳ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରାଯାଇଥିଲା । ଆଦିବାସୀଙ୍କ ଦାବିକୁ ସବୁ କ୍ଷେତ୍ରରେ ଅଣଦେଖା, ଅବହେଳା କରାଯାଉଥିବାରୁ ଚଳିତ ସାଧାରଣ ନିର୍ବାଚନରେ ଆଦିବାସୀ ଜନସାଧାରଣଙ୍କ ସ୍ବରକୁ ଶାଣିତ କରିବା ପାଇଁ ନୁଆ ଯୁବ ଚେହେରା, ଯୁବ ଆଦିବାସୀ ନେତା ଗିରିରାଜ ଭୋଇ ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଭାବେ ଛିଡ଼ା ହେବା ପାଇଁ ସ୍ଥିର କରିଛନ୍ତି । ଶ୍ରୀ ଭୋଇ ଦୀର୍ଘ ବର୍ଷରୁ ସମାଜସେବା କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରତିପାଦନ କରିବା ସହ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଯୁଗ୍ମ ସମ୍ପାଦକ ଭାବେ କାର୍ଯ୍ୟ କରି ଆସୁଛନ୍ତି | ଆଦିବାସୀ ମାନଙ୍କ ହକ ଅଧିକାର ପାଇବା ପାଇଁ କେତେବେଳେ ରାସ୍ତାରୋକ ଆନ୍ଦୋଳନ, କେତେବେଳେ ବ୍ଲକ କାର୍ଯ୍ୟାଳୟ, କେତେବେଳେ ଉପଜିଲ୍ଲାପାଳ କାର୍ଯ୍ୟାଳୟ, କେତେବେଳେ ଜିଲ୍ଲାପାଳ କାର୍ଯ୍ୟାଳୟ, କେତେବେଳେ ଥାନା ଘେରାଓ, କେତେବେଳେ ଆରକ୍ଷୀ ଅଧିକାରୀ କାର୍ଯ୍ୟାଳୟ ଘେରାଓ କରି ପ୍ରଶାସନକୁ ନାକେଦମ କରିଥାନ୍ତି । ଚାଷୀ ଆନ୍ଦୋଳନ ହେଉ ବା ବଲାଙ୍ଗୀର ଠାରୁ ନୂଆପଡ଼ା ଭାୟା ପାଟଣାଗଡ଼ ନୁଆଁ ରେଳ ଲାଇନ ଆନ୍ଦୋଳନରେ ଆଗଧାଡିରେ ରହି ଆନ୍ଦୋଳନକୁ ଶକ୍ତିଶାଳୀ କରିଥାନ୍ତି । ଜନସାଧାରଣଙ୍କ ମୌଳିକ ଅଧିକାର ପାଇଁ ଅନେକ ପଦଯାତ୍ରା, କରୋନା ସମୟରେ ଦାଦନ ଶ୍ରମିକ ମାନଙ୍କୁ ସୁରକ୍ଷିତ ଭାବେ ଫେରେଇବା ଦାବୀରେ ଗ୍ରୀଷ୍ମ ର ୪୫ଂ ସେଲସିଅସରେ ପଦଯାତ୍ରା କରିବା, ସେତୁ ନିର୍ମାଣ ପାଇଁ ଅନେକ ଜଳସତ୍ୟାଗ୍ରହ କରି ଲୋକପ୍ରିୟତା ହାସଲ କରି ପାରିଛନ୍ତି। ସେହିପରି କରୋନା ସମୟରେ ଡାକ୍ତରଖାନାରେ ରୋଗୀ ଓ ରୋଗୀ ପରିଜନ ମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ, କରୋନା ମୁକାବିଲା କରିବା ପାଇଁ ସଚେତନ, କରୋନା ସମୟରେ ଅସହାୟ ବୃଦ୍ଧ ବୃଦ୍ଧା ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ, ଶୀତ ଦିନରେ ବୃଦ୍ଧ ବୃଦ୍ଧା ଅସହାୟ ମାନଙ୍କୁ ଶୀତ ବସ୍ତ୍ର ବଣ୍ଟନ କରି ଜନସାଧାରଣଙ୍କ ହୃଦୟ ଜିଣି ପାରିଛନ୍ତି । ଶତାଧିକ ଅସହାୟ ଶବ ସତ୍କାର କରି ସମାଜକୁ ସଚେତନ ବାର୍ତ୍ତା ଦେବାରେ ଆଗଭର ହେଇଥାନ୍ତି । କରୋନାରେ ମୃତକ ଶବକୁ ସତ୍କାର କରିବାରେ କେବେ ପଛ ଘୁଞ୍ଚା ଦେଇନଥାନ୍ତି । ଅସହାୟ ରୋଗୀ ମାନଙ୍କ ପାଇଁ ରକ୍ତ ଯୋଗାଡ଼ ଓ ସାହାଯ୍ୟ ସହଯୋଗର ହାତ ବଢେଇବା ଦୈନନ୍ଦିନ କାର୍ଯ୍ୟ । ଶିକ୍ଷା କ୍ଷେତ୍ରରେ ଆଦିବାସୀ ମାନଙ୍କୁ ଆଗେଇ ନେବା ପାଇଁ ସଚେତନ କରି ଗରିବ ଆଦିବାସୀ ପିଲା ଛୁଆଙ୍କର ନାମ ଲେଖେଇବାରେ ସହଯୋଗର ହାତ ବଢ଼େଇ ଥାନ୍ତି । ଗିରିରାଜ ଭୋଇ ସଦାସର୍ବଦା ଦୁଃଖି ଙ୍କ ଦୁଃଖ ସମୟରେ ଛିଡ଼ା ହୋଇ ଆସୁଥିବା ବେଳେ ଅନେକ ଦିନ ହେବ ଗାଁ ଗାଁ ବୁଲି ଆଦିବାସୀ ମାନଙ୍କୁ ସଚେତନ ଏଂବ ସମର୍ଥନ କରି ନିର୍ବାଚନ ରେ ସହଯୋଗ ଭିକ୍ଷା କରୁଥିବା ଦେଖିବାକୁ ମିଳୁଛି । ଶ୍ରୀ ଭୋଇ ବର୍ତମାନ ରାଜ୍ୟସଭା ସାଂସଦ ଥିବା ନିରଞ୍ଜନ ବିଶିଙ୍କ ମଧ୍ୟ ପାଖ ଲୋକ ହୋଇଥିବାରୁ ଏବଂ ସମାଜସେବା କ୍ଷେତ୍ରରେ ଦୀର୍ଘ ବର୍ଷରୁ କାର୍ଯ୍ୟ କରି ଆସୁଥିବାରୁ ଶ୍ରୀ ଭୋଇ ସ୍ୱାଧୀନ ପ୍ରାର୍ଥୀ ଭାବେ ଛିଡ଼ା ହେଲେ ନିଶ୍ଚିତ ଭାବେ ଆଦିବାସୀ ଭୋଟକୁ ପ୍ରଭାବିତ କରିବେ ବୋଲି ଜନସାଧାରଣ ରେ ଚର୍ଚ୍ଚା ହେଉଛି । ଦେଖାଯାଉ ଚଳିତ ସାଧାରଣ ନିର୍ବାଚନରେ ଜଣେ ଆଦିବାସୀ ଶିକ୍ଷିତ ଯୁବ ଉଦୀୟମାନ ନେତାଙ୍କୁ ପାଟଣାଗଡ଼ ନିର୍ବାଚନ ମଣ୍ଡଳୀରେ ଆଦିବାସୀ ତଥା ଜନସାଧାରଣ କେତେ ସଂଖ୍ୟାରେ ମତଦାନ ସାବ୍ୟସ୍ତ କରୁଛନ୍ତି ।

Post a Comment

Previous Post Next Post