ନିୟମଗିରିରେ ନିୟମରାଜା ପୂଜା ସ୍ଥଳକୁ ପୋଲିସର ଭଙ୍ଗାରୁଜା


କଳାହାଣ୍ଡି ୨୧/୦୨‌ (ଶ୍ୟାମସୁନ୍ଦର ମାଝୀ) : ଆଦି କାଳରୁ ଡଙ୍ଗରିଆ ଆଦିବାସୀ ପ୍ରାକୃତିକ ପର୍ବ ଧାର୍ନିପେନୁ ଧରଣୀ ମା' ଓ ହରୁ ପେନୁ (ନିୟମରାଜା ଡଙ୍ଗର) ପୂଜା ପ୍ରତ୍ୟେକ ବର୍ଷ ଫେବୃଆରୀ ଶେଷ ସପ୍ତାହ ରେ ପାଳନ କରିଆସୁଛନ୍ତି । କିନ୍ତୁ ଦୁର୍ଭାଗ୍ଯର ବିଷୟ ଯେ ଗତକାଲି ଶନିବାର ଦିନ ଧଁରାଭଟ୍ଟା ରେ ପୂଜାପାଇଁ ନିର୍ମିତ 'ପୂଜାଗୁଡି' କୁ ଦେଶ ଓ ଜନତାର ସୁରକ୍ଷାକାରୀ କୁହାଯାଉ ଥିବା ସୁରକ୍ଷା ବାହିନୀର ସଶସ୍ତ୍ର ପୋଲିସ୍ ଭାଙ୍ଗି ମାଟିରେ ମିଶାଇ ଦେଇଛନ୍ତି । ଏପରି କାପୁରୁଷୋଚିତ୍ତ କାର୍ଯ୍ୟ ଏକ ଅମାନୁଷିକ, ଅସାମ୍ବିଧାନିକ, ଅଗଣତାନ୍ତ୍ରିକ ଓ ଅତ୍ଯାଚାର କାର୍ଯ୍ଯକଳାପ ଓ ଅତ୍ୟନ୍ତ ନିନ୍ଦନୀୟ ବୋଲି ସାରା ରାଜ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଆଦିବାସୀଙ୍କ ଧାର୍ମିକ ଓ ସାମ୍ବିଧାନିକ ଅଧିକାର ଉପରେ ଏହା କୁଠାରାଘାତ । ସାଧାରଣ ଭାବେ ପ୍ରକୃତିର ଉପାସକ ଆଦିବାସୀଙ୍କ ସଂସ୍କୃତି କୁ ସଂହାର ଓ ଧାର୍ମିକ ଭାବନାକୁ ଉପେକ୍ଷା କରିବାର ଅଧିକାର ସୁରକ୍ଷା ବାହିନୀକୁ ଦେଲା କିଏ ? ପୋଲିସ ଏବଂ ସୁରକ୍ଷା ବଳ ଯଦି କଂପାନୀ ମାନଙ୍କ ପୋଷା ମାନି ଏଭଳି ନିନ୍ଦନୀୟ ଓ ଜନବିରୋଧୀ କାର୍ଯ୍ଯରେ ଲିପ୍ତ ରହିବେ, ତେବେ ଜନସାଧାରଣ ସେମାନଙ୍କୁ କ୍ଷମା କରିବେ ନାହିଁ !! ପୋଲିସ କମ୍ପାନୀର ଗୁଣ୍ଡା ନା ଜନତାଙ୍କ ରକ୍ଷାକାରୀ ? ସରକାରୀ ପଦାଧିକାରୀ କମ୍ପାନୀର ଦଲାଲ ନା ଜନତାଙ୍କ ସେବକ? ସମ୍ବିଧାନର ନୀତି ଆଦର୍ଶ ତଥା ନିଜର ଦାୟୀତ୍ବ ଓ କର୍ତ୍ତବ୍ଯ କୁ ଭୁଲିଗଲେ ନିୟମଗିରି ସୁରକ୍ଷା ସମିତି ବରଦାସ୍ତ କରିବ ନାହିଁ ଓ ସାମ୍ବିଧାନିକ ଅଧିକାରର ସୁରକ୍ଷା ପାଇଁ ଲଢେଇ କରି ଜବାବ୍ ଦେବାକୁ ପଛାଇବ ନାହିଁ । ବଞ୍ଚିବାର ଗୋଟିଏ ବାଟ ଲଢେଇ ଆଉ ଧର୍ମ ଘଟ ।   
