ଗୋଟିଏ କୋଠରୀରେ ପଢୁଛନ୍ତି ୮ ଶ୍ରେଣୀର ଛାତ୍ର


ନୂଆପଡ଼ା (ବିରବଲ ପ୍ରଧାନ) ନୂଆପଡ଼ା ସଦର ବ୍ଲକ୍ ଭାଲେଶ୍ବର ପଞ୍ଚାୟତ ଟାମକିଦାଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀଗୃହ ଅଭାବ ଯୋଗୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୩୧ ଛାତ୍ରଛାତ୍ରୀ ଗୋଟିଏ କୋଠରିରେ ବସି ଅଧ୍ୟୟନ କରୁଛନ୍ତି। ଆବଶ୍ୟକ ଶିକ୍ଷକ ନିଯୁକ୍ତ ହୋଇଥିଲେ ବି ଗୃହ ଅଭାବରୁ ସବୁ ଶ୍ରେଣୀର ପିଲାଙ୍କୁ ଗୋଟିଏ କୋଠରିରେ ବସାଇ ଶିକ୍ଷାଦାନ କରୁଛନ୍ତି। ଏହି ସମସ୍ୟା ଯୋଗୁ ଛାତ୍ରୀଛାତ୍ର ସଂଖ୍ୟା କମିବାରେ ଲାଗିଛି। ୧୯୬୦ରେ ସ୍ଥାପିତ ଏହି ବିଦ୍ୟାଳୟରେ ଆବଶ୍ୟକ ଭିତ୍ତିଭୂମି ନାହିଁ । ପୂର୍ବରୁ ରାସ୍ତାର ଉଭୟ ପାର୍ଶ୍ଵରେ ଶ୍ରେଣୀଗୃହ ନିର୍ମାଣ ହୋଇଥିଲା । ହେଲେ ବହୁ ପୁରୁଣା ହୋଇ ସିମେଣ୍ଟ ଅତଡ଼ା ଖସିବାରୁ ତାହାକୁ ଭାଙ୍ଗିଦିଆଗଲା। ନୂତନ ଶ୍ରେଣୀ କୋଠରି ନିର୍ମାଣ ପାଇଁ ଜମି ଚିହ୍ନଟ କରାଗଲା। ବର୍ତ୍ତମାନ ସେହି ଜମି ରାସ୍ତାରେ ଚାଲିଯାଇଛି। ଅନ୍ୟ ପାର୍ଶ୍ବରେ ଥିବା ଜମିରେ ଗୋଟିଏ ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ହୋଇଛି। ସେହି କୋଠରିରେ ୮ ଶ୍ରେଣୀର ପିଲା ବସି ପାଠ ପଢ଼ିବା ସହ ବିଦ୍ୟାଳୟ ପାଠ୍ୟ ଉପକରଣ ଓ ମଧ୍ୟାହ୍ନଭୋଜନ ଚାଉଳ ରଖାଯାଉଛି । କୋଠରିକୁ ଲାଗି ପାଇଖାନା ଓ ପରିସ୍ରାଗାର ଥୁବାରୁ ଛାତ୍ରୀଛାତ୍ର ଅଣନିଃଶ୍ବାସୀ ହୋଇପଡୁଛନ୍ତି। ବିଦ୍ୟାଳୟର ଏହି ସମସ୍ୟା ନେଇ ନୂଆପଡ଼ା ସଦର ଗୋଷ୍ଠୀ ଶିକ୍ଷା ଅଧିକାରୀ ହେମ ସାଗର ମହାନନ୍ଦଙ୍କୁ ପଚାରିବାରୁ ପ୍ରାଥମିକ ବିଦ୍ୟାଳୟ ଦାୟିତ୍ଵ ସରକାର ପଞ୍ଚାୟତିରାଜ ବିଭାଗକୁ ହସ୍ତାନ୍ତର କରିଛନ୍ତି। ଶ୍ରେଣୀ କୋଠରି ଉପରେ ବିଡିଓ ଓ ସରପଞ୍ଚ ଜାଣିବେ। ଆମର କେବଳ ତଦାରଖ ଦାୟିତ୍ୱରେ । ଶ୍ରେଣୀ କୋଠରି ପାଇଁ ବିଡିଓଙ୍କୁ ଲିଖତ ଭାବରେ ଜଣାଇଛୁ ବୋଲି କହିଥିଲେ।

Post a Comment

Previous Post Next Post