ବାଲେଶ୍ବର,୧୯/୭ (ଲକ୍ଷ୍ମୀଧର ବାରିକ) ବାଲେଶ୍ବର ସହର ଈଷାନେଶ୍ବର ମନ୍ଦିର ଠାରୁ ଅଳ୍ପକିଛି ଦୂର ଫକୀରମୋହନ ନଗର ପ୍ରବେଶ ପଥରେ ୫ ଡିସିମିଲ୍ ଜାଗା ଚିହ୍ନଟ କରାଯାଇ ସେଠାରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ଏକ ପାଠାଗାର ଏବଂ କମ୍ୟୁନିଟି ଗୃହ କରାଯିବାକୁ ୪ ଲକ୍ଷ ଟଙ୍କାର ବ୍ୟୟ ଅଟକଳରେ ଏକ ପ୍ରକଳ୍ପର ଶିଳାନ୍ୟାସ କରାଯାଇଥିଲା। ହେଲେ ଏବେ ସେଠାରେ ସ୍ଥାନୀୟ ପଞ୍ଚାୟତ ପକ୍ଷରୁ କିଛି ଦୋକାନଗୃହ ନିର୍ମାଣ କରାଯାଉଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିବା ସହିତ ଜିଲ୍ଲାପାଳଙ୍କ ଠାରେ ଦ୍ବାରସ୍ଥ ହୋଇ ଏ ସମ୍ପର୍କରେ ଅଭିଯୋଗ କରିଛନ୍ତି। ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁଯାୟୀ, ଫକୀରମୋହନ ନଗରକୁ ରାସ୍ତାଘାଟ ଅଣଓସାରିଆ ହୋଇଥିବା ବେଳେ ଏ ସ୍ଥାନରେ ଦୋକାନଗୃହ ନିର୍ମାଣ କରାଗଲେ ରାସ୍ତା ଆହୁରି ସଂକୀର୍ଣ୍ଣ ହୋଇଯିବ। ଦୁଇଚକିଆ ଓ ଚାରିଚକିଆ ଯାନବାହନ ମଧ୍ୟ ଯିବାଆସିବାରେ ବହୁ ଅସୁବିଧା ହେବ। ପାଠାଗାର କିମ୍ବା କମ୍ୟୁନିଟି ସେଣ୍ଟର ହେଲେ ଏଠାରେ ଅଞ୍ଚଳର ବିଭିନ୍ନ ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମ ହେବା ସାଙ୍ଗକୁ ସଭାସମିତି ଆଦି କରାଯାଇପାରିବ। ପାଠାଗାରରେ ଅବସରପ୍ରାପ୍ତ ବ୍ୟକ୍ତି, ଛାତ୍ରଛାତ୍ରୀ, ମହିଳାମାନେ ବିଭିନ୍ନ ଅବସର ସମୟ କାଟିବା ପାଇଁ ବିଭିନ୍ନ ପୁସ୍ତକ ଓ ଖବରକାଗଜ ଆଦି ପଢ଼ିବାର ସୁଯୋଗ ପାଇପାରିବେ। ତେଣୁ ଜିଲ୍ଲାପାଳ ଏହାର ବିଚାର କରି ତୁରନ୍ତ ସେ ସ୍ଥାନରୁ ନିର୍ମାଣଧୀନ ଦୋକାନଗୃହକୁ ବନ୍ଦ କରି ପ୍ରସ୍ତାବିତ ପାଠାଗାର ଓ କମ୍ୟୁନିଟି ଗୃହର ନିର୍ମାଣ କାମ ଆରମ୍ଭ କରିବାକୁ ଧୀରେନ୍ଦ୍ର କୁମାର ପଣ୍ଡା, ଚିତ୍ତରଂଜନ ବାରିକ, କ୍ୟାପଟେନ୍ ଚନ୍ଦ୍ରମଣି ମହାପାତ୍ର, ଯୁଧିଷ୍ଠିର ନନ୍ଦ, ଏସ୍କେ ପଣ୍ଡା, ପିକେ ବର୍ଦ୍ଧନ, ଗୟାଧର ସେଠୀ, ଜ୍ୟୋତ୍ସ୍ନାରାଣୀ ଉପାଧ୍ୟାୟ ପ୍ରମୁଖ ଦାବି କରିଥିଲେ। ଜିଲ୍ଲାପାଳ ମଧ୍ୟ ଏ ସମ୍ପର୍କରେ ଅବଗତ ହେବା ପରେ ରେମୁଣା ତହସିଲଦାର ଓ ବିଡିଓଙ୍କୁ ଘଟଣା ଉପରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ପାଠାଗାର ଓ କମ୍ୟୁନିଟି ଗୃହ ପାଇଁ ଶିଳାନ୍ୟାସ କଲେ ନିର୍ମାଣ ହେଉଛି ଦୋକାନଗୃହ, ଅଞ୍ଚଳବାସୀଙ୍କ ଅସନ୍ତୋଷ
ଆଜତକ ଓଡ଼ିଶା
0
Post a Comment