ନୁଆପଡ଼ା ଜିଲ୍ଲାରେ ସ୍ଵାସ୍ଥ୍ୟସେବା ବିପର୍ଯ୍ୟସ୍ତ


ନୂଆପଡ଼ା (ବିରବଲ ପ୍ରଧାନ) ନୂଆପଡା ଜିଲାରେ ଡାକ୍ତର ଅଭାବରୁ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି। ଆବଶ୍ୟକ ଡାକ୍ତର ଅଭାବରୁ ସାମାନ୍ୟ ରୋଗୀଙ୍କୁ ମଧ୍ୟ ବୁର୍ଲା କିମ୍ବା ରାୟପୁର ସ୍ଥାନାନ୍ତର ହେବାକୁ ପଡୁଛି। ଭିତ୍ତିଭୂମି ରହିଛି ହେଲେ କାମରେ ଆସୁନି । ବାହାରୁ ଚକାଚକ ଦିଶୁଛି ଭିତରେ ଫମ୍ପା। ଜିଲା ମୁଖ୍ୟାଳୟରେ ରୋଗୀଙ୍କୁ ସର୍ବୋତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ୩ଶହ ଶଯ୍ୟା ବିଶିଷ୍ଟ ୭ ମହଲା କୋଠା ସରକାରଙ୍କ ପକ୍ଷରୁ ନିର୍ମାଣ ହୋଇଛି। ଆବଶ୍ୟକ ଡାକ୍ତର ଯୋଗାଇ ଦିଆ ଯାଉନାହିଁ । ଚକାଚକ କୋଠାକୁ ଦେଖି ଲୋକେ ରୋଗୀ ସେବା ଭଲ ହେଉଥିବା ଭାବି ଡାକ୍ତରଖାନାକୁ ଆସୁଛନ୍ତି। ସେବା ନ ପାଇ ନିରାଶ ହୋଇ ଫେରି ଯାଉଛନ୍ତି। ନ ହେଲେ ସାମାନ୍ୟ ରୋଗଙ୍କୁ ମଧ୍ୟ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି। ଅଲଟ୍ରାସାଉଣ୍ଡ, ଡାଇଲାସିସ, ସୋନୋଗ୍ରାଫି ବ୍ୟବସ୍ଥା ନ ଥିବାରୁ ଲୋକେ ଅଧିକ ଖର୍ଚ୍ଚାନ୍ତ ହେବା ସହ ଦୁର ସ୍ଥାନକୁ ହଇରାଣ ହୋଇଯିବାକୁ ପଡ଼ୁଛି। ନୂଆପଡା ଜିଲାରେ ଗୋଟେ ଜିଲା ମୁଖ୍ୟ ଚିକିତ୍ସାଳୟ ନୂଆପଡା, ଗୋଟିଏ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ର ଖଡିଆଳ, ୬ଟି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଓ ୧୮ଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରହିଥିବା ବେଳେ ମାତ୍ର ୧୧୪ଜଣ ଡାକ୍ତର ରହିଛନ୍ତି। ଜିଲାରେ ମଞ୍ଜୁରିପ୍ରାପ୍ତ ଡାକ୍ତର ସଂଖ୍ୟା ମୋଟ ୨୫୧ଜଣ ଡାକ୍ତର ସ୍ଥାନରେ ୧୧୪ଜଣ ରହିଛନ୍ତି। ୧୩୭ଜଣ ଡାକ୍ତର ପଦବୀ ଖାଲି ପଡିଛି। ଜିଲାରେ ୪୫.୪% ଡାକ୍ତର ରହିଥ‌ିବା ବେଳେ ୫୪.୬ %ପଦବୀ ଖାଲି ପଡିଥିବାରୁ ରୋଗୀ ସେବା କିପରି ଚାଲିଥିବ ସହଜେ ଅନୁମେୟ। ଜିଲା ମୁଖ୍ୟାଳୟରେ ୩ଜଣ ଭେଷଜ ବିଶେଷଜ୍ଞ, ଜଣେ ଅସ୍ଥିଶଲ୍ୟ ବିଶେଷଜ୍ଞ, ୨ଜଣ କର୍ଣ୍ଣ ଗଳା ନାସା ବିଶେଷଜ୍ଞ, ଜଣେ ନଶ୍ଚେତକ ବିଶେଷଜ୍ଞ, ଜଣେ ଚକ୍ଷୁ ବିଶେଷଜ୍ଞ, ଜଣେ ଶିଶୁ ରୋଗ ବିଶେଷଜ୍ଞ, ୨ଜଣ ସ୍ତ୍ରୀ ଓ ପ୍ରସ୍ତୁତି ରୋଗ ବିଶେଷଜ୍ଞ, ଜଣେ ରୋଗ ନିଦାନ ବିଶେଷଜ୍ଞ, ଜଣେ ସୂକ୍ଷ୍ମଜୀବ ବିଜ୍ଞାନ ବିଶେଷଜ୍ଞ, ଜଣେ ଅସ୍ତ୍ରୋପଚାର ବିଶେଷଜ୍ଞ, ୧୫ଜଣ ବିଶେଷଜ୍ଞଙ୍କ ସମେତ ୧୪ଜଣ ସାଧାରଣ ବର୍ଗ ଡାକ୍ତର ରୋଗୀ ସେବା କରୁଛନ୍ତି। ଯକ୍ଷ୍ମା ଓ କୁଷ୍ଠ ରୋଗ ବିଭାଗରେ ଡାକ୍ତର ମଧ୍ୟରୁ ୩ଟି ପଦ ଖାଲି ପଡିଛି। ୨୦ଟି ଆୟୁଷ ଡାକ୍ତର ମଧ୍ୟରୁ ଗୋଟିଏ ଖାଲି ରହିଛି। ସେହିପରି ୪୬ଟି ଫର୍ମସିଷ୍ଟ ପଦବୀ ମଧ୍ୟରୁ ୧୧ଟି ଓ ୨୨୯ଟି ଅଫିସର ପଦବୀରୁ ୧୮ଟି ପଦବୀ ଖାଲି ପଡିଛି। ଏ ସଂକ୍ରାନ୍ତରେ ଜିଲା ମୁଖ୍ୟ ଚିକିତ୍ସାଅଧୁକାରୀ ଧରଣୀଧର ସେନାପତିଙ୍କୁ ପଚାରିବାରୁ ଏହି ବିଷୟ ପ୍ରତି ସରକାରଙ୍କୁ ଲିଖିତ ଭାବରେ ଜଣାଇଛୁ। ବର୍ତ୍ତମାନ ସୁଧା ରୋଗୀ ସେବା ଭଲ ଭାବେ ଚାଲିଛି ବୋଲି କହିଥିଲେ।

Post a Comment

Previous Post Next Post