ଫକୀର ମୋହନ ବିଶ୍ବବିଦ୍ୟାଳୟରେ ରାଇବଣିଆ ଦୁର୍ଗ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହେବା ପାଇଁ ନିଷ୍ପତ୍ତି

ପ୍ରାରମ୍ଭିକ ଭାବରେ ୨ ଲକ୍ଷ ଟଙ୍କା ମଞ୍ଜୁର ; 
ଆୟୋଜିତ ହେବ ରାଇବଣିଆ ଦୁର୍ଗ ଉପରେ ଜାତୀୟସ୍ତରୀୟ ଆଲୋଚନା ଚକ୍ର



ଜଳେଶ୍ୱର ୮/୬ (ଜଗନ୍ନାଥ ଗୋଛୟତ) ଫକୀର ମୋହନ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଆଜି ତାଙ୍କର ୧୩ ଜଣିଆ ଟିମ୍ ସହିତ ଜଳେଶ୍ୱର ବ୍ଲକ ଅନ୍ତର୍ଗତ ରାଇବଣିଆ ଦୁର୍ଗ ପରିଦର୍ଶନରେ ଆସି ବିଶ୍ଵବିଦ୍ୟାଳୟ ପକ୍ଷରୁ ରାଇବଣିଆ ଦୁର୍ଗ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହେଲା ବୋଲି ପ୍ରକାଶ କରିଛନ୍ତି । ପ୍ରାରମ୍ଭିକ ଭାବରେ ଏହି ଗବେଷଣା କେନ୍ଦ୍ର ପାଇଁ ୨ ଲକ୍ଷ ଟଙ୍କା ମଞ୍ଜୁର କରିବା ସହିତ ଖୁବ୍ ଶୀଘ୍ର ଏ ଦିଗରେ କାର୍ଯ୍ୟ ଆରମ୍ଭ ହେବ ବୋଲି ସେ ଘୋଷଣା କରିଥିଲେ l
ଏହି ଦୁର୍ଗ କେବଳ ଓଡ଼ିଶାରେ ନୁହଁ, ପୂର୍ବ ଭାରତରେ ସବୁଠୁ ବଡ଼ ଦୁର୍ଗ । ମାତ୍ର ଏହାର ଇତିହାସ ଅନାବୃତ । କେବେ ଏଵଂ କାହା ଦ୍ଵାରା ଏହା ନିର୍ମିତ ହୋଇଥିଲା ସେ ବିଷୟରେ କୌଣସି ସଠିକ୍ ଐତିହାସିକ ବା ପ୍ରତ୍ନତାତ୍ତ୍ୱିକ ପ୍ରମାଣ ମିଳି ନାହିଁ । ବିଶ୍ଵବିଦ୍ୟାଳୟ ପକ୍ଷରୁ ଯେଉଁ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହେବ ଦୁର୍ଗର ଇତିହାସକୁ ଏହା ଉନ୍ମୋଚନ ଜରିବ ବୋଲି ପ୍ରଫେସର୍ ତ୍ରିପାଠୀ ସାମ୍ବାଦିକ ମାନଙ୍କୁ କହିଛନ୍ତି । ପ୍ରକାଶ ଥାଉ କି ବିଶିଷ୍ଟ ସମାଜସେବୀ ତଥା କଂଗ୍ରେସର ବରିଷ୍ଠ ନେତା ସୁଦର୍ଶନ ଦାସଙ୍କ ଉଦ୍ୟମ ଓ ରାଇବଣିଆ ଦୁର୍ଗ ସୁରକ୍ଷା ଓ ଆଞ୍ଚଳିକ ଉନ୍ନୟନ ସଙ୍ଗଠନର ଅନୁରୋଧ କ୍ରମେ କୁଳପତି ଏହି ଐତିହାସିକ ନିଷ୍ପତ୍ତି ନେଇଛନ୍ତି l ଗତ ଏପ୍ରିଲ ମାସରେ ସୁଦର୍ଶନ ଦାସଙ୍କ ନେତୃତ୍ଵରେ ଦୁର୍ଗ ସୁରକ୍ଷା ସଙ୍ଗଠନର କର୍ମକର୍ତ୍ତା ମାନେ ଫକୀର ମୋହନ ବିଶ୍ବବିଦ୍ୟାଳୟକୁ ଯାଇ କୁଳପତିଙ୍କୁ ଭେଟିଥିଲେ ଓ ଦୁର୍ଗ ଉପରେ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ପାଇଁ ଅନୁରୋଧ କରିଥିଲେ । କୁଳପତି ପ୍ରଫେସର ତ୍ରିପାଠୀ ସେତେବେଳେ ଏହାକୁ ସମ୍ମତି ଦେଇଥିଲେ । ତଦନୁସାରେ ଆଜି କୁଳପତି ପ୍ରଫେସର ତ୍ରିପାଠୀ ବିଶ୍ଵବିଦ୍ୟାଳୟର ଇତିହାସ, ପ୍ରତ୍ନତତ୍ତ୍ଵ, ନୃତତ୍ତ୍ୱ, ସଂସ୍କୃତ ଓ ଓଡ଼ିଆ ବିଭାଗର ଅଧ୍ୟାପକ ଓ ଗବେଷକ ମାନଙ୍କୁ ନେଇ ରାଇବଣିଆ ଦୁର୍ଗ ପରିଦର୍ଶନରେ ଆସିଥିଲେ । ଡ୍ରୋନ କ୍ୟାମେରା ସାହାଯ୍ୟରେ ଦୁର୍ଗର ଫଟୋ ଉତ୍ତୋଳନ କରିବା ସହିତ ଗବେଷକ ମାନେ ଗଡ ଭିତରେ ଥିବା ବିଭିନ୍ନ ଶିଳା ଖଣ୍ଡ, ମୂର୍ତ୍ତୀ, କାରୁକାର୍ଯ୍ୟ ଇତ୍ୟାଦି ଦେଖିଥିଲେ । ଦୁର୍ଗ ପରିଦର୍ଶନ ପରେ ସ୍ଥାନୀୟ ବାସିନ୍ଦା, ଦୁର୍ଗ ସୁରକ୍ଷା କମିଟିର କର୍ମକର୍ତ୍ତା ଓ ସାମ୍ବାଦିକ ମାନଙ୍କ ସହିତ ଆଲୋଚନା କରିବା ପରିପ୍ରେକ୍ଷୀରେ ଖୁବ୍ ଶୀଘ୍ର ବିଶ୍ଵବିଦ୍ୟାଳୟ ରେ ରାଇବଣିଆ ଦୁର୍ଗ ଗବେଷଣା କେନ୍ଦ୍ର କାର୍ଯ୍ୟ ଆରମ୍ଭ କରିବ ବୋଲି କହିଥିଲେ । ପ୍ରଥମେ ସର୍ଭେ ହେବ ଏବଂ ପୁରା ଦୁର୍ଗର ମ୍ୟାପ ପ୍ରସ୍ତୁତ ହୋଇ କାର୍ଯ୍ୟ ଆରମ୍ଭ ହେବ । ବିଶ୍ଵବିଦ୍ୟାଳୟର ବିଭିନ୍ନ ବିଭାଗ ଯଥା ପ୍ରତ୍ନତତ୍ତ୍ଵ, ନୃତତ୍ତ୍ୱ, ଇତିହାସ, ସଂସ୍କୃତ, ଓଡ଼ିଆ, ଭୂତତ୍ଵ ବିଭାଗର ଗବେଷକ ଓ ପ୍ରାଧ୍ୟାପକ ମାନଙ୍କୁ ନେଇ ଏହି ଗବେଷଣା କେନ୍ଦ୍ର କାର୍ଯ୍ୟ କରିବ। ବିଶ୍ବବିଦ୍ୟାଳୟର ଏନଏସଏସ ସ୍ବେଚ୍ଛାସେବୀ ମାନଙ୍କ ଦ୍ଵାରା ଖୁବ୍ ଶୀଘ୍ର ଦୁର୍ଗ ଗର୍ଭ ଗୃହକୁ ପରିଷ୍କାର କରିବା ସହିତ ରାଇବଣିଆ ଦୁର୍ଗ ଉପରେ ଏକ ଜାତୀୟ ଆଲୋଚନା ଚକ୍ର ଆୟୋଜନ କରାଯିବ ବୋଲି ଶ୍ରୀ ତ୍ରିପାଠୀ ଘୋଷଣା କରିଥିଲେ । ଆଜି କୁଳପତିଙ୍କ ସହିତ ଭୁବନେଶ୍ୱରସ୍ଥିତ ଓ. ଆଇ. ଏମ. ଏସ.