ବାଲେଶ୍ଵର,୩/୮(ଲକ୍ଷ୍ମୀଧର ବାରିକ): ଲଘୁଚାପ ଜନିତ ବର୍ଷାରେ ଖଇରା ବଜାର ସମେତ ଆଖପାଖ ଗ୍ରାମରେ କୁତ୍ରିମ ବନ୍ୟା ସୃଷ୍ଟି ହୋଇ ଚାଷୀଙ୍କ ସମେତ ବ୍ୟବସାୟୀଙ୍କ କୋଟି କୋଟି ଟଙ୍କା କ୍ଷତିହୋଇଛି।କ୍ଷତି ହୋଇଥିବା ବ୍ୟବସାୟୀଙ୍କ କ୍ଷତିପୂରଣ ଏବଂ ଖଇରା ବଜାରରେ ଜଳ ନିଷ୍କାସନର ସ୍ଥାୟୀ ସମାଧାନ ଦାବିରେ ବିଜେପି ରାଜ୍ୟ ମୁଖପାତ୍ର ଠାକୁର ରଞ୍ଜିତ ଦାସଙ୍କ ନେତୃତ୍ୱରେ ସ୍ଥାନୀୟ ବ୍ୟବସାୟୀ ଏବଂ ବରିଷ୍ଠ ନାଗରିକଙ୍କୁ ନେଇ ବଜାର ସ୍ଥିତ ଦୁର୍ଗାମଣ୍ଡପରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦାସ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ପ୍ରଶ୍ନକରିବା ସହିତ ସ୍ଥାନୀୟ ବିଧାୟକ, ଶାସକ ଦଳର ନେତା ଓ ପ୍ରଶାସନିକ ଅଧିକାରୀମାନେ ରିଲିଫ ଟଙ୍କା ଖାଇବା ପାଇଁ ଏଭଳି ବନ୍ୟାକୁ ଅପେକ୍ଷା କରିଥିବା ପ୍ରକାଶ କରିବା ସହିତ ବନ୍ୟାରେ କ୍ଷତି ଭୋଗୁଥିବା ଲୋକଙ୍କୁ ରାଜ୍ୟ ସରକାର ତୁରନ୍ତ ସହାୟତା ଯୋଗାଇ ଦେବାକୁ ଦାବିକରିଛନ୍ତି।ଖଇରା ଅଞ୍ଚଳରେ ଅସରାଏ ବର୍ଷାରେ ବାରମ୍ବାର ବନ୍ୟା ଉପୁଜିଥିବା ବେଳେ ଏହାର ସ୍ଥାୟୀ ସମାଧାନ ପାଇଁ ସ୍ଥାନୀୟ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଏବଂ ସ୍ଥାନୀୟ ପ୍ରଶାସନ କାହିଁକି ପଦକ୍ଷେପ ନେଉନାହାଁନ୍ତି ବୋଲି ପ୍ରଶ୍ନ କରିବା ସହିତ ଯେଉଁମାନେ ଏହି କୃତିମ ବନ୍ୟପାଇଁ ଦାୟୀ ସରକାର ତୁରନ୍ତ ସେମାନଙ୍କୁ ଦଣ୍ଡ ଦେବାକୁ ଦାବି କରିଥିଲେ।