ଜେସିବି ଟ୍ରାକ୍ଟର ମାଧ୍ୟମରେ ମନରେଗା କାମ।ଜବକାର୍ଡ ଧାରୀ ହତାଶ


ବାଲେଶ୍ଵର, (ପ୍ରଭାକର ମଲ୍ଲିକ) ମନରେଗା ଯୋଜନାରେ ଜବକାର୍ଡ ଧାରୀ ମାନଙ୍କୁ ବର୍ଷକୁ ଶହେଦିନର କାର୍ଯ୍ୟ ଯୋଗାଇବା ପାଇଁ କେନ୍ଦ୍ର ସରକାର ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ପ୍ରଣୟନ କରିଥିବା ବେଳେ ବାସ୍ତବରେ ତାହା ଏବେ ଦିଗହରା ହୋଇଥିବା ଦେଖିବାକୁ ମିଳୁଛି। ଗ୍ରାମ ପଞ୍ଚାୟତରେ କିଛି ଦଲାଲ୍ ଓ ସରକାରୀ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ମେସିନ୍ ଦ୍ବାରା କାମ କରାଯାଇ ଅର୍ଥ ହଡ଼ପ କରାଯିବା ସହ ଜବକାର୍ଡ ଧାରୀ ମାନଙ୍କୁ କାର୍ଯ୍ୟରୁ ବାଦ୍ ଦିଆଯାଉଛି। ଏପରି ଏକ ଅଭାବନୀୟ ପରିସ୍ଥିତି ଦେଖାଦେଇଛି ବାଲିଆପାଳ ବ୍ଲକ ସାଉଡି ପଞ୍ଚାୟତର ବିସିକାଦେଇପୁର ଗ୍ରାମରେ। ବିସିକାଦେଇପୁର ସ୍କୁଲ୍ ପୋଖରୀ ଠାରୁ ବିସିକାଦେଇପୁର୍ ଚକ ପର୍ଯ୍ୟନ୍ତ ନରେଗା ଯୋଜନାରେ କାର୍ଯ୍ୟ ଚାଲୁଥିବା ବେଳେ ସେଠାରେ ଜବକାର୍ଡ ଧାରୀ ମାନଙ୍କୁ କାର୍ଯ୍ୟରୁ ବାଦ୍ ଦେଇ ଜେସିବି ଓ ଟ୍ରାକ୍ଟର ମାଧ୍ୟମରେ ଗୋଚର ଜମି ରୁ ମାଟି ଆଣି ବିଲରେ ଠୁଳ କରି ବେଆଇନ୍ ରୂପେ ମାଟି କାମ କରୁଛନ୍ତି । ପ୍ରକଳ୍ପ ଠାରେ ସୂଚନା ଫଳକ ମଧ୍ୟ ଲଗାଯାଇନି। ଫଳରେ ଜବକାର୍ଡ ଧାରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହେବା ସହିତ ଜିଲ୍ଲାପାଳ ଙ୍କ ଠାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି। ତେବେ ତୁରନ୍ତ ଏହାର ବିଧିବଦ୍ଧ ତଦନ୍ତ କରାଇ ଦୋଷୀ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିବା ସହିତ ଶ୍ରମିକମାନଙ୍କୁ କାର୍ଯ୍ୟ କରିବାର ସୁଯୋଗ ଦେବାକୁ ନିବେଦନ କରିଛନ୍ତି।

Post a Comment

Previous Post Next Post