କରୋନାରେ ମୃତ ସାମ୍ବାଦିକ ଦୁର୍ବାକ୍ଷ ବସ୍ତିଆଙ୍କ ପରିବାରକୁ ବୌଦ୍ଧ ଥାନା ଅଧିକାରୀଙ୍କ ସହାୟତା

ରିପୋର୍ଟର : ସୁଶାନ୍ତ କୁମାର ବେହେରା ଓ ହୃଦାନନ୍ଦ ମେହେର

ବୌଦ୍ଧ,(ଆଜତକ୍ ଓଡ଼ିଶା): କରୋନା ସଂକ୍ରମଣରେ ମୃତ୍ୟୁର ଶୀକାର ହୋଇଥିବା ବୌଦ୍ଧଜିଲ୍ଲା ର ଯୁବ ସାମ୍ବାଦିକ ଦୁର୍ବାକ୍ଷ ବସ୍ତିଆଙ୍କ ଶୋକସନ୍ତପ୍ତ ପରିବାରକୁ ବୌଦ୍ଧଜିଲାର ଦୁଇ ମହିଳା ଅଧିକାରୀ ସାକ୍ଷାତ କରି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ମଧ୍ୟ ଯୋଗାଇଦେଇଥିବା ଜଣାଯାଇଛି । ଓଡ଼ିଶା ଭାସ୍କର ସମ୍ବାଦପତ୍ରରେ ଜିଲା ପ୍ରତିନିଧି ଭାବରେ କାର୍ଯ୍ୟ କରୁଥିବା ସ୍ୱର୍ଗତ ବସ୍ତିଆ କରୋନା ଦ୍ୱାରା ସଂକ୍ରମିତ ହୋଇ ଗତ ମଇ ୧୦ ତାରିଖ ଦିନ ଚିକିତ୍ସାଳୟକୁ ନେବା ରାସ୍ତାରେ ଆମ୍ବୁଲାନସରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ତାଙ୍କର କରୋନା ପରୀକ୍ଷା ହୋଇପାରିନଥିବାରୁ ସରକାରଙ୍କ ପକ୍ଷରୁ କୋଭିଡ ଯୋଦ୍ଧା ଭାବରେ ଘୋଷିତ ସହାୟତା ରାଶି ତାଙ୍କ ପରିବାରକୁ ମିଳିପାରିନାହିଁ । ତେବେ ଗତ ଜାତୀୟ ପ୍ରେସ ଦିବସ ଅବସରରେ ଜିଲା ପ୍ରଶାସନ ପକ୍ଷରୁ ସ୍ୱର୍ଗତ ବସ୍ତିଆଙ୍କୁ ତାଙ୍କର କର୍ତ୍ତବ୍ୟନିଷ୍ଠା ପାଇଁ ମରଣୋତ୍ତର ଭାବରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସମ୍ବର୍ଦ୍ଧନା ପତ୍ର ସହ ଗୁରୁବାର ଦିନ ପୂର୍ବାହ୍ନରେ ବୌଦ୍ଧ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ଓ ବୌଦ୍ଧ ଆଦର୍ଶଥାନା ଅଧିକାରୀ ତପସ୍ୱିନୀ କହଁର ସ୍ୱର୍ଗତ ବସ୍ତିଆଙ୍କ ପରିବାରକୁ ଭେଟିବାକୁ ତାଙ୍କ କଣ୍ଟାମାଲ ବ୍ଲକ ଶୁଣ୍ଢିପଦର ସ୍ଥିତ ଘରେ ପହହଞ୍ଚିଥିଲେ । ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା ପତ୍ର ପ୍ରଦାନ କରାଯାଇଥିବାବେଳେ ଥାନା ଅଧିକାରୀ ସୁଶ୍ରୀକହଁର ନିଜର ବଦାନ୍ୟତା ଗୁଣ ଦେଖାଇ ଦୁର୍ବାକ୍ଷଙ୍କ ଶୋକସନ୍ତପ୍ତ ପରିବାରକୁ ୩୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲେ । ଥାନା ଅଧିକାରୀ ସୁଶ୍ରୀକହଁରଙ୍କ ଏହି ମହାନତା ତଥା ଜଣେ ସାମ୍ବାଦିକଙ୍କ ପରିବାର ପାଇଁ ସମବେଦନା ଯୋଗୁଁ ଜିଲାର ସାମ୍ବାଦିକ ମହଲରେ ତାଙ୍କୁ ପ୍ରଶଂସା କରାଯାଇଛି ।

Post a Comment

Previous Post Next Post