ପଛୁଆବର୍ଗଙ୍କୁ ଚାକିରିରେ ସଂରକ୍ଷଣ ବିବାଦ


ଭୁବନେଶ୍ୱର,(ଆଜତକ୍ ଓଡ଼ିଶା) : ପୌର ଓ ପଞ୍ଚାୟତ ନିର୍ବାଚନରେ ପଛୁଆବର୍ଗଙ୍କ ପାଇଁ ଥିବା ସଂରକ୍ଷଣ ବ୍ୟବସ୍ଥା ସରକାର ପ୍ରତ୍ୟାହାର କରିନେବା ପରେ ଏବେ ଏହି ବର୍ଗଙ୍କ ପାଇଁ ଚାକିରି କ୍ଷେତ୍ରରେ ଥିବା ସଂରକ୍ଷଣ କାଏମ ରହିବ ନା ପ୍ରତ୍ୟାହୃତ ହେବ ସେଥିଘେନି ଚର୍ଚ୍ଚା ଚାଲିଛି ।ଏଠାରେ ଉଲ୍ଲେଖନୀୟ ଯେ ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଜନସଂଖ୍ୟା ଅନୁପାତରେ ଅନୁସୂଚୀତ ଜାତି ଓ ଜନଜାତି ବର୍ଗର ପ୍ରାର୍ଥୀମାନଙ୍କ ଲାଗି ବିଭିନ୍ନ ସରକାରୀ ଚାକିରିରେ କନିଷ୍ଠ ପ୍ରଥମ ଶ୍ରେଣୀ ପାହ୍ୟା ପର୍ଯ୍ୟନ୍ତ ସଂରକ୍ଷଣ ରହିଛି । ଏଥିରେ ଅନୁସୂଚୀତ ଜନଜାତି ବର୍ଗଙ୍କ ଲାଗି ଓଡ଼ିଶାରେ ୨୨.୫ ପ୍ରତିଶତ ସ୍ଥାନ ସଂରକ୍ଷିତ ରହୁଥିବା ବେଳେ ଅନୁସୂଚୀତ ଜାତି ବର୍ଗଙ୍କ ପାଇଁ ସଂରକ୍ଷିତ ରହୁଛି ୧୬.୨୫ ପ୍ରତିଶତ ଆସନ ।
୯୦ ଦଶକରେ ବିଶ୍ୱନାଥ ପ୍ରତାପ ସିଂଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ କେନ୍ଦ୍ର ସରକାର ପଛୁଆବର୍ଗଙ୍କ ଲାଗି ଚାକିରି କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରିବାରୁ ଓଡ଼ିଶା ସମେତ ଦେଶର ପ୍ରାୟ ପ୍ରତି ରାଜ୍ୟରେ ପ୍ରତିବାଦର ସ୍ୱର ଉଠିଥିଲା । ତେବେ ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟଙ୍କ ଏକ ରାୟ ଆଧାରରେ କେନ୍ଦ୍ର ସରକାର ପଛୁଆବର୍ଗଙ୍କ ପାଇଁ ଚାକିରି କ୍ଷେତ୍ରରେ ୨୭ ପ୍ରତିଶତ ଆସନ ସଂରକ୍ଷଣ ରଖି ମୋଟ ସଂରକ୍ଷଣ ସୀମା ୫୦ ପ୍ରତିଶତରେ ସୀମିତ ରଖିଥିଲେ । ଜାତୀୟ ସ୍ତରରେ ଉଭୟ ଏସସି ଓ ଏସଟିଙ୍କ ପାଇଁ ଥିବା ସଂରକ୍ଷଣ ମିଶି ୨୨.୫୦ ପ୍ରତିଶତ ରହିଛି ।

ଓଡ଼ିଶା ସରକାର ମଣ୍ଡଳ କମିଶନ ରିପୋର୍ଟକୁ ଅଗ୍ରାହ୍ୟ କରିଦେବା ସହ ନିଜସ୍ୱ କମିଶନ ବସାଇଥିଲେ ଏବଂ ସେହି କମିଶନଙ୍କ ସୁପାରିସ୍‍ ଆଧାରରେ ୧୯୯୩ ମସିହାରେ ପ୍ରଥମ ପର୍ଯ୍ୟାୟରେ ପଛୁଆବର୍ଗଙ୍କ ଲାଗି ୧୧.୨୫ ପ୍ରତିଶତ ଆସନ ସଂରକ୍ଷଣ କରିଥିଲେ । କମିଶନଙ୍କ ସୁୂପାରିସ୍‍ ମୁତାବକ ପଛୁଆବର୍ଗର କେତେ ଲୋକ ରାଜ୍ୟରେ ବସବାସ କରୁଛନ୍ତି ଏବଂ ସେମାନଙ୍କ ମଧ୍ୟରୁ କେଉଁମାନଙ୍କର ଚଳିବା ଉନ୍ନତମାନର ସେ ସଂକ୍ରାନ୍ତରେ କମିଟି ମାଧ୍ୟମରେ ତଥ୍ୟ ଅନୁସଂଧାନ କରି ‘କ୍ରିମି ଲେୟାର’ ବା ସ୍ୱଚ୍ଛଳ ବର୍ଗଙ୍କୁ ସଂରକ୍ଷଣ ତାଲିକାରୁ ବାଦ୍‍ ଦିଆଯିବା କଥା । ଇତିମଧ୍ୟରେ ସବରୱାଲ, ନାଗରାଜ ଆଦି ମାମଲାରେ ସୁପ୍ରିମକୋର୍ଟ ପଛୁଆବର୍ଗ ସଂରକ୍ଷଣ ସଂକ୍ରାନ୍ତରେ କ୍ୱାଣ୍ଟିଫିଏବୁଲ ଡାଟା ସଂଗ୍ରହ କରିବାକୁ କହିଥିଲେ ମଧ୍ୟ ଏଯାବତ୍‍ ଏହା ହୋଇପାରି ନାହିଁ ।

ଇତିମଧ୍ୟରେ ରାଜ୍ୟ ସରକାର ପଛୁଆବର୍ଗଙ୍କ ପାଇଁ ଚାକିରି କ୍ଷେତ୍ରରେ ସଂରକ୍ଷଣ ହାର ୨୭ ପ୍ରତିଶତକୁ ବୃଦ୍ଧି କରିଥିଲେ ମଧ୍ୟ ହରପ୍ରିୟା ଦାସ ମାମଲାରେ ତାହା ସ୍ୟାଟ୍‍ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ନାକଚ ହୋଇଯିବାରୁ ପୁଣି ଏହି ବର୍ଗଙ୍କ ପାଇଁ ଚାକିରି କ୍ଷେତ୍ରରେ ସଂରକ୍ଷଣ ହାର ୧୧.୨୫ ପ୍ରତିଶତକୁ କମାଇ ଦିଆଯାଇଥିଲା । ୨୦୦୮ ମସିହାରେ ରାଜ୍ୟ ସରକାର ଅନ୍ୟ ଏକ ଆଇନ ଆଣି ପୁଣି ପଛୁଆବର୍ଗଙ୍କ ପାଇଁ ଚାକିରିରେ ସଂରକ୍ଷଣ ଲାଗି ୨୭ ପ୍ରତିଶତ ଆସନ ବ୍ୟବସ୍ଥା କରିଥିଲେ ମଧ୍ୟ ଆଇନ ଅଦାଲତରେ ତାହା କାଟ୍‍ ଖାଇଯାଇଛି ।

Post a Comment

Previous Post Next Post