ତେନ୍ତୁଳି ମୁଣ୍ଡା - କର୍ଲାଖୁଣ୍ଟା ରାସ୍ତା ପାଲଟିଛି ମରଣଯନ୍ତା, ଜିଲ୍ଲା ପ୍ରଶାସନ ର ନଜର ପଡ଼ିବ କେବେ?


କଣ୍ଟାମାଳ,(ମନଧର କର୍ମୀ) ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗମନା ଗମନ ପାଇଁ ଅନେକ ଯୋଜନା ପ୍ରଣୟନ କରି ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ।କିନ୍ତୁ ବିଭାଗୀୟ ଅଧିକାରୀଙ୍କ ବୈମାତୃକ ମନୋଭାବ ଯୋଗୁଁ ଆଜି ବି ଅନେକ ଲୋକ  ରାସ୍ତା ଭଳି ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି ।ପ୍ରାପ୍ତ ସୂଚନା ଅନୁସାରେ, ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଉମା ଗ୍ରାମ ପଞ୍ଚାୟତ ତେନ୍ତୁଳି ମୁଣ୍ଡା ଠାରୁ କର୍ଲାଖୁଣ୍ଟା ଯାଇଥିବା  ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଛି  । ରାସ୍ତା ଉପରେ ଆଖପାଖ ୧୦ଖଣ୍ଡ ଗ୍ରାମର ଶତାଧିକ ଲୋକ ନିର୍ଭର କରିଥାନ୍ତି ।ଅନେକ ଜାଗାରେ ଅନେକ ଖାଲ ଖମା ହୋଇ ଥିବାରୁ ବର୍ଷା ଦିନେ ଏହି ରାସ୍ତାରେ ବହୁ କଷ୍ଟରେ ଲୋକେ ଯିବା ଆସିବା କରିଥାନ୍ତି ।ଅନ୍ୟପଟେ ରାସ୍ତାରେ ଏକ ନାଳ ପଡୁଥିବାରୁ ବର୍ଷାଦିନେ ଲୋକେ ଯିବା ଆସିବା ପାଇଁ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥାନ୍ତି । ଏପରିକି ଛାତ୍ରଛାତ୍ରୀ ମାନେ ମଧ୍ୟ ବିପଦଶଙ୍କୁଲ ଅବସ୍ଥାରେ ଭରା ନାଳରେ ପାରି ହୋଇ ସ୍କୁଲ ଯାଇଥାନ୍ତି । ଅନେକ ସମୟରେ  ନାଳ ପାରି ହେବା ସମୟରେ ପ୍ୟାଣ୍ଟ୍ ସାର୍ଟ, ବହି ବସ୍ତାନି ଆଦି ନଷ୍ଟ ହେବାର ଅଭିଯୋଗ ମଧ୍ୟ ହୋଇଛି ।ଏହି ରାସ୍ତା ପାଇଁ ଅଞ୍ଚଳବାସୀ ଅନେକ ଥର ପ୍ରଶାସନ ନିକଟରେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳି ନଥିବା ଅଭିଯୋଗ ହୋଇଛି। ଉକ୍ତ ରାସ୍ତାକୁ ମରାମତି କରିବା ସହ ନାଳ ଉପରେ ଏକ ପୋଲ ନିର୍ମାଣ କରିବାକୁ ଅଞ୍ଚଳବାସୀ ପ୍ରଶାସନ ନିକଟରେ ଦାବୀ କରିଛନ୍ତି ।

Post a Comment

Previous Post Next Post