ଆବାସ ଗୃହ ନିର୍ମାଣ ରେ ବାଧକ ସାଜିଛି ବିଦ୍ୟୁତ ତାର, ଅଭିଯୋଗ ସତ୍ତ୍ୱେ ହଟା ଯାଉନି ଜୀବନ୍ତ ବିଦ୍ୟୁତ ତାର


ନୂଆପଡ଼ା (ବିରବଲ ପ୍ରଧାନ) ଗରୀବ ହିତାଧିକାରୀ ମାନଙ୍କୁ ଆବାସ ଯୋଜନା ରେ ସାମିଲ କରାଯାଇ ଗୃହ ନିର୍ମାଣ କାର୍ଯ୍ୟାଦେଶ ପ୍ରଦାନ ର ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ ବିଦ୍ୟୁତ ବିଭାଗ ର ଅହେତୁକ ମନୋଭାବ ଯୋଗୁଁ ଗୃହ ନିର୍ମାଣ ସଂପୂର୍ଣ୍ଣ ହୋଇପାରୁ ନାହିଁ। ଯାହା ଫଳରେ ଗରୀବ ହିତାଧିକାରୀ ଚିନ୍ତାରେ ଭାଙ୍ଗି ପଡ଼ିବା ସହ ଅବ୍ୟବସ୍ଥା ରେ ରହୁଛନ୍ତି ।ଏହି ଘଟଣା କୁ ନେଇ ସୋମବାର ଦିନ ସିନାପାଲି ବ୍ଲକ ଠାରେ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣୀ ଶିବିର ରେ ହିତାଧିକାରୀ ମାନେ ଜିଲ୍ଲାପାଳ ମଧୁସୂଦନ ଦାସ ଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଅଭିଯୋଗ ରୁ ପ୍ରକାଶ ଯେ, ସିନାପାଲି ବ୍ଲକ ସ୍ଥିତ ଗୋଡାଳ ଗ୍ରାମ ର ସୁଦର୍ଶନ ନାଏକ, ପରମେଶ୍ବର ମାଳି, ସୁବାସ ନାୟକ ସମେତ ଅନେକ ହିତାଧିକାରୀ ଙ୍କୁ ଆବାସ ଗୃହ ନିର୍ମାଣ କାର୍ଯ୍ୟାଦେଶ ସାଙ୍ଗକୁ ଅଗ୍ରୀମ ରାଶି ପ୍ରଦାନ କରଯାଇଛି। ହେଲେ ଗୃହ ଛାତ (ସ୍ଲାବ) ପର୍ଯ୍ୟନ୍ତ ଯାଇଥିବା ବେଳେ ଉପରେ ଜୀବନ୍ତ ବିଦ୍ୟୁତ ତାର ଝୁଲି ରହିଛି। ଯାହା ଫଳରେ ଗୃହ ସମ୍ପୂର୍ଣ୍ଣ ହୋଇ ପାରୁନାହିଁ ବୋଲି ଅଭିଯୋଗ କରିଛନ୍ତି। ଗୃହ ନିର୍ମାଣ ସ୍ଥାନ ରାସ୍ତା ପାର୍ଶ୍ବ ରେ ନୂତନ ଖୁଣ୍ଟ ପୋତା କାର୍ଯ୍ୟ ସରିବା ସହ କେବୁଲ ମଧ୍ୟ ଲାଗି ସାରିଛି। ହେଲେ ନୂତନ କେବୁଲ ରେ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ହୋଇ ପାରିନାହିଁ। ଯାହା ଫଳରେ ପୁରୁଣା ଆଲୁମିନିୟମ ତାର ରେ ବିଦ୍ୟୁତ ସରବରାହ ହେଉଛି। ଅନେକ ଥର ଅଭିଯୋଗ କଲେ ମଧ୍ୟ ନୂତନ କେବୁଲ ରେ କେଉଁ ସ୍ବାର୍ଥ ପାଇଁ ବିଦ୍ୟୁତ ସଂଯୋଗ କରାଯାଉ ନାହିଁ ବୋଲି ହିତାଧିକାରୀ ମାନେ ପ୍ରକାଶ କରିଛନ୍ତି। ଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ ପରେ ବିଦ୍ୟୁତ ବିଭାଗୀୟ ଯନ୍ତ୍ରୀ ଙ୍କୁ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ କେବେ ଏହାର ସମାଧାନ ହେବ ଓ ଗୃହ ନିର୍ମାଣ ସରିବ ତାକୁ ନେଇ ଅପେକ୍ଷା କରିଛନ୍ତି ହିତାଧିକାରୀ ।

Post a Comment

Previous Post Next Post