କଳା ଓ କଳାକାର ବିକାଶ ପରିଷଦ ପକ୍ଷରୁ କଳାକାର ସମାବେଶ ଅନୁଷ୍ଠିତ


ଜଳେଶ୍ୱର, ୦୪|୦୭ (ଜଗନ୍ନାଥ ଗୋଛାୟତ) ଜଳେଶ୍ୱର ବ୍ଲକ କାଳିକ ପଂଚାୟତର ହାତିଗଡ ସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ ୪ତାରିଖ ମଙ୍ଗଳବାର ଦିନ କଳା ଓ କଳାକାର ବିକାଶ ପରିଷଦ ପକ୍ଷରୁ ଏକ କଳାକାର ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳେ କଳାକାର ମାନଙ୍କ ଦ୍ୱାରା ମୈତ୍ରୀ, ପ୍ରଗତି, ସଂସ୍କୃତି ଓ ଭାଇଚାରାର ମହାମିଳନ ଖୋର୍ଦ୍ଦାର ପାଇକ ଆଖଡା, ଗଂଜାମର ଲୋକବାଦ୍ୟ ସହିତ ଆମ ଅଂଚଳର ବିଭିନ୍ନ ଲୋକବାଦ୍ୟ ଓ ଲୋକନୃତ୍ୟ ସହିତ ଏକ ବିରାଟ ଶୋଭାଯାତ୍ରା ରାଇବଣିଆ ଦୁର୍ଗ ତୋରଣ ନିକଟରୁ ବାହାରି କଲ୍ୟାଣ ମଣ୍ଡପ ପର୍ଯ୍ୟନ୍ତ ଅସିଥିଲା । ଏହି ସମାବେଶକୁ ଫକୀର ମୋହନ ବିଶ୍ୱ ବିଦ୍ୟାଳୟର କୁଳପତି ସନ୍ତୋଷ କୁମାର ତ୍ରୀପାଠୀ ଉଦ୍ଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଜଳେଶ୍ୱର ବ୍ଲକ ସଭାପତି ମାନସ କୁମାର ଜେନା ଯୋଗଦେଇ କଳା ଓ କଳାକାର ବିନା ଆମ ସଂସ୍କୃତି ବଂଚିପାରିବ ନାହିଁ ବୋଲି ମତ ପ୍ରକାଶ କରିବା ସହିତ କଳା ଓ କଳାକାରର ବିକାଶ ପାଇଁ ରାଜ୍ୟ ସରକାର ସତତ ଚେଷ୍ଟିତ ଥିବା ବେଳେ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଆମ ଅଂଚଳର ପ୍ରତିନିଧିତ୍ୱ କରୁଥିବାରୁ ନିଶ୍ଚିତ ଭାବେ ବାଲେଶ୍ୱର କଳାକାର ମାନଙ୍କର ଉନ୍ନତି ପ୍ରତି ପଦକ୍ଷେପ ନେବେ ବୋଲି ପ୍ରକାଶ କରିଥିଲେ । ମୁଖ୍ୟ ବକ୍ତା ଭାବେ ସମ୍ବକାର ତଥା ସମାଜସେବୀ ସୁଦର୍ଶନ ଦାସ ଯୋଗଦେଇ କଳା ବିନା ଆମ ସଂସ୍କୃତି ବଂଚି ପାରିବ ନାହିଁ ବୋଲି ମତ ପ୍ରକାଶ କରିବା ସହିତ କଳାର ବିକାଶ ଅତ୍ୟନ୍ତ ଜରୁରି ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ରକ୍ତଦାତା ସଂଘର ଉପସଭାପତି ସୁମନ୍ତ ଜେନା, କଳାକାର ବିଜୟ କୁମାର ଘୋଷ, ବାସୁଦେବ ନାଥ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଆୟୋଜିତ ସଭାରେ ଜିଲ୍ଲା ରକ୍ତଦାତା ସଂଘର ସଭାପତି କମଳ ଚକ୍ରବର୍ତୀ ସଭାପତିତ୍ୱ କରିଥିବା ବେଳେ ପରିଷଦର ସଂପାଦକ ମନୋରଂଜନ ଦାସ ଅତିଥି ମାନଙ୍କୁ ମଂଚ ଆହ୍ୱାନ ଓ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ପରିଷଦର ସଭାପତି ଚନ୍ଦ୍ର ମୋହନ ରାଉଳ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଶେଷରେ ମନୋରଂଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମାବେଶରେ ଖୋର୍ଦ୍ଦାର ପାଇକ ଆଖଡା, ଗଂଜାମ ଲୋକବାଦ୍ୟ, ଗୋଟିପୁଅ ନୃତ୍ୟ, ଆମ ଅଂଚଳର ଲୋକବାଦ୍ୟ ଓ ଲୋକନୃତ୍ୟ କଳାକାର ମାନେ ଯୋଗଦେଇ କଳା ପ୍ରଦର୍ଶନ କରିଥିଲେ । ଏହି ଅବସରରେ ବିଭିନ୍ନ ଅନୁଷ୍ଠାନର କର୍ମକର୍ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Post a Comment

Previous Post Next Post