ଜଳଛାୟା ପ୍ରକଳ୍ପ ଦୁର୍ନୀତି ; ଭିଜିଲାନ୍ସ ତଦନ୍ତ ଦାବି କଲା ଗୃହ କମିଟି


ବୌଦ୍ଧ:୨୬/୩ (ସୁଶାନ୍ତ କୁମାର ବେହେରା) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକରେ ହୋଇଥିବା ବହୁ ଚର୍ଚ୍ଚିତ ଜଳଛାୟା ପ୍ରକଳ୍ପ ଦୁର୍ନୀତର ବାସ୍ତବ ଚିତ୍ର ପରଖିବା ପାଇଁ ଗ୍ରାଉଣ୍ଡ ଜିରୋକୁ ଯାଇ କ୍ଷେତ୍ର ପରିଦର୍ଶନ କରିଥିଲା ଜିଲ୍ଲା ପରିଷଦ ଗୃହ କମିଟି।ହେଲେ ବିଭାଗୀୟ ଜିଲ୍ଲା କତ୍ତୃପକ୍ଷ ଏବଂ ସ୍ଥାନୀୟ ଅଧିକାରୀଙ୍କ ଉପସ୍ଥିତିରେ କ୍ଷେତ୍ର ପରିଦର୍ଶନ ବେଳେ ଆଳୁ ଖୋଳୁଖୋଳୁ ମହାଦେବ ବାହାରିବା ଭଳି ସାମ୍ନାକୁ ଆସିଛି ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ କଳା କାରନାମା। ବିନା ପ୍ରକଳ୍ପ ଓ ସୂଚନା ଫଳକରେ ମିଥ୍ୟା ବିଲକରି କିପରି ହୋଇଛି ଲକ୍ଷଲକ୍ଷ ଟଙ୍କାର ହରିଲୁଟ । ଏହି ଚାଞ୍ଚଲ୍ୟକର ଘୋଟାଲା ପଦାକୁ ଆସିବା ପରେ ସାଧାରଣରେ ଆଲୋଡନ ସୃଷ୍ଟି କରିଛି। ପ୍ରକାଶ ଯୋଗ୍ୟ ଯେ କଣ୍ଟାମାଳ ବ୍ଲକରେ ଜଳଛାୟା ଯୋଜନାରେ ହୋଇଥିବା ବ୍ୟାପକ ଦୁର୍ନୀତି ଓ ଅନିୟମିତତାକୁ ନେଇ ବିଭିନ୍ନ ମହଲରୁ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା।ଏପରିକି ଏହି ପ୍ରସଙ୍ଗକୁ କେନ୍ଦ୍ରକରି ଗତ ବୌଦ୍ଧ ଜିଲ୍ଲା ପରିଷଦ ବୈଠକରେ ଦଳମତ ନିର୍ବିଶେଷରେ ଉପସ୍ଥିତ ସଦସ୍ୟଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଥିଲା।ଏକ ଗୃହ କମିଟି ଗଠନ କରାଯାଇ ଗ୍ରାଉଣ୍ଡ ଜିରୋକୁ ଯାଇ ଏହାର ବାସ୍ତବ ଚିତ୍ର ପରଖିବା ପାଇଁ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା।


