ଜୁଆର ମାଡରେ ଭାଙ୍ଗିଲା ବ୍ରିଟିଶ୍ ଅମଳର ଭୋଗରାଇ ଲକ୍ ଗେଟ କବାଟ , କୋଷ୍ଟ କେନାଲ ଦେଇ ଶହଶହ ହେକ୍ଟର ଚାଷ ଜମିରେ ପଶିଲା ଲୁଣାପାଣି, ଖରିଫ୍ ଧାନ କ୍ଷତି ହେବା ନେଇ ଚିନ୍ତାରେ ଚାଷୀ

( ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ନୀତିକୁ ଦାୟୀକଲେ ଅଞ୍ଚଳବାସୀ ) 



ଭୋଗରାଇ,୨୨/୩ (ଚିନ୍ମୟ କୁମାର ଦାସ ): ବ୍ରିଟିଶ୍ ଅମଳରେ ନିର୍ମିତ ଭୋଗରାଇ ଲକ୍ କବାଟ ଆଜି ସକାଳେ ସୁବର୍ଣ୍ଣରେଖା ନଦୀର ଜୁଆର ମାଡରେ ହଠାତ୍ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି । ଫଳରେ ସମୁଦ୍ରର ଜୁଆର ପାଣି ସୁବର୍ଣ୍ଣରେଖା ନଦୀରୁ କୋଷ୍ଟ କେନାଲ ଦେଇ ଚାଷ ଜମିରେ ମାଡିଯିବାରୁ କେନାଲ ଉଭୟ ପାର୍ଶ୍ବରେ ଥିବା ଶହଶହ ହେକ୍ଟର ଖରିଫ୍ ଧାନ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଦେଖାଦେଇଛି । ଏନେଇ ଖବର ପ୍ରଚାରିତ ହେବା ପରେ ଘଟଣା ସ୍ଥଳରେ ଶହଶହ ଲୋକଙ୍କ ଭିଡ ଜମିବା ସହିତ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ଖବରପାଇ ବିଭାଗୀୟ ଏସଡିଓ ପ୍ରିୟବ୍ରତ ସିଂହ, କନିଷ୍ଠ ଯନ୍ତ୍ରୀ ବସନ୍ତ କୁମାର ବେହେରାଙ୍କ ସମେତ ଭୋଗରାଇ ତହସିଲଦାର ସୁଶାନ୍ତ କୁମାର ପଟ୍ଟନାୟକ, ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରବୀର କୁମାର ଗିରି, ସ୍ଥାନୀୟ ସରପଞ୍ଚ ବର୍ଷା ରାଣୀ ପରିଡା, ସମିତି ସଭ୍ୟା ଝରଣା ସାହୁ, ସରପଞ୍ଚଙ୍କ ପ୍ରତିନିଧି ରାକେଶ କୁମାର ପରିଡା, ପୂର୍ବତନ ସମିତି ସଭ୍ୟ ଭବେନ୍ଦ୍ର ସାହୁ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ତୁରନ୍ତ କେନାଲ ଉଭୟ ପଟରେ ଥିବା କଲଭଟ୍ ଗୁଡିକୁ ବନ୍ଦ କରିବା ସହିତ ବାଲିବସ୍ତା ଦ୍ବାରା ସେଠାରେ ଏକ ଅସ୍ଥାୟୀ ବନ୍ଧ ନିର୍ମାଣ କରିଛନ୍ତି । ଫଳରେ ବହୁ ଚାଷୀଙ୍କ ଜମି ଲୁଣିପାଣି ମାଡିବାରୁ ବର୍ତ୍ତିଯାଇଛି ।
  

 ସୂଚନା ମୁତାବକ, ଓଡିଶା କୋଷ୍ଟ କେନାଲର ୩ନମ୍ବର ରେଞ୍ଜ ଏହି ଭୋଗରାଇ ଲକ୍ କବାଟ ବ୍ରିଟିଶ୍ ଅମଳରୁ ନଦୀ ପଟକୁ ୨ଟି ଓ କେନାଲ ପଟକୁ ଗୋଟିଏ ରହିଥିଲା । ପରବର୍ତ୍ତୀ ସମୟରେ ଏହାର ମରାମତି ଆବଶ୍ୟକ ପଡିବାରୁ ୨୦୨୦ ମସିହାରେ ବିଭାଗର ଜୋବ୍ରାସ୍ଥିତ ମେକାନିକାଲ ଡିଭିଜନ କେନାଲ ପଟ କବାଟଟିକୁ ବାହାର କରିଦେବା ସହିତ ନଦୀ ପଟର ୨ଟି କବାଟକୁ ମରାମତି କରିଥିଲେ । ତେବେ ଏଥିପାଇଁ ଲକ୍ଷାଧିକ ଟଙ୍କା ବ୍ୟୟ ହୋଇଥିବା ବେଳେ କବାଟ ଗୁଡିକ ସେମିତି ବିପଜ୍ଜନକ ଅବସ୍ଥାରେ ରହିଥିଲା । ଏହାକୁ ନେଇ ଆଜକୁ ପ୍ରାୟ ୧୦ବର୍ଷ ହେଲା ଅଞ୍ଚଳବାସୀଙ୍କ ପକ୍ଷରୁ ସେଠାରେ ଏକ ସ୍ଲୁଇସ୍ ଗେଟ୍ ନିର୍ମାଣ ପାଇଁ ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ ଜଳ ସମ୍ପଦ ବିଭାଗର ଦାୟିତ୍ୱହୀନତା ଓ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲ ନୀତି ପାଇଁ ଆଜି ଏଭଳି ସମସ୍ୟା ଉପୁଜିଥିବା ଅଭିଯୋଗ ହୋଇଛି । ତେବେ ବର୍ଷାଦିନ ପୂର୍ବରୁ ତୁରନ୍ତ ଏହାର ସ୍ଥାୟୀ ସମାଧାନ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଅଞ୍ଚଳବାସୀଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି ।

Post a Comment

Previous Post Next Post