ଶ୍ରଦ୍ଧାଳୁଙ୍କ ଭିଡ଼ରେ ମହାପ୍ରଭୁ ଗଲେ ଗୁଣ୍ତିଚା ଘର ସିନାପାଲିରେ ମହିଳା ଟାଣିଲେ ସୁଭଦ୍ରା ରଥ


ନୂଆପଡ଼ା ଜିଲ୍ଲା ସିନାପାଲି ଓ ଆଖପାଖ ଆଂଚଳରେ ଶ୍ରଦ୍ଧାଳୁଙ୍କ ଭିଡ଼ ମଧ୍ଯରେ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଛି । ଚଳିତ ବର୍ଷ ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ସହ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଥିବାରୁ ରଥ ଟାଣିବାକୁ ଆଖପାଖ ଅଂଚଳ ତଥା ପଡ଼ୋଶୀ ଛତିଶଗଡ଼ ଅଂଚଳରୁ ଆସିଥିବା ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ସିନାପାଲିରେ ଦେଖିବାକୁ ମିଳିଥିଲା । ଅଣସର ପରେ ରବିବାର ସକାଳୁ ପ୍ରଥମେ ମହାପ୍ରଭୁଙ୍କ ନେତ୍ରୋତ୍ସବ ଓ ନବଯୌବନ ବେଶ ଅନୁଷ୍ଠିତ ହୋଇଥିଲା । ପରେ ପୂର୍ବାହ୍ଣ ଦଶଟାରୁ ଘୋଷଯାତ୍ରା ନୀତି ଆରମ୍ଭ କରାଯାଇଥିଲା । ଅପରାହ୍ଣରେ ଶ୍ରୀଜିଉଙ୍କ ପହଣ୍ତି ବିଜେ ପରେ ମନ୍ଦିର କମିଟିର ସଭାପତି ବୈଶମ୍ପାୟନ ମେହେରଙ୍କ ଦ୍ୱାରା ତିନି ରଥରେ ଛେରାପହରା କରାଯାଇ ରଥଟଣା ଆରମ୍ଭ ହୋଇଥିଲା ।

ରଥଯାତ୍ରାରେ ପାରମ୍ପରିକ ସଂପ୍ରଦା, ସଂକିର୍ତ୍ତନ, ଘଣ୍ଟ ବାଦ୍ଯ ଆଦି ସାମିଲ ହୋଇଥିବା ବେଳେ ଶ୍ରଦ୍ଧାଳୁଙ୍କ ହରିବୋଳ, ହୁଳହୁଳିରେ ସମଗ୍ର ପରିବେଶ ଉଲ୍ଲସିତ ହୋଇଥିଲା । ଏଠିକାର ପରମ୍ପରା ଅନୁସାରେ ମାଁ ସୁଭଦ୍ରାଙ୍କ ରଥକୁ କେବଳ ମହିଳା ଭକ୍ତମାନେ ଟାଣିଟାଣି ନେଇ ମାଉସୀ ମାଆ ମନ୍ଦିରରେ ପହଂଚାଇ ଥିଲେ । ଭିଡ଼କୁ ଦେଖି ମନ୍ଦିର କମିଟି ତରଫରୁ ବିଭିନ୍ନ ସ୍ଥାନରେ ପାନୀୟ ଜଳ, ପ୍ରାଥମିକ ଚିକିତ୍ସା ଆଦିର ବ୍ଯବସ୍ଥା କରାଯାଇଥିବା କମିଟିର ସଂପାଦକ ତୁଳସୀରାମ ମେହେର କହିଛନ୍ତି ା ଏଥିସହ ଏହି ବ୍ଲକର ବ୍ରାହ୍ଣଣପଡ଼ା, ହାତୀବନ୍ଧା, ସାଗୁନଭାଡ଼ି, ଗଣ୍ତାବାହାଲୀ, କେନ୍ଦୁମୁଣ୍ତା, ପତିଏଲପଡ଼ା, ଚଳନା, ସିଙ୍ଗଝର, ଟିମନପୁର, ଜାମଗାଁ, ଅରସାପଡ଼ା, ବରଗାଁ, ଗମ୍ଭାରିଗୁଡ଼ା, ଗୋର୍ଲା, ଝାରବନ୍ଧ ଆଦି ଗ୍ରାମରେ ମଧ୍ଯ ଶାନ୍ତିଶୃଙ୍ଖଳାରେ ରଥଯାତ୍ରା ସଂପନ୍ନ ହୋଇଛି ।
ନୂଆପଡା ରୁ ପରମେଶ୍ୱର ମେହେର ରିପୋର୍ଟ

Post a Comment

Previous Post Next Post