ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଜ଼ିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ


ନୂଆପଡା (ବିରବଲ ପ୍ରଧାନ) ଆଗାମୀ ସାଧାରଣ ନିର୍ବାଚନ ନିମନ୍ତେ ନୂଆପଡା ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ବାଚନ ପ୍ରସ୍ତୁତି ନେଇ ସାମ୍ବାଦିକ ସମିଳନୀ ଅନୁଷ୍ଠିତ ହୋଇଯାଇଛି । ଜ଼ିଲ୍ଲା ନିର୍ବାଚନ ଅଧିକାରୀ ଏସକେ ନସିମ ନୂଆପଡା ଜ଼ିଲ୍ଲାରେ କିପରି ନିର୍ବାଚନ ହେବ ତାହା ର ସମୀକ୍ଷା ବିବରଣୀ ପାଠ କରିଥିଲେ । ନୂଆପଡା ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଆୟୋଜିତ ବୈଠକରେ ନିର୍ବାଚନକୁ ଅବାଧ, ମୁକ୍ତ ଓ ଶାନ୍ତିପୂର୍ଣ୍ଣ ଭାବରେ କରିବାକୁ ଜିଲ୍ଲାପାଳ ହେମକାନ୍ତ ସାୟ, ଏସ୍‌ପି ଗୁଣ୍ଡାଲା ରାଘବେନ୍ଦ୍ର ରେଡ୍ଡୀ, ଏଡିଏମ-କମ-ଏଡ଼ିଇଓ ଭୀମସେନ ଶବର, ନୂଆପଡା ଏବଂ ଖରିଆର ବିଧାନସଭା ନିର୍ବାଚନ ରିଟର୍ଣ୍ଣିଙ୍ଗ ଅଧିକାରୀ ରୂପେ ସୁଭାଷ ଚନ୍ଦ୍ର ରାଇତା, ଡେପୁଟି କଲେକଟର ଏସକେ ନସିମ, ଜ଼ିଲ୍ଲା ସୂଚନା ଅଧିକାରୀ ଅଜୟ କୁମାର ପଟ୍ଟନାୟକ ସାମ୍ବାଦିକ ସମିଳନୀରେ ଉପସ୍ଥିତ ଥିଲେ । ଜ଼ିଲ୍ଲାପାଳ ହେମକାନ୍ତ ସାୟ ଜିଲ୍ଲାରେ ମତଦାନ କେନ୍ଦ୍ରମାନଙ୍କରେ ପାନୀୟଜଳ, ଆସବାବପତ୍ର, ବିଦ୍ୟୁତ, ଦିବ୍ୟାଙ୍ଗମାନଙ୍କ ପାଇଁ ରାମ୍ପ, ଶୌଚାଳୟ, ପିଙ୍କ ବୁଥ, ହୋମ ଭୋଟିଂ, ବାଲାଟ ପେପର, ଭୋଟହାର ବୃଦ୍ଧି ଓ ନୂତନ ଭୋଟର ସଚେତନତା, ଇଭିଏମ୍ ଓ ଭିଭିପାଟ୍ ଉପରେ ଜନ ସଚେତନତା ଭିଡ଼ିଓ ସ୍କ୍ରିନ ମାଧ୍ୟମରେ ଆଲୋଚନା କରିଥିଲେ । ଆଦର୍ଶ ଆଚରଣ ବିଧି, ଖର୍ଚ୍ଚ ବିବରଣୀ ଓ ଅନ୍ୟାନ୍ୟ ଟିମର କାର୍ଯ୍ୟକାରିତା ଉପରେ ସମୀକ୍ଷା କରିଥିଲେ । ଏହା ପରେ ଜିଲ୍ଲାରେ ଆଇନଶୃଙ୍ଖଳା ସ୍ଥିତିକୁ ନେଇ ସୁରକ୍ଷା ଓ ପୁଲିସ ଅଧିକାରୀଙ୍କୁ ନେଇ ବୈଠକ କରିଥିଲେ । ବର୍ତ୍ତମାନ ନୂଆପଡା ଏବଂ ଖରିଆର ନିର୍ବାଚନ ମଣ୍ଡଳୀ କୁ ମିଶାଇ ୬୦୪ ଗୋଟି ବୁଥ ରହିଥିବାବେଳେ ଜ଼ିଲ୍ଲାରେ ଭୋଟରଙ୍କ ସଂଖ୍ୟା ୪୯୬୧୯୩ ରହିଛି । ଛତିଶଗଡ଼ ସୀମାରେ ଅବୈଧ କାରବାରକୁ ରୋକିବା ଲାଗି ଚେକପୋଷ୍ଟ କରାଯାଇଛି । ମଦ, ଗଞ୍ଜେଇ ଓ ଅନ୍ୟାନ୍ୟ ନିଶାଦ୍ରବ୍ୟ, ଅବୈଧ ଟଙ୍କା କାରବାରକୁ ରୋକିବା ପାଇଁ ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ଶ୍ରୀ ସାୟ କହିଥିଲେ । ସେହିଭଳି ସୋସିଆଲ ମିଡିଆ ମନିଟରିଂ, ମାଓ ନିୟନ୍ତ୍ରଣ ଉପରେ ସମୀକ୍ଷା ବିଷୟରେ ମଧ୍ୟ ଆନୁସଙ୍ଗିକ ପ୍ରସଙ୍ଗକୁ ମଧ୍ୟ ସମୀକ୍ଷା ହୋଇଥିଲା । ଭୋଟରମାନେ ଯେଭଳି ସୁବିଧାରେ, ଶାନ୍ତିପୂର୍ଣ୍ଣ ଭାବରେ ମତଦାନ କରିବେ, ଏହାଉପରେ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଛି ବୋଲି ଶ୍ରୀ ସାୟ କହିଥିଲେ ।

Post a Comment

Previous Post Next Post