ଗଣ ପର୍ବ ନୂଆଖାଇ ପାଇଁ ଦାଦନ ଶ୍ରମିକ ଙ୍କ ଗାଁ ମୁହାଁ


ନୁଆପଡ଼ା (ବିରବଲ ପ୍ରଧାନ) ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ର ଦାଦନ ସମସ୍ୟା ଦିନକୁ ଦିନ ପ୍ରମୁଖ ସମସ୍ୟା ଭାବରେ ପରିଗଣିତ । ଏହା ଫଳରେ ପେଟ ପାଟଣା ପାଇଁ ସିନାପାଲି ଅଞ୍ଚଳ ର ହଜାର ହଜାର ଦାଦନ ଶ୍ରମିକ ସୁଦୂର ଆନ୍ଦ୍ରପ୍ରଦେଶ, ତାମିଲନାଡୁ, ଗୁଜୁରାଟ, ଚେନାଇ, ତେଲେଙ୍ଗାନା,ଦିଲ୍ଲୀ,ଉତ୍ତରପ୍ରଦେଶ, କର୍ଣ୍ଣାଟକ, ଆଦି ରାଜ୍ୟ କୁ ଦାଦନ ଖଟିବାକୁ ଯାଉଛନ୍ତି। ନୂଆପଡା ଜିଲ୍ଲା ର ସିନାପାଲି ବ୍ଲକ ଏକ ଉପାନ୍ତ ଅଞ୍ଚଳ ହୋଇଥିବା ବେଳେ ଏଠାରେ କୌଣସି କଳକାରଖାନା କିମ୍ବା କର୍ମସଂସ୍ଥାନ ନାହିଁ । ଅନ୍ୟ ପଟେ ସରକାର ନିଜ ଅଞ୍ଚଳରେ ଶ୍ରମିକ ଙ୍କୁ କାମ ଯୋଗାଇ ଦେବାକୁ ମନରେଗା ଯୋଜନା କରି ବାର୍ଷିକ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ପ୍ରତେକ ମନରେଗା କାର୍ଯ୍ୟ ଶ୍ରମିକ ଙ୍କ ବଦଳରେ ମେସିନରେ ହେଉଥିବାରୁ ଶ୍ରମିକମାନେ କାମ ନ ପାଇ ହାତ ବାନ୍ଧି ବସିଥାନ୍ତି । ସରକାର ଙ୍କ ଯୋଜନା ସଫଳ ହେଉ ନ ଥିବାବେଳେ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ କାମ ହେଉଥିବା ବେଳେ ସେମାନେ ସମସ୍ତେ ଲାଭବାନ ହେଉଛନ୍ତି । କର୍ମ ସଂସ୍ଥାନ ନ ଥିବାରୁ ସିନାପାଲି ବ୍ଲକ ର ୨୭ ଟି ପଞ୍ଚାୟତ ର ପ୍ରତ୍ୟେକ ଗ୍ରାମରୁ ହଜାର ହଜାର ଶ୍ରମିକ ବାହାର ରାଜ୍ୟକୁ ପରିବାର ପ୍ରତିପୋଷଣ ପାଇଁ କାମ ଅନ୍ୱେଷଣରେ ଯିବା ପାଇଁ ବାଧ୍ୟ ହେଉଛନ୍ତି । ବ୍ଲକ ର ପାଖାପାଖି ନଅ ହଜାର ୩ ଶହରୁ ଅଧିକ ଦାଦନ କାମ ପାଇଁ ଅନ୍ୟ ରାଜ୍ୟ କୁ ଯାଇଥିବା ଅନୁମାନ କରାଯାଏ । ହେଲେ ସିନାପାଲି ବ୍ଲକ ରେ ଅନେକ ଥର ଅଭିଯୋଗ ଖବର ପ୍ରସାରଣ ପରେ ମଧ୍ୟ ଜିଲ୍ଲା ଶ୍ରମ ବିଭାଗ ପାଖରେ ଏହାର କୌଣସି ତଥ୍ୟ ନ ଥିବା ପରିତାପର ବିଷୟ ବୋଲି ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଏଥି ପ୍ରତି ଶ୍ରମ ବିଭାଗ କି ଜିଲ୍ଲା ପ୍ରଶାସନ ଏବଂ ବ୍ଲକ ପ୍ରଶାସନ କେହିବି ଆନ୍ତରିକତା ଦେଖାଇ ନ ଥିବା ଦେଖିବାକୁ ମିଳିଛି । ଆଗକୁ ପଶ୍ଚିମ ଓଡିଶା ର ଗଣ ପର୍ବ ନୂଆଖାଇ ଆସୁଥିବାରୁ ବାହାରେ ରହୁଥିବା ଦାଦନ ଶ୍ରମିକ ମାନେ ଗାଁ କୁ ଫେରୁଥିବା ଦେଖିବାକୁ ମିଳିଛି । ଏଥିପାଇଁ ବସଷ୍ଟାଣ୍ଡ ଗୁଡିକରେ ପ୍ରବାସୀ ଶ୍ରମିକ ଙ୍କ ପ୍ରବଳ ଗହଳି ପରିଲକ୍ଷିତ ହେଉଛି । ସମସ୍ତେ ଘରକୁ ଆସି ନୂଆଖାଇ ସାରିବା ପରେ ପୁଣି ନିଜ କର୍ମକ୍ଷେତ୍ର କୁ ଫେରିଯିବେ।ବର୍ତ୍ତମାନ ରାଜ୍ୟରେ ନୂତନ ବିଜେପି ସରକାର ଆସିଥିବାରୁ ଶ୍ରମିକ ମାନଙ୍କୁ କାମ ଯୋଗାଇ ଦାଦନ ରୋକିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।

Post a Comment

Previous Post Next Post