ଇ.ଏ.ଏସ ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ତଥା ସମ୍ପାଦକ ତଥା ବିଶିଷ୍ଟ ପ୍ରତ୍ନତତ୍ତ୍ଵବିତ ଡ଼ଃ ସୁନିଲ କୁମାର ପଟ୍ଟନାୟକ,ପ୍ରତ୍ନତତ୍ତ୍ଵବିତ ଗୋପାଳ ଚନ୍ଦ୍ର ପ୍ରଧାନ, ସହଯୋଗୀ ନିରଞ୍ଜନ ପଣ୍ଡା,ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ମୁଖ୍ୟ ଡ଼ଃ ଦେବାଶିଷ ପାତ୍ର,ନୂତତ୍ତ୍ୱ ବିଭାଗର ସହକାରୀ ପ୍ରଫେସର ଡ଼ଃ ବିଶ୍ୱଜିତ୍ ପରିଡ଼ା ଓ ଡ଼ଃ ଆକାଶ ମଲ୍ଲିକ, ଇତିହାସ ଓ ପ୍ରତ୍ନତତ୍ତ୍ଵ ବିଭାଗ ସହକାରୀ ପ୍ରଫେସର ଡ଼ଃ ସୁଶାନ୍ତ ବାରିକ,ଡ଼ଃ ଶିଖା ରାୟ ଓ ଡ଼ଃ ସୌମୀ ସେନଗୁପ୍ତ,ସହଯୋଗୀ ଜିନା ପ୍ରିୟଦର୍ଶିନୀ ଯେଠୀ,ପିଜି ଛାତ୍ର ଜ୍ଞାନ ରଞ୍ଜନ ବେହେରା ଓ ପର୍ଶୁରାମ ମହାନ୍ତି ପ୍ରମୁଖ ବିଭାଗୀୟ ମୁଖ୍ୟ, ସହକାରୀ ପ୍ରଫେସର ଓ ସହଯୋଗୀ କର୍ମଚାରୀ ମାନେ ପ୍ରତିନିଧି ଦଳରେ ସାମିଲ ଥିଲେ ସମାଜସେବୀ ତଥା ସ୍ତମ୍ଭକାର ସୁଦର୍ଶନ ଦାସଙ୍କ ସମେତ ଶିତଳା ଠାକୁରାଣୀ ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ଅଞ୍ଜନ କୁମାର ପାଲ, ଓଡ଼ିଆ ଅଧ୍ୟାପିକା ରାଧାରାଣୀ ମହାନ୍ତି,ରାଇବଣିଆ ଦୁର୍ଗ ସୁରକ୍ଷା ଓ ଆଞ୍ଚଳିକ ଉନ୍ନୟନ ସଂଗଠନର ସଭାପତି ପ୍ରଫୁଲ୍ଲ କୁମାର ସୁର, ସମ୍ପାଦକ ଡ଼ଃ ଶ୍ରୀକାନ୍ତ ଚରଣ ପାତ୍ର, ସହସମ୍ପାଦକ ନାରାୟଣ ଦାସ, ନୃସିଂହ ଚରଣ ଜେନା,ଚିତ୍ତରଞ୍ଜନ ରାଉତ, ବସନ୍ତ ଘୋଷ, ଆଦିକନ୍ଦ ପ୍ରଧାନ,ରାହୁଲ କୁମାର ଗିରି ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ହେମନ୍ତ ଗିରି ସଂଯୋଜନା କରିଥିଲେ । ଜଳେଶ୍ଵର ଓ ରାଇବଣିଆବାସୀଙ୍କ ପକ୍ଷରୁ କୁଳପତିଙ୍କୁ ସୁଦର୍ଶନ ଦାସ ଏଭଳି ଐତିହାସିକ ନିଷ୍ପତ୍ତି ଓ ପଦକ୍ଷେପ ପାଇଁ ଧନ୍ୟବାଦ ଜଣାଇଛନ୍ତି ।

Post a Comment

Previous Post Next Post