ବ୍ଲକ ସ୍ତରୀୟ ସିଆରସିସି ରାମଚନ୍ଦ୍ର ଜେନାଙ୍କ ସମ୍ବର୍ଦ୍ଧନା ସଭା


ଜଳେଶ୍ଵର ୯/୬ (ଜଗନ୍ନାଥ ଗୋଛାୟତ) ପ୍ରତିଭା ଦିନେ ସ୍ମୃତି ପାଲଟି ଯାଏ ଆଉ ସେହି ସ୍ମୃତି ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇ ମଣିଷକୁ ଅମର କରି ରଖେ।ସେହିଭଳି ଜଣେ ଅନନ୍ୟ ପ୍ରତିଭାର ଅଧିକାରୀ ବିଦାୟୀ ସିଆରସିସି ରାମଚନ୍ଦ୍ର ଜେନା ଥିଲେ ବୋଲି ଗତ ତା-୭/୬/୨୦୨୩ ରିଖ ପୂର୍ବାହ୍ନରେ ଆୟୋଜିତ ଅବସର କାଳୀନ ସମ୍ବର୍ଦ୍ଧନା ସଭାରେ ବିଭିନ୍ନ ବକ୍ତା ମତ ରଖିଥିଲେ।ସହକାରୀ ଶିକ୍ଷକ ଭାବେ ଚାକିରୀ ଆରମ୍ଭ କରି ଶେଷରେ ଜଣେ ଦକ୍ଷ ସିଆରସିସି ଭାବେ ପ୍ରଥମେ ପଶ୍ଚିମବାର୍ଡ ଓ ପରେ ପାଇକସିଦା କ୍ଲଷ୍ଟରରେ ସଫଳ କାର୍ଯ୍ୟ ସମ୍ପାଦନ କରି ଗତ ୩୧ ମେ ୨୦୨୩ ରେ କାର୍ଯ୍ୟରୁ ଅବସର ନେଇଛନ୍ତି। ବିଆରସିସି ସୁଶାନ୍ତ କୁମାର ଜେନାଙ୍କ ପୌରହିତ୍ୟରେ ପଥରପୁରା ଉ:ପ୍ରା: ବିଦ୍ୟାଳୟ ପରିସରରେ ଜଳେଶ୍ଵର ବ୍ଲକ ସ୍ତରୀୟ ଏକ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ବକ୍ତା ଭାବେ ପୂର୍ବତନ ଗୋଷ୍ଠୀ ଶିକ୍ଷାଧିକାରୀ ଭଗୀରଥ ଗିରି ଶ୍ରୀ ଜେନାଙ୍କ ବହୁମୁଖୀ ପ୍ରତିଭାର ଗୁଣଗାନ କରିଥିଲେ। ଶ୍ରୀ ଜେନା ମିଷ୍ଟଭାଷୀ, ମେଳାପୀ, ଛାତ୍ର ବତ୍ସଳ, ଆଦର୍ଶ ଶିକ୍ଷକ ସହିତ ଜଣେ କବି, କଳାକାର, ସୁସଂଗଠକ ଓ ସମାଜସେବୀ ଭାବେ ପରିଚିତ ବୋଲି ଶ୍ରୀ ଗିରି ପ୍ରକାଶ କରିଥିଲେ।ମୁଖ୍ୟ ଅତିଥି ଭାବରେ ପୂର୍ବତନ ଗୋଷ୍ଠୀ ଶିକ୍ଷାଧିକାରୀ ଲଲାଟେନ୍ଦୁ କେଶରୀ ଜେନା ଉପସ୍ଥିତ ହୋଇ ରାମସୀତା ଉପାଖ୍ୟାନ ରୁ ତାଙ୍କର ବକ୍ତବ୍ୟ ଆରମ୍ଭ କରି ଶ୍ରୀ ଜେନାଙ୍କୁ ସେହି ପୁରାଣ ଯୁଗର ରାମଚନ୍ଦ୍ର ବୋଲି ଅଭିହିତ କରିଥିଲେ।ସରକାରୀ ଭାବେ ଅବସର ନେଇଥିଲେ ସୁଦ୍ଧା ତାଙ୍କର ମହାନୀୟତା ପାଇଁ ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ତାଙ୍କୁ ସର୍ବଦା ମନେ ରଖିବା ସହିତ ତାଙ୍କୁ କାର୍ଯ୍ୟାଳୟ ସହିତ ସମ୍ପର୍କ ରଖିବାକୁ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଜ୍ୟୋତ୍ସ୍ନା ରାଣୀ ପ୍ରଧାନ ପରାମର୍ଶ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସିଆରସିସି ନିବେଦିତା ନାୟକ, ଶ୍ରୀକାନ୍ତ ଧଳ, ଗଜେନ୍ଦ୍ର ଦଳାଇ ପ୍ରମୁଖ ଶ୍ରୀ ଜେନାଙ୍କ "ଆଗ ସରକାରୀ କାର୍ଯ୍ୟ ତା ପରେ ଘର କାର୍ଯ୍ୟ" ନୀତିକୁ ପ୍ରଶଂସା କରିଥିଲେ।ଶେଷରେ ଶ୍ରୀ ରାମଚନ୍ଦ୍ର ଜେନା ତାଙ୍କର ବିଦାୟୀ ଭାଷଣରେ "ସର୍ବଦା ଋଣୀ ହେବା ପରିବର୍ତ୍ତେ ଋଣୀ କରିବାକୁ" ପରାମର୍ଶ ଦେଇଥିଲେ।ପ୍ରଥମରେ ସିଆରସିସି ସୁବେଶ ଚନ୍ଦ୍ର ପ୍ରଧାନଙ୍କ ଅତିଥି ପରିଚୟ ପ୍ରଦାନ ଏବଂ ସର୍ବ ଶେଷରେ ସିଆରସିସି ସୁବ୍ରତ କୁମାର ସେନାପତିଙ୍କ ଦ୍ଵାରା ଧନ୍ୟବାଦ୍ ଅର୍ପଣ କରା ଯାଇଥିଲା।

Post a Comment

Previous Post Next Post