ନୁଆପଡ଼ା (ବିରବଲ ପ୍ରଧାନ) ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ ଓ ବିଜେପି ପ୍ରାର୍ଥୀ ଅଭିନନ୍ଦନ ପଣ୍ଡା ନିର୍ବାଚନୀ ମଇଦାନରେ ପ୍ରଚାର ଆରମ୍ଭ କରିଛନ୍ତି। ସ୍ବାଧୀନ ପ୍ରାର୍ଥୀ ଘାସିରାମ ମାଝି ଆଦିବାସୀ ଭୋଟ ଆଶାରେ ରହିଥିବା ବେଳେ ପିସିସି ସଭାପତି କଂଗ୍ରେସ ପ୍ରାର୍ଥୀ ଶରତ ପଟ୍ଟନାୟକ ପ୍ରଚାରଆରମ୍ଭ କରି ନଥିବା ଦେଖିବାକୁ ମିଳିଛି। ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଗାଁ ଗାଁ ରେ ବୈଠକକରି ପ୍ରଚାର ଆରମ୍ଭ କରିଛନ୍ତି। ଏବେ ପ୍ରତି ଗାଁ ଓ ପଡ଼ାରେ ନିର୍ବାଚନୀ ସଭାକରି ରାଜ୍ୟ ସରକାରଙ୍କ ବିକାଶମୂଳକ କଥା କହି ଭୋଟରଙ୍କ ନିକଟତର ହେବାକୁ ଉଦ୍ୟମ କରୁଛନ୍ତି। ବିଜେପି ପ୍ରାର୍ଥୀ ଅଭିନନ୍ଦନପଣ୍ଡା ବାଇକ ଶୋଭାଯାତ୍ରା କରିବା ସହ ଗାଁ ଗାଁରେ ସଭାସମିତି କରି କେନ୍ଦ୍ର ସରକାରଙ୍କ ଯୋଜନାକୁ ଧରି ଭୋଟରଙ୍କ ମନ ଜିଣିବାକୁ ଚେଷ୍ଟା କରୁ ଛନ୍ତି। ରାଜେନ୍ଦ୍ର ଜଣେ ଦକ୍ଷ ରାଜନେତା ହୋଇଥିବାବେଳେ ଅଭିନନ୍ଦନ ନୂଆ ମୁହଁ । କିନ୍ତୁ ଦୁହେଁ ନାମାଙ୍କନ ପୂର୍ବରୁ ନିଜ ସମର୍ଥକଙ୍କୁ ଧରି ଗାଁରୁ ସହର ସବୁଠି ନୂଆପଡ଼ା ରାଜନୀତିକୁ ସରଗରମ କରିଛନ୍ତି।ରାଜ୍ୟ କଂଗ୍ରେସ ସମ୍ପାଦକ ତଥା ପୂର୍ବତନ ଜିଲ୍ଲା ସଭାପତି ଘାସିରାମ ମାଝୀ ଦୁଇଥର କଂଗ୍ରେସ ଟିକଟରେ ପ୍ରାର୍ଥୀହୋଇ ପରାଜୟ ବରଣ କରିଛନ୍ତି। ଏଠାରେ ଖୋଦ ପିସିସି ସଭାପତି ଶରତ ପଟ୍ଟନାୟକ କଂଗ୍ରେସ ପ୍ରାର୍ଥୀ ହେବାରୁ ଘାସିରାମଙ୍କ ଙ୍କ ଟିକଟ କଟି ଯାଇଥିଲା।
ବିଗତ ଦିନରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଘାସିରାମଙ୍କୁ ସ୍ବାଧୀନ ପ୍ରାର୍ଥୀ କରିବାକୁ ଘୋଷଣା କରିଛି। ହେଲେ କଂଗ୍ରେସ ଦଳର ବହୁ ପୁରୁଣା ଓ ଯୁବ ନେତା ପିସିସି ସଭାପତିଙ୍କ ଶିବିରରେ ଆସ୍ଥାନ ଜମାଇଛନ୍ତି। କିନ୍ତୁ ଘାସିରାମଙ୍କ ପାଖରେ ନିର୍ବାଚନ ଲଢ଼ିବାର ବହୁ ଅଭିଜ୍ଞତା ରହିଥିବାରୁ ଗଣିତକୁ ଓଲଟପାଲଟ କରିବାର କ୍ଷମତା ଥିବା ଆଲୋଚନା ହେଉଛି। ସ୍ଥାନୀୟ ସିଲଦା ନିକଟସ୍ଥ ଫାର୍ମ ହାଉସରେ ବସି ପିସିସି ସଭାପତି ଶରତ ନିର୍ବାଚନୀ ରଣନୀତି ପ୍ରସ୍ତୁତ କରୁଛନ୍ତି । କଂଗ୍ରେସ ଟିକଟ ଘୋଷଣା ପୂର୍ବରୁ ଓ ପରେ ବିଭିନ୍ନ ସ୍ଥାନ ରେ କର୍ମୀ ସମ୍ମିଳନୀ କରି ଚାଲିଛନ୍ତି। ସକାଳୁ ରାତି ଯାଏଁ ପୁରୁଣା ଓ ନୂଆ କଂଗ୍ରେସ ନେତା ଓ କର୍ମୀଙ୍କ ସହ ବିଜେଡି ଓ ବିଜେପି ବିଦ୍ରୋହୀଙ୍କୁ ଫାର୍ମ ହାଉସକୁ ଡାକି ଆଲୋଚନା କରୁ ଛନ୍ତି । ଏଯାଏଁ ଖୋଲା ମଇଦାନରେ ବୈଠକ କି ଶୋଭାଯାତ୍ରା କରିନଥିବାରୁ ରଣନୀତି ଅସ୍ପଷ୍ଟ ରହିଛି।
Post a Comment