ବାଲେଶ୍ବର,୧୯/୭(ଲକ୍ଷ୍ମୀଧର ବାରିକ) ବାହାନଗା ରେଳ ଟ୍ରାଜେଡିରୁ କିଛି ବି ଶିଖିଲାନି ରେଳ ବିଭାଗ। ଏହାର ଜ୍ବଳନ୍ତ ଦୃଷ୍ଟାନ୍ତ ହେଉଛି ଗତକାଲି ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତିଯାଇଥିବା ଭଦ୍ରକ-ବାଲେଶ୍ବର ପାସେଞ୍ଜର ମେମୁ ଟ୍ରେନ୍। ଲୋକୋ ପାଇଲଟ୍ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଟ୍ରେନ୍ରେ ଥିବା ୪ ଶହରୁ ଅଧିକ ଯାତ୍ରୀଙ୍କ ଜୀବନ ବଞ୍ଚିଗଲା ସତ, କିନ୍ତୁ ରେଳବାଇର ଖାମଖିଆଲ ମନୋଭାବ ଉପରେ ଏହା ଏକ ବଡ଼ ପ୍ରଶ୍ନ ଚିହ୍ନ ଛିଡ଼ା କରିଛି। ଇଣ୍ଟର୍ଲକିଂ ଓ ସିଗ୍ନାଲ୍ ସିଷ୍ଟମ୍ରେ ତ୍ରୁଟି ପାଇଁ ଟ୍ରେନ୍ଟି ଲୁପ୍ ଲାଇନ୍କୁ ଚାଲିଯାଇଥିଲା ବୋଲି କୁହାଯାଉଛି। ଏ ବାବଦରେ ପଚରାଉଚରା ପାଇଁ ଷ୍ଟେସନ୍ ମାଷ୍ଟରଙ୍କ ସହ ଜଣେ ପଏଣ୍ଟ ମ୍ୟାନ୍ଙ୍କୁ ଗତକାଲି ଦକ୍ଷିଣ-ପୂର୍ବ ରେଳବାଇର ଖଡ଼ଗପୁର କାର୍ଯ୍ୟାଳୟକୁ ଡକାଯାଇଥିବା ବେଳେ ଆଜି ଉଭୟଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିବା ସୂଚନା ମିଳିଛି। ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ୧୦ଟା ବେଳକୁ ଭଦ୍ରକ-ବାଲେଶ୍ବର ମେମୁ ଭଦ୍ରକ ଷ୍ଟେସନ୍ରୁ ଡାଉନ୍ ଲାଇନ୍ରେ ବାଲେଶ୍ବର ଅଭିମୁଖେ ବାହାରିଥିଲା। ପାଖାପାଖି ୪୦ ମିନିଟ୍ ବିଳମ୍ବରେ ଚାଲିଥିବା ଏହି ଟ୍ରେନ୍ଟି ମଧ୍ୟାହ୍ନ ୧୨ଟା ୦୨ ମିନିଟ୍ରେ ବାଲେଶ୍ବର ନିକଟ ନୀଳଗିରି ରୋଡ୍ ଷ୍ଟେସନ୍ରେ ପହଞ୍ଚି ସେଠାରୁ ୧୨ଟା ୦୪ରେ ଷ୍ଟେସନ୍ ଛାଡ଼ିଥିଲା। ତେବେ ମେନ୍ ଲାଇନ୍ରେ ଯିବା ପରିବର୍ତ୍ତେ ଟ୍ରେନ୍ଟି ଷ୍ଟେସନ୍ ନିକଟ ଲୁପ୍ ଲାଇନ୍କୁ ଚାଲି ଯାଇଥିଲା। ଆଗକୁ ମେନ୍ ଲାଇନ୍ ସହ ସଂଯୋଗ ନଥିବା ଦେଖି ଟ୍ରେନ୍ର ଦୁଇ ଲୋକୋ ପାଇଲଟ୍ ସନ୍ଦେହ କରିଥିଲେ ଏବଂ ଦୁର୍ଘଟଣା ନିଶ୍ଚିତ ଜାଣି ତତ୍କ୍ଷଣାତ ଏମର୍ଜେନ୍ସି ବ୍ରେକ୍ ଲଗାଇଥିଲେ। ଫଳରେ ଏକ ବଡ଼ ଦୁର୍ଘଟଣା ଟଳିଯାଇଥିଲା। ଖୋଳତାଡ଼ ପରେ ଜଣାପଡ଼ିଥିଲା ଯେ, ଇଣ୍ଟର୍ଲକିଂ ଓ ସିଗ୍ନାଲ୍ ସିଷ୍ଟମ୍ରେ ତ୍ରୁଟି ଯୋଗୁଁ ଲୋକୋ ପାଇଲଟ୍ଙ୍କୁ ମେନ୍ ଲାଇନ୍ରେ ଯିବା ପାଇଁ ଗ୍ରିନ୍ ସିଗ୍ନାଲ୍ ମିଳିଥିଲା। ହେଲେ ଇଣ୍ଟର୍ଲକିଂ ସିଷ୍ଟମ୍ରେ ଗଡ଼ବଡ଼ ଯୋଗୁଁ ଏହା ଲୁପ୍ ଲାଇନ୍କୁ ଚାଲିଯାଇଥିଲା। ଏହି ଘଟଣା ପରେ ବରୁଣସିଂ ନୀଳଗିରି ରୋଡ୍ ଷ୍ଟେସନ୍ ମାଷ୍ଟର ଏସ୍ସି ସେଠୀଙ୍କ ସହ ପଏଣ୍ଟ ମ୍ୟାନ୍ ସେକ୍ ଖଲିଫ ଅହମ୍ମଦଙ୍କୁ ଗତକାଲି ଦକ୍ଷିଣ-ପୂର୍ବ ରେଳବାଇର ଖଡ଼ଗପୁର କାର୍ଯ୍ୟାଳୟକୁ ଡକାଯାଇ ପଚରାଉଚରା କରାଯାଇଥିଲା। କାର୍ଯ୍ୟରେ ଅବହେଳା ପାଇଁ ଉଭୟଙ୍କୁ ଡିଭିଜନାଲ୍ ରେଲୱେ ମ୍ୟାନେଜର (ଡିଆର୍ଏମ୍) କେଆର୍ ଚୌଧୁରୀ ନିଲମ୍ବନ କରିଥିବା ଜଣାପଡ଼ିଛି। ଅନ୍ୟପଟେ ଇଣ୍ଟର୍ଲକିଂ ଓ ସିଗ୍ନାଲ୍ ସିଷ୍ଟମ୍ରେ କିପରି ତ୍ରୁଟି ହେଲା, ସେ ନେଇ ବୈଷୟିକ ଟିମ୍ ପକ୍ଷରୁ ତନାଘନା ଜାରି ରହିଛି। ସୂଚନାଥାଉକି, ଜୁନ୍ ୨ ତାରିଖ ସନ୍ଧ୍ୟାରେ ଭୁଲ ସିଗନାଲ୍ କାରଣରୁ କରମଣ୍ଡଳ ସୁପରଫାଷ୍ଟ ଏକ୍ସପ୍ରେସ୍ ବାହାନଗା ବଜାର ଷ୍ଟେସନ୍ଠାରେ ଲୁପ୍ ଲାଇନ୍ରେ ଛିଡ଼ା ହୋଇଥିବା ଏକ ମାଲ୍ଗାଡ଼ିକୁ ଧକ୍କା ଦେଇଥିଲା। ଏହି ସମୟରେ ଭଦ୍ରକ ପଟୁ ଡାଉନ୍ ଲାଇନ୍ରେ ଆସୁଥିବା ଯଶବନ୍ତପୁର-ହାୱଡ଼ା ଏକ୍ସପ୍ରେସ୍ର ଶେଷ ଦୁଇଟି ବଗି କରମଣ୍ଡଳର ଦୁର୍ଘଟଣାଗ୍ରସ୍ତ ବଗି ସହ ଧକ୍କା ହୋଇଥିଲା। ଏଥିରେ ୨୯୩ ଜଣ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ୧୧ ଶହରୁ ଅଧିକ ଆହତ ହୋଇଥିଲେ। ଏହି ଦୁର୍ଘଟଣା ମଧ୍ୟ ଇଣ୍ଟର୍ଲକିଂ ଓ ସିଗ୍ନାଲ୍ ସିଷ୍ଟମ୍ରେ ତ୍ରୁଟି ଯୋଗୁଁ ଘଟିଥିବା ରେଳ ସୁରକ୍ଷା କମିସନର ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି। ପ୍ରଶ୍ନ ଉଠୁଛି, କିଛି ଦିନ ପୂର୍ବରୁ ଯେଉଁ ତ୍ରୁଟି ପାଇଁ ବାହାନଗାରେ ଏତେ ବଡ଼ ଦୁର୍ଘଟଣା ଘଟିଲା, ସେଠାରୁ ମାତ୍ର ୧୫ କିଲୋମିଟର ଦୂର ବରୁଣସିଂ ନୀଳଗିରି ରୋଡ୍ ଷ୍ଟେସନ୍ରେ ସମାନ ଧରଣର ତ୍ରୁଟି ହେଲା କେମିତି? ସବୁ ପରେ ବି ଏହା ରେଳ ବିଭାଗର ଖାମଖିଆଲ ନୀତିକୁ ଦର୍ଶାଉଛି ବୋଲି ଅନେକ ବୁଦ୍ଧିଜୀବୀ ମତ ରଖିବା ସହ କ୍ଷୋଭ ପ୍ରକାଶ କରିଛନ୍ତି।
ଲୁପ୍ଲାଇନ୍ରେ ଭଦ୍ରକ-ବାଲେଶ୍ବର ପାସେଞ୍ଜର ମେମୁ : ନିଲମ୍ବିତ ହେଲେ ଷ୍ଟେସନ୍ ମାଷ୍ଟର ଓ ପଏଣ୍ଟ ମ୍ୟାନ୍
ଆଜତକ ଓଡ଼ିଶା
0
Post a Comment