ବାଲେଶ୍ୱର, ୯/୮(ଲକ୍ଷ୍ମୀଧର ବାରିକ) ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର ମିଳିତ ଆନୁକୂଲ୍ୟରେ ଆଜି ସ୍ଥାନୀୟ ସଦ୍ଭାବନା ସଭାଗୃହଠାରେ ବିପର୍ଯ୍ୟୟ ବିପଦ ପ୍ରଶମନରେ ଲିଙ୍ଗଗତ ମୁଖ୍ୟସ୍ରୋତ ଆଭିମୁଖ୍ୟ ସମ୍ବନ୍ଧେ ଏକଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ନିରଞ୍ଜନ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ ଡ଼. ଦୁଲାଲସେନ ଜଗଦ୍ଦେବ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀ ସାଇ କୃଷ୍ଣ ଜେନା, ସଦର ବିଡ଼ିଓ ଶ୍ରୀ ସମରଜିତ କର, ସଦର ତହସିଲଦାର ଶ୍ରୀ ଅଶ୍ୱିନୀ ନାୟକ, ଡେପୁଟି କଲେକ୍ଟର ଶ୍ରୀମତୀ ଅସ୍ମିତା ଦାସ, ଆସିଷ୍ଟାଣ୍ଟ କଲେକ୍ଟର ଶ୍ରୀମତୀ ଅଙ୍କିତା ମହାନ୍ତି ପ୍ରମୁଖ ମଞ୍ଚାସୀନ ଥିଲେ । ପ୍ରାକୃତିକ ବିପର୍ଯ୍ୟୟ ସମାଜର ବିଭିନ୍ନ ବର୍ଗ ଉପରେ ପ୍ରଭାବ ପକାଇଥାଏ । ବିପର୍ଯ୍ୟୟ ମୁକାବିଲାରେ ଲିଙ୍ଗ-ସମ୍ବେଦନଶୀଳ ଉପରେ କେମିତି ଗୁରୁତ୍ଵ ଦିଆଯାଇପାରିବ, ଏଥିପାଇଁ ଅଧିକାରୀମାନଙ୍କୁ ଆବଶ୍ୟକ ଜ୍ଞାନ ଏବଂ ଉପକରଣ ଯୋଗାଇ ଦେବା ପାଇଁ ଏହି କର୍ମଶାଳା ପ୍ରସ୍ତୁତ କରାଯାଇଛି । ବିଶେଷକରି ବନ୍ୟା ବାତ୍ୟା ସମୟରେ ମହିଳାମାନେ ଅଧିକ ପ୍ରଭାବିତ ହୋଇଥାନ୍ତି । ଗର୍ଭବତୀ ମହିଳାଙ୍କଠୁ ଆରମ୍ଭ କରି ଗ୍ରାମାଞ୍ଚଳରେ ରହୁଥିବା ମହିଳା ମାନେ ଅସୁବିଧାରେ ପଡିଥାନ୍ତି । ତେଣୁ ସେମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା, ସୁବିଧା ସୁଯୋଗ ଯୋଗାଇ ଦେବାର ଆବଶ୍ୟକତା ରହିଛି । ବିପଦ ହ୍ରାସ କର୍ମଶାଳାରେ ଲିଙ୍ଗଗତ ବିଚାରଧାରାକୁ ମୁଖ୍ୟଧାରାରେ ସାମିଲ କରି ଆମେ ବିପର୍ଯ୍ୟୟ ପ୍ରସ୍ତୁତି, ପ୍ରତିକ୍ରିୟା ଏବଂ ପୁନରୁଦ୍ଧାର ପାଇଁ ଅଧିକ ବ୍ୟାପକ ଏବଂ ସମାନ ଆଭିମୁଖ୍ୟ ସୁନିଶ୍ଚିତ କରିପାରିବା ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ମତପ୍ରକାଶ କରିଥିଲେ ।
ସଂସାଧନ ସଭ୍ୟ ତଥା ଲିଙ୍ଗ ବିଶେଷଜ୍ଞ ଶ୍ରୀ ଆରଣ୍ୟକ ମିଶ୍ର ଉକ୍ତ କର୍ମଶାଳାରେ ବିପର୍ଯ୍ୟୟ ପରିସ୍ଥିତିରେ ଲିଙ୍ଗଭିତ୍ତିକ ଦୁର୍ବଳତା, ସମାବେଶୀ ବିପର୍ଯ୍ୟୟ ପ୍ରସ୍ତୁତି ଓ ଯୋଜନା ପାଇଁ ରଣକୌଶଳ, ଜରୁରୀକାଳୀନ ପରିସ୍ଥିତିରେ ସମ୍ବଳ ଏବଂ ସୂଚନାର ଉପଲବ୍ଧତା ସୁନିଶ୍ଚିତ କରିବା ଓ ଲିଙ୍ଗଗତ ପ୍ରତିକ୍ରିୟାଶୀଳ ପୁନରୁଦ୍ଧାର ଓ ଥଇଥାନ ବ୍ୟବସ୍ଥା ଉପରେ ପ୍ରମୁଖ ଆଲୋଚନା କରିଥିଲେ । ଉପସ୍ଥିତ ବିଭିନ୍ନ ବିଭାଗର ପଦାଧିକାରୀମାନେ ନିଜ ନିଜ ଭୂମିକା ଓ ବିଭାଗ ଭିତରେ ଲିଙ୍ଗଗତ ମୁଖ୍ୟଧାରାର ରଣନୀତି କିପରି କାର୍ଯ୍ୟକାରୀ କରିପାରିବେ ସେନେଇ ସମସ୍ତ ଜ୍ଞାନକୌଶଳ ଉପରେ ଚର୍ଚ୍ଚା କରାଯାଇଥିଲା । ପରିଶେଷରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।
Post a Comment