କଣ୍ଟାବାଞ୍ଜି,(ଆଜତକ୍ ଓଡ଼ିଶା): କଣ୍ଟାବାଞ୍ଜି ପୁଲିସ ଜଣେ ଯୁବକର ନିଖୋଜ ଏତଲାକୁ ନେଇ ବର୍ଷ ପରେ ଡାବରୀ ଗ୍ରାମ ନିକଟରେ ଥିବା ରେଳ ବାଇ ଚାଷ ଜମିରୁ ଜେସିବି ସାହାଯ୍ୟ ଖୋଳି ଏକ ମଣିଷ କଙ୍କାଳ ଉଦ୍ଧାର କରିଛି। ଏହି କଙ୍କାଳଟି ଉକ୍ତ ନିଖୋଜ ଯୁବକର ନାଁ ଅନ୍ୟ କାହାର ତାହା ତଦନ୍ତ ପରେ ଜଣା ପଡିବ ବୋଲି ପୁଲିସ ସୂଚନା ଦେଇଛି।
ପୁଲିସ ସୂତରୁ ପ୍ରକାଶ ଯେ ଗତ ୨୦୨୦ମସିହାରେ ଝାରଖଣ୍ଡ ରାଜ୍ୟ ରାଞ୍ଚି ଅଞ୍ଚଳର ପେଟି ଠିକାଦାର ମୁକ୍ତାର ଆନସାରୀ କିଛି ଶ୍ରମିକଙ୍କୁ ନେଇ ରେଳ ବାଇ ଠିକା କାମ କରିବାକୁ ଆଣିଥିଲେ। ଏହି ସମସ୍ତ ଶ୍ରମିକ ଠିକା କାମ ସାରିବା ପରେ ନିଜ ନିଜ ଘରକୁ ଫେରି ଯାଇଥିଲେ, ହେଲେ ଠିକାଦାରଙ୍କ ପାଖରେ କାମ କରୁଥିବା ଲତୀଫୁଲ ଆନସାରୀ ଘର ଫେରି ନ ଥିଲେ। ଏହାପରେ ପରିବାର ଲୋକେ ଲତୀଫୁଲ କୁଆଡେ ନିଖୋଜ ହୋଇ ଯାଇଥବା କଣ୍ଟାବାଞ୍ଜି ଥାନାରେ ୨୦୨୦ ନଭେମ୍ବର ୧୬ତାରିଖରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ପକ୍ଷରୁ ସେହି ସମୟରେ କୌଣସି ପ୍ରକାର ପଦକ୍ଷେପ ନିଆଯାଇନଥିଲା। ଏହାପରେ ନିଖୋଜ ଯୁବକର ବାପା ନିଜ ଗ୍ରାମର ଅନ୍ୟ ଶ୍ରମିକଙ୍କ ଠାରୁ ଜାଣିବାକୁ ପାଇଲେ ଯେ ତାଙ୍କ ପୁଅକୁ କଣ୍ଟାବାଞ୍ଜି ଅଞ୍ଚଳରେ ମାରି ପୋତିଦିଆଯାଇଛି। ଯୁବକର ବାପା ଗତ ୨୦୨୧ ଡିସେମ୍ବର ୩୧ ତାରିଖ ଦିନ ଥାନାକୁ ଆସି ପୁଣି ଥରେ ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ଏତଲା ଦେଇଥିଥିଲେ। ଆଜି ଅପରାହ୍ଣରେ ଡାବରୀ ଗ୍ରାମରେ ପହଞ୍ଚି ଏକ ପରିତ୍ୟକ୍ତ ଜମିରୁ ଏକ ହାଡ଼ ଉପରକୁ ବାହାରି ଥିବା ସ୍ଥାନରେ ପୁଲିସ ପହଞ୍ଚିଥିଲା। ପୁଲିସ ପାରିପାର୍ଶିକ ସ୍ଥିତିକୁ ଦେଖି ସେହି ସ୍ଥାନକୁ ଜେସିବିରେ ଖୋଳିବା ପରେ ଏକ ନର କଙ୍କାଳର ଖଣ୍ଡ ଖଣ୍ଡ ହାଡ଼ ଉକ୍ତ ଜମିରୁ ବାହାରି ଥିଲା। ଏହି କଙ୍କାଳ ପୁରଷ ନା ମହିଳା ତାହା ପୁଲିସ ଚି଼ହ୍ନଟ କରି ପାରି ନାହିଁ। ଆଜି ସୁଦ୍ଧା ଏହି ମାମଲାରେ କାହାରିକୁ ଗିରଫ କରାଯାଇନଥିବା ଜଣା ପଡିଛି। ଅନୁମାନ କରାଯାଉଛି ଯେ ଏହି କଙ୍କାଳକୁ ନେଇ ପୁଲିସ ଡିଏନଏ ଟେଷ୍ଟର ସାହାରା ନେଇ ପାରେ। ଆଜିର ଏହି ଘଟଣା ସ୍ଥଳରେ ମାଜିଷ୍ଟ୍ରେଟ ଦାଇତ୍ୱରେ ସ୍ଥାନୀୟ ତହସିଲଦାର ସମୀର ବେହେରା, ଏସଡିପିଓ ହୃଷିକେଶ ମେହେର, ଥାନା ଅଧିକାରୀ ସତ୍ୟଜିତ କନ୍ଦନକେଲ, ବଲାଙ୍ଗୀର ସାଇଣ୍ଟିଫିକ ଟିମ, ରେଳ ବାଇ ପୁଲିସ ବିଭାଗ ଏବଂ ସ୍ଥାନୀୟ ଟାଉନ ଥାନା ର ପୁଲିସ ପ୍ରମୁଖ ଉପସ୍ଥିତ ଥିଲେ।
Post a Comment