ଜୁନାଗଡଠାରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର


ଭବାନୀପାଟଣା ୧୮/୦୮ (ଶ୍ୟାମସୁନ୍ଦର ମାଝୀ) ଆଜି ଜୁନାଗଡ ସହର ସ୍ଥିତ ଟାଉନହଲ ଠାରେ ଏକ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମାନ୍ୟବର ବିଧାୟକ ଜୁନାଗଡ ତଥା ପୂର୍ବତନ ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ହିତାଧିକାରୀଙ୍କୁ ସହାୟତା ରାଶି ବଣ୍ଟନ କରିଥିଲେ । ଅନ୍ୟତମ ଅତିଥି ରୂପେ ବ୍ଲକ ଅଧ୍ୟକ୍ଷା ସବିତା ମେହେର , ଜୁନାଗଡ ଏନ ଏ ସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲ , ଭବାନୀପାଟଣା ସମବାୟ ବ୍ୟାଙ୍କ ସଭାପତି ଗିରିଶ ଚନ୍ଦ୍ର ବେହେରା , ଶ୍ରମିକ ନେତା ବିରଞ୍ଚି ପଣ୍ଡା , ଆଇନଜୀବୀ ଶିଶିର ପଟ୍ଟନାୟକ , ଡିଭିଜନାଲ ଶ୍ରମ କମିଶନର ନରେନ୍ଦ୍ର ରାଇକା , ଡି.ଆଇ.ପି.ଆର.ଓ.ମନୋଜ ବେହେରା , ଜିଲ୍ଲା ଶ୍ରମ ଅଧିକାରୀ ସୁବାସ ଚନ୍ଦ୍ର ମଣ୍ଡଲ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି କ୍ୟାପଟେନ ମିଶ୍ର ନିଜ ବକ୍ତବ୍ୟରେ ଓଡିଶା ସରକାର ନିର୍ମାଣ ଶ୍ରମିକମାନଙ୍କ ପାଇଁ ବିଭିନ୍ନ ସହାୟତା ଯୋଜନା ପ୍ରଣୟନ କରିଛନ୍ତି ,ଏହାର ସୁଫଳ ପାଇବା ପାଇଁ ନିଜକୁ ନିର୍ମାଣ ଶ୍ରମିକ ରୂପେ ପଞ୍ଜୀକୃତ କରନ୍ତୁ ବୋଲି କହିଥିଲେ । ବକ୍ତାଗଣ ଏହି ସହାୟତା ଯୋଜନା ଯେଭଳି ଗାଁ ଗାଁ ରେ ବିଶେଷ ପ୍ରଚାର ହେବ ଏବଂ ଅଧିକରୁ ଅଧିକ ଶ୍ରମିକ ପୋର୍ଟାଲ ରେ ପଞ୍ଜୀକୃତ କରି ସରକାରଙ୍କ ଏହି ଯୋଜନାରୁ ଆର୍ଥିକ ସହାୟତା ପାଆନ୍ତୁ ବୋଲି ମତ ଦେଇଥିଲେ । ଡି.ଏଲ.ଓ. ଶ୍ରୀ ମଣ୍ଡଲ ନିର୍ମାଣ ଶ୍ରମିକମାନଙ୍କ ପାଇଁ ଶିକ୍ଷା ସହାୟତା,ମୃତ୍ୟୁକାଳୀନ ସହାୟତା ,ଅନ୍ତେଷ୍ଟିକ୍ରିୟା ସହାୟତା , ବିବାହ ସହାୟତା ,ପ୍ରସୂତିକାଳୀନ ସହାୟତା ଉପରେ ବିଶେଷ ସୂଚନା ଦେଇଥିଲେ । ଆଜି ଶିବିରରେ ୭୬ ଜଣଙ୍କୁ ଶିକ୍ଷା ସହାୟତା ରୂପେ ୬,୩୮,୪୦୦/- ଟଙ୍କା , ବିବାହ ସହାୟତା ରୂପେ ୪୧ ଜଣଙ୍କୁ ୨୦,୦୦,୦୦୦/- ଟଙ୍କା , ପ୍ରସୂତିକାଳୀନ ସହାୟତା ରୂପେ ୫ ଜଣଙ୍କୁ ୫୦,୦୦୦/- ଟଙ୍କା , ଅନ୍ତେଷ୍ଟିକ୍ରିୟା ସହାୟତା ରୂପେ ୩୦ ଜଣଙ୍କୁ ୧,୫୦,୦୦୦/- ଟଙ୍କା, ମୃତ୍ୟୁକାଳୀନ ସହାୟତା ରୂପେ ୩୬ ଜଣଙ୍କୁ ୭୧,୦୦,୦୦୦/- ଟଙ୍କା ; ଏଭଳି ମୋଟ ୧୮୮ ଜଣଙ୍କୁ ୯୯,୩୮,୪୦୦/- ଟଙ୍କା ସହାୟତା ରାଶି ଡି.ବି.ଟି ମଧ୍ୟମରେ ହିତାଧିକାରୀଙ୍କ ଜମା ଖାତାକୁ ପ୍ରେରଣ କରାଗଲା । ମଞ୍ଚରେ ମୃତ୍ୟୁକାଳୀନ ସହାୟତା ରୂପେ କୁଲିହାରୀ ଗ୍ରାମର ପୁଷ୍ପାଞ୍ଜଳି ଶାହାଣି ଓ ଦେଦର ଗ୍ରାମ ର ଅସମତି ମାଝି ପ୍ରତ୍ଯେକ ୨,୦୦,୦୦୦/- ଟଙ୍କା , ଅନ୍ତେଷ୍ଟିକ୍ରିୟା ସହାୟତା ରୂପେ ବିଳାସିନୀ ମାସାଙ୍କୁ ୫,୦୦୦/- ଟଙ୍କା , ପ୍ରସୂତିକାଳୀନ ସହାୟତା ରୂପେ ବ୍ରାହ୍ମଣିଗୁଡାର ପୋଡା ପାତ୍ର ଓ ପୁଷ୍ପାଞ୍ଜଳି ସାହୁ ପ୍ରତ୍ୟେକ ୧୦,୦୦୦/- ଟଙ୍କା, ବିବାହ ସହାୟତା ରୂପେ ନୀଳାମ୍ବର ସାହୁ ଓ ରାଜମଣି ସାହୁ ପ୍ରତ୍ୟେକ ୫୦,୦୦୦/- ଟଙ୍କାର ଡେମୋ ଚେକ ମୁଖ୍ୟ ଅତିଥି ବିତରଣ କରିଥିଲେ । ଶିବିରରେ ଗଣମାଧ୍ୟମ ପ୍ରତିନିଧୀ , ଟ୍ରେଡ ୟୁନିୟନ ସଭ୍ୟଙ୍କ ସହ ପ୍ରାୟ ୩୦୦ ଜଣ ଶ୍ରମିକ ଭାଇ ଭଉଣୀ ଉପସ୍ଥିତ ଥିଲେ ।

Post a Comment

Previous Post Next Post