୩ ବର୍ଷ ପରେ ବି ବୋଲ ମାନୁନି ମାସ୍କ ! ୪୪ହଜାର ଲୋକ ଗଣିଲେଣି ୧୩ କୋଟି ଟଙ୍କା ଜରିମାନା

 


ବଲାଙ୍ଗିର,(ଆଜତକ୍ ଓଡ଼ିଶା) ଗଲା ତିନି ବର୍ଷ ହେଲା ପ୍ରଶାସନଠୁ ଆରମ୍ଭ କରି ପୁଲିସ, ସ୍ୱାସ୍ଥ୍ୟ ବିଭାଗ ସମସ୍ତେ ସଚେତନ କରୁଛନ୍ତି। ଆଜି ବି ଲୋକଙ୍କୁ ମାସ୍କ ବଣ୍ଟା ଅଭିଯାନ ସହ ବିଶୋଧକ ବଣ୍ଟନ ଚାଲିଛି। ହେଲେ ଅମାନିଆଙ୍କୁ ଲଗାମ ଦେବ କିଏ? ମୋତେ ଯେତେ ମାଠିବୁ ମାଠ, ମୁଁ ସେଇ ଦରପୋଡା କାଠ ନିୟମରେ ଅମାନିଆ ସେମାନଙ୍କ ଢଙ୍ଗରେ। ଆଉ ରାସ୍ତାରେ ଲାଠି ଧରି ପୁଲିସ ସେମାନଙ୍କୁ ଅଟକାଇବା ପ୍ରକ୍ରିୟା ଆଜି ବି ବଳବତ୍ତର। ଇତିମଧ୍ୟରେ ମିଳିଥିବା ଏକ ତଥ୍ୟ ଅନୁସାରେ, ବଲାଙ୍ଗିର ଜିଲାରେ ୪୪ହଜାର ୪ଶହ ଲୋକ ତୁଣ୍ଡି ନପିନ୍ଧିବା ଅଭିଯୋଗରେ ଧରାପଡ଼ିଲେଣି। ଆଉ ସେମାନଙ୍କଠାରୁ  ଜରିମାନା ବାବଦରେ ଆଦାୟ ହେଲାଣି ୩ ବର୍ଷରେ ୧୩ କୋଟି ୯୦ଲକ୍ଷ ୨ହଜାର ୬୨୫ ଟଙ୍କା। ଅନେକେ ତଣ୍ଡ ଦେବା ଭୟରେ ଗଳାବାଟ ଦେଇ ଗଳି ଯାଉଛନ୍ତି। ତେବେ ବଲାଙ୍ଗିର ଭଳି ଜିଲାରେ ଏତେ ପରିମାଣର ତଣ୍ଡ ଆଦାୟ ପରେ ବି ମାସ୍କ ପ୍ରତି ଲୋକଙ୍କର ନିଘା ନଥିବା ଦର୍ଶାଉଛି।

ଗତ ୨୦୨୦ ଏପ୍ରିଲ ମାସ ୧୫ ତାରିଖରେ ବଲାଙ୍ଗିର ଜିଲାରେ ଆରମ୍ଭ ହୋଇଥିଲା ମାସ୍କ୍ ଧରପଗଡ଼ ଅଭିଯାନ। ପ୍ରଥମେ ପ୍ରଥମେ କୋହଳ ମନୋଭାବ ପୋଷଣ କରିଥିଲା ପୁଲିସ। ହେଲେ ଅମାନିଆମାନେ ପୁଲିସ ସାମ୍ନାରେ ମାସ୍କ୍ ନପିନ୍ଧି ମନଇଚ୍ଛା ବୁଲିବା ଦେଖି ବେଶ ଶକ୍ତ ହୋଇ ଉଠିଥିଲେ। ତା’ପରେ ଜୋରଦାର କରାଯାଇଥିଲା ତୁଣ୍ଡି ଧରପଗଡ଼ ଓ ତଣ୍ଡ ଗଣତି ଅଭିଯାନ। ଏହିକ୍ରମରେ ଗତ ୩ ବର୍ଷର ତଥ୍ୟ ଖେଳାଇଲେ (୨୦୨୨ ଜାନୁଆରି ୫ ତାରିଖ ଯାଏ) ବଲାଙ୍ଗିର ସହରାଞ୍ଚଳ ପୁଲିସ ସର୍ବାଧିକ ୭ହଜାର ୬୩୪ଜଣ ଲୋକଙ୍କୁ ମାସ୍କ୍ ପିନ୍ଧି ନଥିବା ଅଭିଯୋଗରେ ଧରିବା ସହ ସେମାନଙ୍କଠାରୁ ୨୧ଲକ୍ଷ ୪ହଜାର ୩୮୦ ଟଙ୍କା ଜରିମାନା ଆଦାୟ କରିଛି।

ସେହିପରି ସଦର ପୁଲିସ ୧୧ଶହ ୯୧ଜଣଙ୍କଠାରୁ ୫ଲକ୍ଷ ୪୪ହଜାର ୭ଶହ ଟଙ୍କା, ତୁଷୁରା ପୁଲିସ ୧୬୦୯ଜଣଙ୍କଠାରୁ ୪ଲକ୍ଷ ୩୩ହଜାର ୫ଶହ ଟଙ୍କା, ଦେଓଗାଁ ପୁଲିସ ୯୨୯ଜଣଙ୍କଠାରୁ ୩ଲକ୍ଷ ୪୪ହଜାର ଟଙ୍କା, ଲୋଇସିଂହା ପୁଲିସ ୨୭୯୮ଜଣଙ୍କଠାରୁ ୧୧ଲକ୍ଷ ୫୧ହଜାର ୯୫୦ ଟଙ୍କା, ପୁଇଁନ୍ତଲା ପୁଲିସ ୨୫୨୮ଜଣଙ୍କଠାରୁ ୬ଲକ୍ଷ ୯୧ହଜାର ୮୧୫ ଟଙ୍କା, ପାଟଣାଗଡ଼ ପୁଲିସ ୪ହଜାର ୭୦୧ଜଣଙ୍କଠାରୁ ୧୪ଲକ୍ଷ ୭୭ହଜାର ୫ଶହ ଟଙ୍କା, ବେଲପଡ଼ା ପୁଲିସ ୧୮୯୧ଜଣଙ୍କଠାରୁ ୬ଲକ୍ଷ ୮୫ହଜାର ୬ଶହ ଟଙ୍କା, ଖପ୍ରାଖୋଲ ପୁଲିସ ୧୭୩୮ଜଣଙ୍କଠାରୁ ୪ଲକ୍ଷ ୭୫ହଜାର ୮୫୦ ଟଙ୍କା, ଲରମ୍ଭା ପୁଲିସ ୧୧୯୫ଜଣଙ୍କଠାରୁ ୨ଲକ୍ଷ ୬୧ହଜାର ୩ଶହ ଟଙ୍କା, ଲାଠୋର ପୁଲିସ ୮୨୯ଜଣଙ୍କଠାରୁ ୨ଲକ୍ଷ ୩୪ହଜାର ୮୬୦ ଟଙ୍କା, ଟିଟିଲାଗଡ଼ ପୁଲିସ ୨୪୦୯ଜଣଙ୍କଠାରୁ ୯ଲକ୍ଷ ୯୦ହଜାର ୯୪୦ ଟଙ୍କା, ସଇଁନ୍ତଲା ପୁଲିସ ୩୯୪୦ଜଣଙ୍କଠାରୁ ୧୦ଲକ୍ଷ ୭୫ହଜାର ୩୦ ଟଙ୍କା, ସିନେ୍ଧକେଲା ପୁଲିସ ୨୬୭୦ଜଣଙ୍କଠାରୁ ୭ଲକ୍ଷ ୩୭ହଜାର ୨ଶହ ଟଙ୍କା, କଣ୍ଟାବାଞ୍ଜି ପୁଲିସ ୩୧୦୬ଜଣଙ୍କଠାରୁ ୧୧ଲକ୍ଷ ୫୪ହଜାର ୩ଶହ ଟଙ୍କା, ମୁରିବାହାଲ ପୁଲିସ ୨୩୪୪ଜଣଙ୍କଠାରୁ ୫ଲକ୍ଷ ୪୯ହଜାର ୨ଶହ ଟଙ୍କା, ବଙ୍ଗୋମୁଣ୍ଡା ପୁଲିସ ୧୭୧୧ଜଣଙ୍କଠାରୁ ୪ଲକ୍ଷ ୫୭ହଜାର ଶହେ ଟଙ୍କା ଓ ତୁରେକେଲା ପୁଲିସ ୧୨୮୨ଜଣଙ୍କଠାରୁ ୫ଲକ୍ଷ ୩୧ହଜାର ୨ଶହ ଟଙ୍କା ତଣ୍ଡ ଆଦାୟ କରାଯାଇଥିବା ଜଣାପଡ଼ିଛି। ଏହି ତଣ୍ଡ ଗଣତି ଅବଧି ଆଜି ବି ଶେଷ ହୋଇ ନାହିଁ। ବୁଧୁବାର ବଲାଙ୍ଗିର ସହରାଞ୍ଚଳ ଥାନା ସମ୍ମୁଖରେ ପୁଲିସ କର୍ମଚାରୀମାନେ ମାସ୍କ୍ ପିନ୍ଧି ନଥିବା ଲୋକଙ୍କୁ ଧରପଗଡ଼ କରି ତଣ୍ଡ ଆଦାୟ କରୁଥିବା ଦେଖିବାକୁ ମିଳିଛି। ସେହି ପରି କଣ୍ଟାବାଞ୍ଜି ଇନ୍ଦିରା ଛକ ରେ ମଧ୍ଯ ଦେଖିବକ ମିଳିଥିଲା।

