ବାଲେଶ୍ଵର,୧୯/୭(ଲକ୍ଷ୍ମୀଧର ବାରିକ) : ରେମୁଣା ବ୍ଲକ ଚଷାଖଣ୍ଡ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରକୃତ ହିତାଧିକାରୀଙ୍କୁ ସାମିଲ କରାଯାଉନାହିଁ। ଶାସକଦଳର ସ୍ଥାନୀୟ ନେତା ଏବଂ ତଦନ୍ତକାରୀ ଅଧିକାରୀମାନଙ୍କ ମଧୁଚନ୍ଦ୍ରିକା ଯୋଗୁ ଏହି ଯୋଜନା ସେଠାରେ ବାଟମାରଣା ହେବା ସହିତ ସରକାରୀ ଅର୍ଥ ଚଳୁ ହେଉଛି। ଏହାର ପ୍ରତିବାଦରେ ଆଜି ପଞ୍ଚାୟତର ବହୁ ହିତାଧିକାରୀ ରେମୁଣା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ସହିତ ସେମାନଙ୍କୁ ଅଧିକାର ମିଳିବା ପାଇଁ ଦାବି କରିଛନ୍ତି। ହିତାଧିକାରୀଙ୍କ ଅଭିଯୋଗ ଅନୁଯାୟୀ, ଗତ ବନ୍ୟା ସମୟରେ ବାସ ହରାଇଥିବା ପରିବାରକୁ ପ୍ରଶାସନ ପକ୍ଷରୁ ଚି଼ହ୍ନଟ କରାଯାଇ ପଲିଥିନ ଓ ଘରଭଙ୍ଗା କ୍ଷତିପୂରଣ ପ୍ରଦାନ କରାଯାଇଥିଲା। କିନ୍ତୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜସ୍ବ ନିରୀକ୍ଷକ ଏବଂ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ତଦନ୍ତ କରି ସେମାନଙ୍କୁ ତାଲିକାଭୁକ୍ତ କରାଯାଇନାହିଁ। ଫଳରେ ଏବେ ତାଲିକା ପ୍ରକାଶ ପାଇଥିବା ବେଳେ ସେମାନଙ୍କ ନାଁ ସେଥିରେ ନାହିଁ। ତେଣୁ ସମ୍ପୃକ୍ତ ଅଧିକାରୀଙ୍କ ଏଭଳି ଅବହେଳାକୁ ବିଧିବଧ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ସେମାନଙ୍କ ନାଁ ତାଲିକାରେ ଯୋଡ଼ିବାକୁ ଜିଲ୍ଲାପାଳଙ୍କ ଠାରେ ପୂର୍ବରୁ ଦାବି କରାଯାଇଥିବା ବେଳେ ଜିଲ୍ଲାପାଳ ଏହି ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ବିଭାଗୀୟ ଅଧିକାରୀ ସେପରି ନକରି ବ୍ଲକ କାର୍ଯ୍ୟାଳୟରେ ବସି ସ୍ଥାନୀୟ ନେତାଙ୍କ ସହ କଥାବାର୍ତ୍ତା କରି ପୂର୍ବରୁ ହୋଇଥିବା ତାଲିକାକୁ କାଏମ ରଖିଦେଲେ। ତେଣୁ ଏହାର ପ୍ରତିବାଦରେ ଆଜି ଶ୍ରମିକ ନେତା ପ୍ରେମରଞ୍ଜନ ପାତ୍ରଙ୍କ ନେତୃତ୍ବରେ ମଣ୍ଟୁ ନାୟକ, ସେଖ୍ ଆଜମଲ୍ଙ୍କ ସମେତ ଆବାସ ଯୋଜନାରୁ ବଞ୍ଚିତ ହିତାଧିକାରୀ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ବସିବା ସହିତ ଏକ ଦାବିପତ୍ର ବିଡିଓଙ୍କୁ ପ୍ରଦାନ କରିଥିଲେ। ତୁରନ୍ତ ଉକ୍ତ ତାଲିକା ସଂଶୋଧନ କରା ନଗଲେ ଆଗାମୀ ଦିନରେ ସେମାନେ ରାଜରାସ୍ତାକୁ ଓହ୍ଲାଇ ହରତାଳ କରିବେ ବୋଲି ଚେତାବନୀ ଦେଇଛନ୍ତି।
ରେମୁଣା ବ୍ଲକ ସମ୍ମୁଖରେ ଆବାସ ଯୋଜନା ହିତାଧିକାରୀଙ୍କ ଧାରଣା
ଆଜତକ ଓଡ଼ିଶା
0
Post a Comment