ଶାବର ଶ୍ରୀକ୍ଷେତ୍ରରେ ବାହୁଡା଼ ଯାତ୍ରା : ୩ ରଥ କୋରାପୁଟ ବଡ଼ଦାଣ୍ଡରେ ବିରାଜମାନ


କୋରାପୁଟ : କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ମହାଆଡମ୍ବର ସହକାରେ ବାହୁଡା଼ ଯାତ୍ରା ଅନୁଷ୍ଠିତ ହୋଇଯାଇଅଛି । ମଝିରେ ମଝିରେ ଅସରାଏ ବର୍ଷା ହୋଇଥିବା ସତ୍ବେ ବାହୁଡା଼ ଯାତ୍ରା ଦେଖିବାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା । ଜନ୍ମବେଦୀରୁ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଏବଂ ଦେବୀ ସୁଭଦ୍ରା ଆଜି ରତ୍ନବେଦୀକୁ ଫେରୁଥିବାରୁ ବିଭିନ୍ନ ସ୍ଥାନରୁ ହଜାର ହଜାର ଶ୍ରଦ୍ଧାଳୁ ବାହୁଡା଼ ଯାତ୍ରା ଦେଖିବାକୁ ପୂର୍ବାହ୍ନରୁ ଆସି ମାଉସୀମାଁ ଛକରେ ରୁଣ୍ଡ ହୋଇଥିଲେ । ପ୍ରତ୍ୟୁଷରୁ ଶ୍ରୀଜୀଉମାନଙ୍କ ଯଥାରୀତି ଅନୁଯାୟୀ ନୀତି ସମ୍ପନ୍ନ କରାଯାଇ ପୂର୍ବାହ୍ନ ୧୦.୩୦ ମିନିଟ ସମୟରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ପହଣ୍ଡି ଆରମ୍ଭ କରାଯାଇଥିଲା । ପ୍ରଥମେ ଶ୍ରୀସୁଦର୍ଶନ, ଦ୍ଵିତୀୟରେ ପ୍ରଭୁ ବଳଭଦ୍ର,ପରେ ଦେବୀ ସୁଭଦ୍ରା ଏବଂ ଶେଷରେ ପ୍ରଭୁ ଜଗନ୍ନାଥଙ୍କୁ ପହଣ୍ଡିରେ ଅଣାଯାଇ ରଥାରୁଢ଼ କରାଯାଇଥିଲା ଏବଂ ୧.୩୦ ମିନିଟ ସମୟରେ ରଥ ଟଣା ନୀତି ଆରମ୍ଭ କରାଯାଇଥିଲା । କୋରାପୁଟ ଶାବର ଶ୍ରୀକ୍ଷେତ୍ର ପରିଚାଳନା କମିଟି ସମ୍ପାଦକ ଜଗବନ୍ଧୁ ସାମଲ,ଆରକ୍ଷୀ ଅଧିକ୍ଷକ ଅଭିନବ ସୋନକର, ମନ୍ଦିର ପରିଚାଳନା କମିଟି ସଦସ୍ୟ ସୁଧାକର ପଟ୍ଟନାୟକ,ଭବାନୀ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିବାବେଳେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ବିହିତ ବ୍ୟବସ୍ଥା କରାଯାଇଥିଲା ।

Post a Comment

Previous Post Next Post