ଅଧୁରା ରହିଗଲା ଜଗା ଦର୍ଶନ ଅଧାବାଟରେ ହୃଦଘାତରେ ଚାଲିଗଲା ଜୀବନ


ବାଲେଶ୍ଵର,(ପ୍ରଭାକର ମଲ୍ଲିକ) ଦୀର୍ଘ ବର୍ଷ ପରେ ଜଗା ଦର୍ଶନ ଲାଗି ସୁଯୋଗ ମିଳିଥିଲା। ସେଥିଲାଗି ପରିବାର ସହ ହସ ଖୁସିରେ ସକାଳ ଟ୍ରେନରେ ବାହାରି ଯାଇଥିଲେ ପୁରୀ ଅଭିମୁଖେ। ମାତ୍ର ଅଧାବାଟରେ ହୃଦଘାତରେ ଚାଲିଗଲା ଜଣେ ଭକ୍ତଙ୍କ ଜୀବନ। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ବସ୍ତା ବ୍ଲକ୍ ନଟାକଟା ପଂଚାୟତ ଅନ୍ତର୍ଗତ ହଦମୌଦ ଗ୍ରାମରେ। ସୂଚନା ଅନୁସାରେ ଏହି ଗ୍ରାମର ଅଜିତ କୁମାର ଭଦ୍ର(୩୩) ତାଙ୍କ ସ୍ତ୍ରୀ ଓ ୨ ବର୍ଷର ଶିଶୁପୁତ୍ର ସହ ଦୀର୍ଘ ବର୍ଷ ଧରି ବାଙ୍ଗାଲୋରରେ ରହିଆସୁଛନ୍ତି।ସେଠାରେ ସେ ଏକ ଘରୋଇ କମ୍ପାନୀରେ କାମ କରନ୍ତି।ପ୍ରତି ୩-୪ ବର୍ଷରେ ଥରେ ଗାଁକୁ ଆସି ଗାଁରେ କିଛି ଦିନ ବିତାଇ ପୁଣି ବାଙ୍ଗାଲୋର ଫେରିଥାନ୍ତି ଅଜିତ।ତେବେ ଅଜିତ ଦୁଇ ଦିନ ପୂର୍ବରୁ ଗାଁକୁ ଫେରିଥିଲେ। ପୂର୍ବ ପ୍ରସ୍ତୁତି ମୁତାବକ ବାପା,ମା,ବଡ ଭାଇ,ସାନ ଭାଇ,ଭାଉଜ,ପିଲା ଛୁଆଙ୍ଗ ସହ ଆଜି ଖଡକପୁର ଖୋର୍ଦ୍ଧାରୋଡ଼ ଫାଷ୍ଟ ପ୍ୟାସେଞ୍ଜର ଟ୍ରେନରେ ଅମର୍ଦ୍ଦାରୋଡ଼ ଷ୍ଟେସନରୁ ସମସ୍ତେ ପୁରୀ ଅଭିମୁଖେ ବାହାରିଥିଲେ। କିଛି ବାଟ ଗଲା ପରେ ଅର୍ଥାତ୍ ବାଲେଶ୍ବର ଷ୍ଟେସନ ପରେ ଅଜିତଙ୍କର ଛାତିରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ପରେ ଯନ୍ତ୍ରଣା ବଢିବାରୁ ଅଜିତଙ୍କ ସମେତ ସମସ୍ତ ପରିବାର ସଦସ୍ୟ ମାର୍କୋଣା ଷ୍ଟେସନରେ ଓହ୍ଲାଇ ଥିଲେ। ବଡ ଭାଇଙ୍କ କାନ୍ଧରେ ଭରା ଦେଇ ଅଜିତ୍ କିଛି ବାଟ ଚାଲିବା ପରେ ଛାତିରେ ଭୀଷଣ ଯନ୍ତ୍ରଣା ଅନୁଭବ କରିଥିଲେ ଯାହାଦ୍ବାରା ସେହିଠାରେ ହିଁ ହୃଦଘାତରେ ଅଜିତଙ୍କର ପ୍ରାଣବାୟୁ ଚାଲିଯାଇଥିଲେ।ପରେ ଅଜିତଙ୍କ ମୃତଦେହକୁ ବ୍ୟବଚ୍ଛେଦ କରାଯାଇ ଭାନ୍ଦିପୁରସ୍ଥିତ ବଡଦାଣ୍ଡ ଶ୍ମଶାନଠାରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା।ଏନେଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Post a Comment

Previous Post Next Post