କିଶୋର ଅପରାଧ ଏକ ସାମାଜିବ ବ୍ୟାଧି


ଆପଣମାନେ ସମସ୍ତେ ପିଲାମାନଙ୍କ ଅପରାଧ ଘଟିବା କଥା ଶୁଣିଥିବେ । ବିଭିନ୍ନ ଟିଭି ଧାରାବାହିକ ବା ସିନେମାରେ ଏହି ଘଟିବା ଦେଖିଥିବେ । ପିଲାଙ୍କ ଦ୍ୱାରା ଘଟୁଥିବା ଅପରାଧକୁ କିଶୋର ଅପରାଧ କୁହାଯାଇଥାଏ । ବର୍ତ୍ତମାନ ଏହି କିଶୋର ଅପରାଧ ସମାଜରେ ଏକ ସାମାଜିକ ବ୍ୟାଧି ସ୍ୱରୂପ ମୁଣ୍ଡ ଟେକି ଉଠିଅଛି । ସାମାଜିକ ଦୃଷ୍ଟିକୋଣରୁ ଯଦି ଆଲୋଚନା କରିବା ଯେତେବେଳେ ପିଲାଟି ସମାଜର ମୂଲ୍ୟବୋଧ,ରୀତି ପରମ୍ପରା ପ୍ରତି ଅସମ୍ମାନ ପ୍ରଦର୍ଶନ କରେ ସେତେବେଳେ ଆମ୍ଭେ ତାକୁ କିଶୋର ଅପରାଧ ବୋଲି କହିଥାଉ । କିନ୍ତୁ ଆଇନଗତ ଦୃଷ୍ଟିକୋଣରୁ ବିଚାର କରିବା ଏହାଠାରୁ ଭିନ୍ନ ଅଟେ । ଯେତେବେଳେ ଏକ ନିର୍ଦ୍ଧିଷ୍ଟ ବୟସ ସୀମା ମଧ୍ୟରେ ଥିବା ପିଲା ରାଷ୍ଟ୍ର ଦ୍ୱାରା ପ୍ରଣୀତ ଆଇନକୁ ଉଲଂଘନ କରେ ସେତେବେଳେ ତାକୁ କିଶୋର ଅପରାଧି କୁହାଯାଏ । କିଶୋର ଅପରାଧ ଏକ ଅସାମାନ୍ୟ, ଅସ୍ୱାଭାବିକ ସାମାଜିକ ବ୍ୟବହାର ଯେଉଁଥିରେ ଏକ ପିଲା ଅପରାଧ ଘଟାଇଥାଏ । ଏହା ଏକ ସାମାଜିକ ବ୍ୟାଧି ଯାହା ସମାଜରେ ବିଘଟନ ଘଟାଇଥାଏ । ଉଭୟ ଅପରାଧ ଏବଂ କିଶୋର ଅପରାଧ ହେଉଅଛି ଅସାମାଜିକ ବ୍ୟବହାର । କିନ୍ତୁ ଏହି ଦୁଇଟି ଧାରଣା ମଧ୍ୟରେ ପାର୍ଥକ୍ୟ ରହିଅଛି । ଅପରାଧ ବୟସ୍କ ମାନଙ୍କ ଦ୍ୱାରା ସଂଘଟିତ ହେଲାବେଳେ କିଶୋର ଅପରାଧ ପିଲାମାନଙ୍କ ଦ୍ୱାରା ଘଟିଥାଏ । ଆମ ଦେଶରେ ୭-୧୭ ବର୍ଷର ପିଲାଙ୍କମାନଙ୍କ ଦ୍ୱାରା ଘଟୁଥିବା ଅପରାଧକୁ କିଶୋର ଅପରାଧ କୁହାଯାଏ । କିଶୋର ଅପରାଧୀମାନେ ବିଭିନ୍ନ ପ୍ରକାର ଅପରାଧ ଯଥା ଚୋରି, ଡକାୟତି,ବେଶ୍ୟାବୃତ୍ତି,ଧର୍ଷଣ, ହତ୍ୟା ଉଦ୍ୟମ ତଥା ପ୍ରତିଶୋଧମୂଳକ ଅପରାଧ ଆଦିରେ ସମ୍ପୃକ୍ତ ରହିଥାନ୍ତି । ସେମାନେ ମଦ୍ୟପାନ ଏବଂ ନିଶାସେବନ ମଧ୍ୟ କରିଥାନ୍ତି । କିଶୋର ଅପରାଧୀମାନେ ସମାଜର ମୂଲ୍ୟବୋଧ ଓ ପ୍ରତିମାନ ସବୁକୁ ଖାତିର କରନ୍ତି ନାହିଁ ସେମାନେ ମୃତ୍ୟୁକୁ ଭି ଭୟ କରନ୍ତି ନାହିଁ । ସେମାନଙ୍କର ନିଜ ପିତାମାତାଙ୍କ ସହ ସମ୍ପର୍କ ମଧ୍ୟ ଭଲ ନଥାଏ । ଏହା ସତ୍ୟ ଯେ ଉପଯୁକ୍ତ ଯତ୍ନ ଯଦି ନିଆଯାଏ ତେବେ କିଶୋର ଅପରାଧୀମାନଙ୍କର ବ୍ୟବହାରରେ ପରିବର୍ତ୍ତନ ହୋଇପାରିବ । ଏପରି ଅନେକ ଉଦାହରଣ ରହିଅଛି ଯେଉଁଥିରେ ଅନେକ ଯୁବ ଅପରାଧୀ ସେମାନଙ୍କର ବ୍ୟବହାର ପରିବର୍ତ୍ତନ କରି ସ୍ୱାଭାବିକ ଏବଂ ନିୟମିତ ଜୀବନଯାପନ କରିଛନ୍ତି । କିନ୍ତୁ କେତେକ କିଶୋର ଅପରାଧୀ ବଡ଼ ବଡ଼ ଅପରାଧଙ୍କ ସଂସ୍ପର୍ଶରେ ଆସି ସେମାନଙ୍କ ଗ୍ୟାଙ୍ଗରେ ଯୋଗ ଦିଅନ୍ତି ଏବଂ ପରବର୍ତ୍ତୀ ଜୀବନରେ ନିଜେ ବଡ଼ ବଡ଼ ଅପରାଧୀ ପାଲଟିଯାନ୍ତି । କିଶୋର ନ୍ୟାୟ ବ୍ୟବସ୍ଥାର ମୌଳିକ ବିଚାର ହେଲା କୌଣସି କିଶୋର କିମ୍ବା ଶିଶୁ ଏପରି ଏକ ସାମାଜିକ କିମ୍ବା ବ୍ୟକ୍ତିଗତ ପରିବେଶରେ ରହିଥାଏ ଯାହାକି ଅପରାଧ କରିବା ପାଇଁ ତାକୁ ପ୍ରୋତ୍ସାହିତ କରିଥାଏ । ସେପରି ଶିଶୁଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ଠୁ ଆରମ୍ଭ କରି ରାଜ୍ୟ ସରକାର ଆଗକୁ ଆସିବା କଥା । ଏହି କିଶୋର ଯିଏକି ଦିନେ ନିଜ ପରିବାର, ସମାଜ ଓ ଦେଶର ଭବିଷ୍ୟତ ହୋଇପାରିଥାନ୍ତି କିନ୍ତୁ କୌଣସି ପରିବେଶର ପ୍ରତିକୂଳ ପ୍ରଭାବ କାରଣ ବଶତଃ ଅପରାଧର ଜାଲରେ ପଡ଼ିଯାଏ, ସେପରି କିଶୋରମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ପୁଣି ସାମିଲ୍ କରିବା ଆମ ସମାଜ ଓ ଦେଶର ଦାୟିତ୍ୱ । ଅପରାଧ କରୁଥିବା କିଶୋରର ଚିନ୍ତାଧାରା ଓ ମାନସିକତା ସେତେ ପରିପକ୍ୱ ହୋଇନଥାଏ ଏବଂ ସେ କରୁଥିବା ଅପରାଧର ପରିଣାମ ସମ୍ପର୍କରେ ମଧ୍ୟ ଜାଣି ପାରେନାହିଁ । ଯଦି ମାତାପିତା ଅନୁଶାସନରେ ଅଭ୍ୟସ୍ତ ଥିବେ ତେବେ ପିଲାମାନେ ମଧ୍ୟ ସେମିତି ଗଢି ଉଠିବେ । ଦୁଃଖର ବିଷୟ ଏହିକିଯେ ଦେଶରେ ବର୍ତ୍ତମାନ ଦିନକୁ ଦିନ ବାଳ ଅପରାଧୀଙ୍କ ସଂଖ୍ୟା ବଢିଚାଲିଛି । ସ୍ମାର୍ଟଫୋନ ଏବଂ ପ୍ରଯୁକ୍ତି କୌଶଳର ବିକାଶ ଯୌନଦ୍ଦୀପକ ସମ୍ପର୍କୀୟ ସାମଗ୍ରୀକୁ ଦ୍ରୁତ ଗତିରେ ସମାଜରେ ପ୍ରସାରିତ ଓ ପ୍ରୋତ୍ସାହିତ କରୁଅଛି । ଏହା ବ୍ୟତୀତ କିଶୋରଅବସ୍ଥାରେ ଶାରୀରିକ ପ୍ରକ୍ରିୟାରେ ପରିବର୍ତ୍ତନ ଯୋଗୁଁ ଅସ୍ଥିରତା, ଘରେ ଓ ପରିବାର ମଧ୍ୟରେ ପ୍ରତିକୂଳ ବାତାବରଣ, ସହପାଠୀ, ବିଦ୍ୟାଳୟର ବାତାବରଣ ଓ ନିଜ ସହିତ ମିଶୁଥିବା ବ୍ୟକ୍ତିବିଶେଷଙ୍କ ବ୍ୟବହାର, ଅପ୍ରାପ୍ତ ଯୌନ ସମ୍ଭୋଗର ସୁଯୋଗ, ସିନେମା ଓ ଟିଭିର କୁପ୍ରଭାବ, ବିଦ୍ୟାଳୟ ତଥା ଟ୍ୟୁସନ୍ ବାତାବରଣ ଓ ନିଜ ସହ ମିଶୁଥିବା ବ୍ୟକ୍ତିବିଶେଷଙ୍କ ବ୍ୟବହାର, ଅପ୍ରାପ୍ତ ଯୌନ ସମ୍ଭୋଗର ସୁଯୋଗ, ସିନେମା ଓ ଟିଭିର କୁପ୍ରଭାବ, ବିଦ୍ୟାଳୟରେ ନିଜର ଅସଫଳତା ଓ ଦାରିଦ୍ର୍ୟତା ଇତ୍ୟାଦି କାରଣ କିଶୋର ଓ ଶିଶୁମାନଙ୍କୁ ଅପରାଧିକ କାର୍ଯ୍ୟକଳାପରେ ସାମିଲ୍ ହେବା ପାଇଁ ବାଧ୍ୟ କରିଥାଏ । ସୁପରିଚାଳିତ ଓ ଉତ୍କର୍ଷ ଗୁଣବତ୍ତା ବିଦ୍ୟାଳୟରେ ପଢ଼ୁଥିବା ଛାତ୍ର ମଧ୍ୟ ଏବେ ହତ୍ୟା ତଥା ସାମୁହିକ ଦୁଷ୍କର୍ମ ପରି ଅପରାଧ କରୁଛନ୍ତି ଏବଂ ୧୮ ବର୍ଷରୁ କମ୍ କିଛି କିଶୋର ନିଶାଦ୍ରବ୍ୟ ସେବନରେ ଅଭ୍ୟସ୍ତ ହୋଇଯାଉଅଛନ୍ତି । ଶିଶୁ ଓ କିଶୋରମାନଙ୍କୁ ଏହି ପ୍ରକାରର ଅପରାଧିକ କ୍ଷେତ୍ରକୁ ନ ଯିବା ପାଇଁ ପରିବାର ମଧ୍ୟରେ ଉପଯୁକ୍ତ ସଂସ୍କାର ଏବଂ ଭାବଧାରାର ଆବଶ୍ୟକତା ରହିଅଛି । ଆଜିକାଲି ପିଲାଙ୍କୁ ବ୍ୟବହାର, ସଂସ୍କାର, ନୈତିକ ମୂଲ୍ୟବୋଧ ଏବଂ ଚାଲିଚଳନ ଉପରେ ଯଥେଷ୍ଟ ଗୁରୁତ୍ୱ ପ୍ରଦାନ କରିବା ଉଚିତ୍ । ସେମାନେ କିଭଳି ନିଜ ପିତାମାତା, ବଡ଼ ଭାଇ ଭଉଣୀ ବଡ଼ ତଥା ଗୁରୁଜନ ବ୍ୟକ୍ତିବିଶେଷଙ୍କୁ ଯଥେଷ୍ଟ ସମ୍ମାନ ଏପରିକି ସେମାନଙ୍କର ସାନ ଭାଇ ଭଉଣୀଙ୍କୁ ସ୍ନେହ ଶ୍ରଦ୍ଧା ପ୍ରଦାନ କରିବାକୁ ସେମାନଙ୍କୁ ଶିକ୍ଷା ପ୍ରଦାନ କରିବା ଉଚିତ୍ । ଦରକାର ପଡିଲେ ସେମାନଙ୍କ ବଡ଼ ଭାଇ ଭଉଣୀ ତଥା ଭଲ କାର୍ଯ୍ୟରେ ରୂଚି ରଖୁଥିବା, ଉଚିତ ବ୍ୟବହାର,ସମ୍ମାନ ତଥା ନୈତିକ ମୂଲ୍ୟବୋଧ ଉପରେ ଜ୍ଞାନ ଥିବା ସମକକ୍ଷ ସାଙ୍ଗସାଥୀଙ୍କ ନିକଟରୁ ମଧ୍ୟ ନିଶ୍ଚିତ ଭାବରେ ନୈତିକ ଚିନ୍ତାଧାରା, ସାମାଜିକ ଶୃଙ୍ଖଳା ବଜାୟ ରଖିବା ତଥା ଅନୁସରଣ କରିବା ଫଳରେ ପିଲାମାନେ ନିଜକୁ ଠିକ୍ ଭାବରେ ଆବିଷ୍କୃତ କରିପାରିବେ ତଥା ସାମାଜିକ ଅପରାଧ ଠାରୁ ଦୂରରେ ରହି ନିଜର ଦାୟିତ୍ୱ ଏବଂ କର୍ତ୍ତବ୍ୟ ପ୍ରତି ସଚେତନ ରହିପାରିବେ ଏଥିରେ ଆଉ ଦ୍ବିମତ ନାହିଁ । ସେମାନଙ୍କୁ ଦେଶର ପ୍ରଖ୍ୟାତ ଆଦର୍ଶ ବ୍ୟକ୍ତିତ୍ୱ ଯେପରିକି ମହାତ୍ମା ଗାନ୍ଧୀ, ଗୋପବନ୍ଧୁ ଦାଶ, ସୁବାଷ ବୋଷ, ସ୍ୱାମୀ ବିବେକାନନ୍ଦ, ଏପିଜେ ଅବଦୁଲ କଲାମ୍ ଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶର ଏକ ସ୍ୱଚ୍ଛ ନାଗରିକ ଭାବରେ ଗଢି ତୋଳିବାକୁ ପରାମର୍ଶ ଦେବା ଉଚିତ୍ । ପରିବାର ମଧ୍ୟରେ ମାତାପିତା ଶିଶୁ କୁ ପ୍ରାଥମିକତା ଦେବା ସହିତ ଶାସନ ବଦଳରେ ବନ୍ଧୁତାସ୍ଥାପନ କରି, ନିଜ ସନ୍ତାନ ପାଇଁ ନିଜେ ଉଦାହରଣ ହୋଇ, ସ୍ୱାର୍ଥତ୍ୟାଗ କରି ନିଜେ ସଚ୍ଚୋଟ ହୋଇ ଉତ୍ସର୍ଗୀକୃତ ମନୋଭାବ ରଖି ମାଡ଼ଗାଳି ବଦଳରେ ସର୍ବଦା ଭୁଲକୁ କଥାବାର୍ତ୍ତା ମାଧ୍ୟମରେ ସମାଧାନ କରିବାକୁ ପଡ଼ିବ। ଏହି ସବୁ ବ୍ୟବସ୍ଥା ସୁଚାରୁରୂପେ ପାଳନ କରିବା ପାଇଁ ଆମ୍ଭଙ୍କୁ ନିଜ ଶିକ୍ଷାନୁଷ୍ଠାନ ସ୍ତରରେ ହେଉ କିମ୍ବା ଟ୍ୟୁସନ ମାଧ୍ୟମରେ ଆମ ଶିକ୍ଷକ,ଶିକ୍ଷୟତ୍ରୀମାନଙ୍କ ଯଥେଷ୍ଟ ଭୂମିକା ରହିବା ଆବଶ୍ୟକ ଯାହାଫଳରେ ପିଲା ଆଉ ଖରାପ ତଥା ଅନୁଚିତ ମାର୍ଗରେ ନ ଯାଇ ଏକ ଉଚିତ ମାର୍ଗରେ ଯାଇ ନିଜକୁ ଏକ ଶୃଙ୍ଖଳିତ ସାମାଜିକ ପ୍ରାଣୀ ଭାବରେ ସମାଜରେ ମୁଣ୍ଡ ଟେକି ଉଠିବ ଏଥିରେ ଆଉ ସନ୍ଦେହ ନାହିଁ । ପରିବାର ତଥା ଅଭୁଭାବକଙ୍କର ଭାଷାଜ୍ଞାନ,ବ୍ୟବହାର ଓ ଚାଲିଚଳଣ ଯେମିତି ସନ୍ତାନମାନଙ୍କ ଉପରେ ପ୍ରଭାବ ପକାଇଥାଏ ସେମିତି ସୁସଂସ୍କାର ମଧ୍ୟ ଗୋଟିଏ ଶିଶୁକୁ ସୁନାଗରିକ କରି ତୋଳିବାରେ ଯଥେଷ୍ଟ ଭୂମିକା ଗ୍ରହଣ କରିଥାଏ । ଯଦି ଜଣେ ବନଅଧିକାରୀ ଗୋଟିଏ ହିଂସ୍ରବାଘୁଣୀ ଶାବକ ଖଇରୀକୁ ନିଜଘରେ ଝିଅପରି ସାତବର୍ଷ (୧୯୭୪-୧୯୮୧)ପାଳନ କରି ତୃଣଭୋଜୀରେ ପରିବର୍ତ୍ତିତ କରିପାରିଲେ, ଯଦି ନନ୍ଦନକାନନର ଗୋଟିଏ ଖୁଆଡ଼ରେ ଗଧିଆ, ଭାଲୁ ଓ ସିଂହ ଶାବକମାନେ ଏକାଠି ରହି ଖେଳି ପାରୁଛନ୍ତି, ତାହାହେଲେ ଆମେ କଣ ଆମଘରେ ଆମ ସନ୍ତାନମାନଙ୍କୁ ଉପଯୁକ୍ତ ସଂସ୍କାର, ଶିକ୍ଷା ଓ ଆଧ୍ୟାରିକତା ମନୋଭାବ ଜାଗ୍ରତ କରାଇ ଅପରାଧି ହେବାରୁ ବଞ୍ଚାଇ ପାରିବା ନାହିଁ କାହିଁକି ? ଆସନ୍ତୁ ସମସ୍ତେ ମିଶି ଆଉ ବିଳମ୍ବ ନ କରି ଆମ୍ଭେ ପ୍ରାଥମିକ ସ୍ତରରୁ ହିଁ ଆମ ସମାଜକୁ କିଶୋର-ଅପରାଧରୁ ମୁକ୍ତ କରିବା ପାଇଁ ଯଥେଷ୍ଟ ଦୃଢ ମନୋଭାବ ପୋଷଣ କରିବା ଯାହା ଭବିଷ୍ୟତରେ ଏକ ସୁସ୍ଥ ସମାଜ ଗଠନ କରିବାରେ ସମର୍ଥ ହୋଇପାରିବ ।
  

     *ଲେଖକ: ତ୍ରିନାଥ ପଟ୍ଟନାୟକ*
      *(ଯୁବ ଅଧ୍ୟାପକ ତଥା ଶିଶୁ ପ୍ରାବନ୍ଧିକ)*
    *ଶ୍ରୀ ରାଧାକୃଷ୍ଣ କନିଷ୍ଠ ମହାବିଦ୍ୟାଳୟ,ପାଡ଼ୱା, ଜିଲ୍ଲା:କୋରାପୁଟ*
  *ରାଜ୍ୟ:ଓଡିଶା*
    *ଦୂରଭାଷ:୯୪୩୮୩୬୨୧୭୨*

Post a Comment

Previous Post Next Post