ପ୍ରସିଦ୍ଧ ଚନ୍ଦନେଶ୍ଵର ଚଡ଼କ ମେଳାକୁ ଆଉ ୩ଦିନ ମହାଦେବଙ୍କ ଆଜ୍ଞାମାଳ ନେଇ ଚିହ୍ନଟ ହେଲା ୨ଟି ଥମ୍ବିକାଠ


ଭୋଗରାଇ ୩୧/୩ (ଚିନ୍ମୟ କୁମାର ଦାସ )ରାଜ୍ୟର ଦ୍ବିତୀୟ ସର୍ବ ବୃହତ ମେଳା ଭାବେ ପରିଗଣିତ ପୂର୍ବ ଭାରତର ପ୍ରସିଦ୍ଧ ଚନ୍ଦନେଶ୍ଵର ଚଡ଼କ ମେଳାକୁ ଆଉ ମାତ୍ର ୩ଦିନ। ମେଳାପାଇଁ ସମସ୍ତେ ତତ୍ପର। ଏହି ମେଳାର ଅନ୍ୟତମ ଆକର୍ଷଣ ୨ଟି ଥମ୍ବି କାଠ ଚଳିତ ବର୍ଷ ନୂତନ ହେବ। ମହାଦେବଙ୍କ ଠାରୁ ଆଜ୍ଞାମାଳ ନେଇ ସେବାୟତ ମାନେ ଏହି କାଠ ଚିହ୍ନଟ କରିଛନ୍ତି। ଶନିବାର ଏକ ଶୋଭାଯାତ୍ରାରେ ତାହା ମନ୍ଦିରକୁ ଅଣାଯିବ ବୋଲି ମନ୍ଦିର ଟ୍ରଷ୍ଟ ବୋର୍ଡର ମୌରସୀ ତପନ କୁମାର ପଣ୍ଡା କହିଛନ୍ତି। ବିବରଣୀରୁ ପ୍ରକାଶ, ଏପ୍ରିଲ ୩ତାରିଖ ୧୧ ଅର୍ଘ୍ୟରୁ ଚନ୍ଦନେଶ୍ଵର ଚଡ଼କ ମେଳା ଶୁଭାରମ୍ଭ ହେବ। ଏହି ଦିନ ପାଟଭକ୍ତ ହରିଶ୍ଚନ୍ଦ୍ର ସାହୁଙ୍କ ସମେତ ଦେଉଳିଆ ମାନେ ଉପବୀତ ଧାରଣ କରିବେ ଓ ଗାଁକୁ ଯାଇ ପଡ଼ା ବାଉଁଶ ଛେଦନ କରିବେ। ପର୍ବର ଦ୍ବିତୀୟ ଅର୍ଘ୍ୟରେ ମହାନୀଳ । ଏହିଦିନ ନୀଳ ପୁଷ୍କରିଣୀରୁ ଥମ୍ବିକାଠ ୨ଟିକୁ ଉଠାଇ ମନ୍ଦିରର ଦକ୍ଷିଣ ପଟେ ରଖି ପୂଜାର୍ଚ୍ଚନା କରାଯାଏ । କାଠ ୨ଟିକୁ ଶିବ,ଦୁର୍ଗା ଭାବେ ଅଭିହିତ କରାଯାଏ। ମନ୍ଦିର ଟ୍ରଷ୍ଟ ବୋର୍ଡର ମୌରସୀ ତପନ କୁମାର ପଣ୍ଡାଙ୍କ ସମେତ କୂଳ ପୁରୋହିତ ଅସିତ ମିଶ୍ର, ବରିଷ୍ଠ ସେବାୟତ ପ୍ରଫୁଲ୍ଲ ପଣ୍ଡା, ହୁଗୁଳି ସମିତି ସଦସ୍ଯ ଗୋବିନ୍ଦ ଦାସ ପ୍ରମୁଖ ଜଳେଶ୍ବରର ରାଇବଣିଆ ଥାନା ପୁରୁଣା ପାଣି ଗାଁର ବୀର କିଶୋର ଦାସଙ୍କ ବାଡ଼ିରୁ ୨ଟି ଶାଳ ଗଛକୁ ଚିହ୍ନଟ କରାଯାଇଛି। ସୂଚନାଯୋଗ୍ଯ, ମନ୍ଦିରର ଥମ୍ବିକାଠ ଦ୍ବୟ ଦୀର୍ଘ ବର୍ଷ ତଳର । ତାହା ନଷ୍ଟ ହୋଇ ଯାଇ ଥିବାରୁ ଚଳିତ ବର୍ଷ ନୂତନ କରାଯିବାକୁ ଟ୍ରଷ୍ଟ ବୋର୍ଡ ପକ୍ଷରୁ ନିଷ୍ପତି ନିଆଯାଇ ଅଛି।

Post a Comment

Previous Post Next Post