ଯେଉଁ ସୁରକ୍ଷା ବାହିନୀ ଏପରି ଲଜ୍ଜା ହୀନ କାର୍ଯ୍ୟ କରିଛନ୍ତି, ସେମାନଙ୍କୁ ଆଇନ୍ ଅନୁଯାୟୀ ତଥା ନୈତିକ ଦୃଷ୍ଟି କୋଣରୁ ଆଦିବାସୀ ନିର୍ଯାତନା ତଥା ଧାର୍ମିକ ଭାବନାକୁ ଆଘାତ ଦେବା ଅପରାଧରେ ଗିରଫ କରିବାକୁ ନିୟମଗିରି ସୁରକ୍ଷା ସମିତି ଦାବି କରିଛି । ନିୟମଗିରି ସୁରକ୍ଷା ସମିତିର ନେତା ତଥା ଉପଦେଷ୍ଟା ଲିଙ୍ଗରାଜ ଆଜାଦ୍, ଦଧୀ ପୁଷିକା, ଡ୍ରେଞ୍ଜୁ କୃସିକା, ଲଦ ସିକକା, ଖଣ୍ଡୁଆଳମାଳୀ ସ୍ଥାୟୀ ସୁରକ୍ଷା ସମିତି, (କଳାହାଣ୍ଡି)ର ବ୍ରିଟିଶ କୁମାର ଓ କାର୍ତ୍ତିକ ମାଝୀ, ମାଳି ପର୍ବତ ସୁରକ୍ଷା ସମିତି, (କୋରାପୁଟ)ର ବିଜୟ ଖିଲୋ, ଲକ୍ଷ୍ମୀ ଖିଲୋ, କୋଡିଙ୍ଗାମାଳୀ ସୁରକ୍ଷା ମଞ୍ଚ, (ଲକ୍ଷ୍ମୀପୁର), ଉପକୂଳୀୟ ଜମି ଓ ଜଙ୍ଗଲ ସୁରକ୍ଷା ସମିତି, (ପୁରୀ), ବସ୍ତି ସୁରକ୍ଷା ମଞ୍ଚ, (ଓଡ଼ିଶା)ର ହେନାରାଣୀ , ଜିନ୍ଦଲ-ପୋସ୍କୋ ପ୍ରତିରୋଧ ସଂଗ୍ରାମ ସମିତି, (ଢ଼ିଙ୍କିଆ ଚାରିଦେଶ)ର ଶାନ୍ତି ଦାସ, ଗ୍ରାମସଭା କମିଟି, (ରାଜଗାଙ୍ଗପୁର)ର ବିବୁଲ୍ ଟପ୍ପୋ, ଉପକୂଳ ଭିଟାମାଟି ସୁରକ୍ଷା ସମିତି, (ବାଲିଆପାଳ)ର ଅରୁଣ ଜେନା, ମର୍ଯ୍ୟାଦାର ସହ ବଞ୍ଚିବାର ଅଭିଯାନ, (ଓଡ଼ିଶା)ର ରାଜ୍ୟ ଆବାହକ ଗୋପୀନାଥ ମାଝୀ, ଚାଷୀ ମୂଲିଆ ସୁରକ୍ଷା ସମିତି, (କନ୍ଧମାଳ)ର ବଳଭଦ୍ର ମଳିକ, ମିଥ୍ୟା ମକଦ୍ଦମା ବିରୋଧୀ ଅଭିଯାନ ଓଡ଼ିଶାର ରାଜ୍ୟ ଆବାହକ ନରେନ୍ଦ୍ର ମହାନ୍ତିଙ୍କ ସମେତ ରାଜ୍ୟର ବିଭିନ୍ନ ଜନ ଆନ୍ଦୋଳନ ମାନଙ୍କ ପକ୍ଷରୁ ସୁରକ୍ଷା ବାହିନୀର ଏପରି କାର୍ଯ୍ୟକୁ ଦୃଢ଼ ନିନ୍ଦା କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି ।

Post a Comment

Previous Post Next Post