ତଦନୁଯାୟୀ ଗୁରୁବାର କଣ୍ଟାମାଳ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ବିଡ଼ିଓ କଳାକୃଷ୍ଣ ପ୍ରଧାନଙ୍କଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ହୋଇଥିଲା।ଏଥିରେ ବୌଦ୍ଧ ଜିଲ୍ଲା ପରିଷଦ ଗୃହ କମିଟି ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ, ୨ନଂ ଜିଲ୍ଲା ପରିଷଦ ସଭ୍ୟ ଇଂ ରାକେଶ ତ୍ରିପାଠୀ, ୭ନଂ ଜିଲ୍ଲା ପରିଷଦ ସଭ୍ୟ ବିଶ୍ୱଜିତ୍ ମିଶ୍ରଙ୍କ ସମେତ ବୌଦ୍ଧ ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଦୀପ୍ତ ମହାନ୍ତି, ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ ହୃଷୀକେଶ କହଁର, ବ୍ଲକ ପି ଆଇ ଏ ଜିତେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ।ସମୀକ୍ଷା ପରେ ଗୃହ କମିଟି ଓ ବିଭାଗୀୟ ଅଧିକାରୀ ମାନେ ମିଳିତ ଭାବେ ବିଭାଗ ଦ୍ୱାରା ସିଲେଟପଡା ଗ୍ରାମରେ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁଦାନରେ ମଞ୍ଜୁର ହୋଇଥିବା ୯ ଟି ଫାର୍ମପଣ୍ଡକୁ ବିନା ସୂଚନା ଫଳକରେ ଆଦୌ ଖନନ ନକରି ପ୍ରକଳ୍ପ ବାବଦକୁ ସିଂହଭାଗ ଅର୍ଥ ମିଥ୍ୟା ବିଲ ମାଧ୍ୟମରେ ଉଠାଇ ସାରିଥିବା ଦେଖିବାକୁ ପାଇଥିଲେ।ସେହିପରି ସିନ୍ଦୁରପୁର ଗ୍ରାମରେ ମଧ୍ୟ ଏକ ଫାର୍ମପଣ୍ଡ ଖନନ ନ ହୋଇ ଦେଢ ଲକ୍ଷ ଟଙ୍କା ଚଳୁ ହୋଇଥିବା ଦେଖି ଚକିତ ହୋଇଥିଲେ।


ତେବେ ଗାଁ ପରିମଳ ପୋଖରୀ ତୁଠରୁ ଆକଳନ କରି ଗୃହ କମିଟିର ସଦସ୍ୟ ମାନେ ଜଳଛାୟା ଜିଲ୍ଲା ପ୍ରକଳ୍ପ ଅଧିକାରୀଙ୍କୁ କଣ୍ଟାମାଲ ବ୍ଲକରେ କାର୍ଯ୍ୟକାରୀ ହୋଇଥିବା ସମସ୍ତ ପ୍ରକଳ୍ପର ରେକର୍ଡପତ୍ର ସହିତ ଶୁକ୍ରବାର ଦିନ ପହଞ୍ଚିବାକୁ କହି ଫେରିଥିଲେ।ମାତ୍ର ଶୁକ୍ରବାର ବିଭାଗୀୟ ଅଧିକାରୀ ମାନେ ରେକର୍ଡ ପତ୍ର ଆଣିବା ତ ଦୂରର କଥା ଓଲଟି ସେ ଦିନ ଫୋନ ସୁଇଚ ଅଫ କରି କେହି ଧରାଛୁଆଁ ନଦେବାରୁ ବିଭାଗୀୟ ସ୍ୱଚ୍ଛତା ଓ କାର୍ଯ୍ୟଶୈଳୀ ଉପରେ ମସ୍ତବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି।ଶେଷରେ ବାଧ୍ୟହୋଇ ଜିଲ୍ଲା ପରିଷଦ ଗୃହ କମିଟିର ସଦସ୍ୟ ମାନେ ବୌଦ୍ଧ ଜିଲ୍ଲାପାଳଙ୍କୁ ଭେଟି ବିଭାଗୀୟ କାର୍ଯ୍ୟକଳାପ କୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ଅଥବା ଭିଜିଲାନ୍ସ ତଦନ୍ତ ପାଇଁ ଦାବି କରିଛନ୍ତି। ତେବେ ଗୃହ କମିଟିର ସଦସ୍ୟ ମାନେ ସ୍ୱଳ୍ପ ସମୟ ମଧ୍ୟରେ କ୍ଷେତ୍ର ପରିଦର୍ଶନ କରିଥିବା ପ୍ରକଳ୍ପ ଦୁର୍ନୀତି ଦେଖିବାକୁ ପାଇଥିଲେ। ପ୍ରକଳ୍ପର ଭିଜିଲାନ୍ସ ତଦନ୍ତ ହେଲେ ଅସଲ କେଳେଙ୍କାରୀ ଲୋକ ଲୋଚନକୁ ଆସିବା ସହ ସରକାରଙ୍କର ଏହି ମହତ୍ୱକାଂକ୍ଷି ଯୋଜନା କୁ ଭୁଆଁ ବୁଲାଇ କିପରି କୋଟିକୋଟି ଟଙ୍କା ହେରଫେର ହୋଇଛି ତାର ପର୍ଦାଫ୍ଲାସ ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।

Post a Comment

Previous Post Next Post