ମାସ୍କ ପିନ୍ଧ, ସାମାଜିକ ଦୂରତା ରକ୍ଷା କର ଓ ବାରମ୍ବାର ହାତ ଧୋଇବାକୁ ପରାମର୍ଶ ଦିଆଯାଉଛି କରୋନା ପାଇଁ। ପ୍ରଥମ ଦଫାରେ ବଲାଙ୍ଗିର ଜିଲାର ବହୁ ଲୋକ କରୋନାରେ ଆକ୍ରାନ୍ତ ହୋଇଥିଲେ। ଦ୍ୱିତୀୟ ଲହର ବେଳକୁ ଏହା ସୀମା ଟପିଥିଲା। ସମାନ ଅନୁପାତରେ ମୃତ୍ୟୁ ସଂଖ୍ୟା ବି ଚିନ୍ତାର ବିଷୟ ହୋଇଥିଲା। ଏକପ୍ରକାର ଅଣଆୟତ୍ତ ଅବସ୍ଥା। ଆଉ ତୃତୀୟ ଲହର ବେଳକୁ ଲୋକେ ଆଶ୍ୱସ୍ତ ହୋଇ ବସିବା ବେଳକୁ କରୋନା ସଂକ୍ରମଣ ଏଭଳି ବଢ଼ିଥିଲା ଯେ ସମସ୍ତଙ୍କ ଚିନ୍ତାର ବିଷୟ ପାଲଟିଥିଲା। ଜଣେ ପୁଲିସ କର୍ମଚାରୀଙ୍କ କହିବା ଅନୁସାରେ, କରୋନା ପାଇଁ ପୁଲିସକୁ ଶକ୍ତ ହେବା ସହ ଜରିମାନା ଆଦାୟ କରିବାକୁ ବାଧ୍ୟ ହେବାକୁ ପଡ଼ିଲା। ନହେଲେ ସେମାନେ ଏତେ ଜୋର ଦିଅନ୍ତେ ନାହିଁ କି ଜୀବନକୁ ଲଗାଇ ଲୋକଙ୍କୁ ଅଟକାନ୍ତେ ନାହିଁ।

Post a Comment

Previous Post Next Post