ଦୀର୍ଘ ୨୨ବର୍ଷ ଧରି ଆମ୍ବହୋତା କେନାଲ କାର୍ଯ୍ୟ ଚାଲିଥିଲେବି ଏହା ସମ୍ପୂର୍ଣ୍ଣ ହେଉନଥିବାରୁ ପ୍ରତ୍ୟକ ବର୍ଷ ଏପରି କୁତ୍ରିମ ବନ୍ୟା ସୃଷ୍ଟି ହୋଇ ଖଇରା ଅଞ୍ଚଳର ୧୫ରୁ ଉର୍ଦ୍ଧ୍ବ ପଞ୍ଚାୟତର ଶହ ଶହ ହେକ୍ଟର ଚାଷ ନଷ୍ଟ ହେବା ସମେତ ଅନେକଙ୍କ ଘରଦ୍ୱାର ଭାଙ୍ଗିବା ସହିତ ଅନେକ କ୍ଷୟକ୍ଷତି ହେଉଥିବା ଶ୍ରୀ ଦାସ ଅଭିଯୋଗ କରିବା ସହିତ ଦୀର୍ଘଦିନ ଧରି ପରିବାରବାଦ ରାଜନୀତି କରି ସ୍ଥାନୀୟ ବିଧାୟକ ଦିନରେ ଲଣ୍ଠନ ଦେଖାଇ ଖଇରା ବାସୀଙ୍କୁ ଧୋକା ଦେଉଥିବା କହିଥିଲେ।ଅନ୍ୟପଟେ ଗତ ବର୍ଷ ଏଭଳି ବନ୍ୟା ସୃଷ୍ଟି ହୋଇ ଖଇରା ବଜାରରେ ଥିବା ୪ଶହରୁ ଉର୍ଦ୍ଧ୍ବ ଦୋକାନୀଙ୍କ କୋଟି କୋଟି ଟଙ୍କା କ୍ଷୟକ୍ଷତି ହୋଇଥିବାବେଳେ ସ୍ଥାନୀୟ ବିଧାୟକ ଏବଂ ପ୍ରଶାସନିକ ଅଧିକାରୀମାନେ କ୍ଷତିପୂରଣ ଦେବେ ବୋଲି ଏପର୍ଯ୍ୟନ୍ତ ମିଳିନଥିବାବେଳେ ପୁଣି ଚଳିତ ବର୍ଷ ବନ୍ୟାରେ କୋଟି କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ବେଳେ ବ୍ୟବସାୟୀମାନେ କିପରି ଋଣ ପରିଶୋଧ କରିବେ ଚିନ୍ତାରେ ଥିବାବେଳେ ଆଗାମୀ ଦିନରେ ସରକାରୀ ସହାୟତା ନମିଳିଲେ ଆତ୍ମହତ୍ୟା ପନ୍ଥା ଅପଣେଇବେ ବୋଲି ଚେତାବନୀ ଦେଇଛନ୍ତି।ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ମୁଖପାତ୍ର ଶ୍ରୀ ଦାସଙ୍କ ସମେତ ବିଜେପି ମଣ୍ଡଳ ପ୍ରଭାରୀ ଅଜୟ ବେହେରା, ଖଇରା କାଳୀପୂଜା କମିଟି ସଭାପତି ରବୀନ୍ଦ୍ର ବିଶ୍ୱାଳ,ନହଙ୍ଗ ସମିତିସଭ୍ୟ ଅଜିତ ଦାସ,ଆଇନଜୀବୀ ଉପେନ୍ଦ୍ର ଭୂୟାଁ,ବ୍ୟବଶାୟୀ ପ୍ରଶାନ୍ତ ବେହେରା,ଜିତେନ୍ଦ୍ର ରାଉତ,ପ୍ରଦୀପ ନାୟକ,ଯୋଗେନ୍ଦ୍ର ପରିଡ଼ା, ସୁବାଷ ପ୍ରଧାନ,ଅଧେସ୍ କୁମାର ଦାସ,ଲକ୍ଷ୍ମୀକାନ୍ତ ସାମଲ,ମଦନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
ଖଇରା ବଜାରର ବ୍ୟବସାୟୀଙ୍କ କ୍ଷତିପୂରଣ ଏବଂ ଜଳ ନିଷ୍କାସନର ସ୍ଥାୟୀ ସମାଧାନ ଦାବିରେ ବିଜେପି ମୁଖପାତ୍ରଙ୍କ ସାମ୍ବାଦିକ ସମ୍ମିଳନୀ।
ଆଜତକ ଓଡ଼ିଶା
0
Post a Comment