କୋମନା:- (ବିରବଲ ପ୍ରଧାନ) ନୂଆପଡ଼ା ଜିଲ୍ଲା କୋମନା ଥାନା ଠୋଙ୍ଗୋ ଗାଁର ଜଣେ ଦାଦନ ଶ୍ରମିକ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଇଟାଭାଟିରେ କାମ କରୁଥିବା ବେଳେ ଠୋଙ୍ଗା ଗାଁର ଲାଲଧର ମାଝୀ(୩୯)ଙ୍କ ଗୋଡ଼ ଜଳି ଯାଇଛି। ପ୍ରକାଶ ଯେ, ଗତ ଅକ୍ଟୋବରରେ କୋମନା ଥାନା ଠୋଙ୍ଗୋ ଝରିଆପଡ଼ାର ଲାଲଧର ମାଝୀ, ସ୍ତ୍ରୀ ପୂର୍ଣ୍ଣିମା ମାଝୀ (୩୫), ପୁଅ ଚୂଡ଼ାମଣି (୬) ଓ ଉମେଶ (୩) ପେଟପାଟଣା ପାଇଁ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇଥିଲେ। କୋମନା ଅଞ୍ଚଳର ଜଣେ ଦାଦନ ସର୍ଦ୍ଦାରଙ୍କଠାରୁ ଅଗ୍ରୀମ ନେଇ ତେଲେଙ୍ଗାନା ରାଜ୍ୟ ମାଧବ ଜିଲ୍ଲା ନଗସାପୁର ନିକଟ କୁତଗାଁର ରାମସିଂ ସେଟଙ୍କ ଏମଏମକେ ଇଟାଭାଟିରେ ନିୟୋଜିତ ହୋଇଥିଲେ। ଗତ ୧୭ ତାରିଖ ରେ ସେ ଇଟାଭାଟିରୁ ପାଉଁଶ କାଢ଼ୁଥିଲେ। ଏହି ସମୟରେ ଇଟାଭାଟିରେ ଲାଲଧରଙ୍କ ଗୋଡ଼ ପଶି ଯାଇଥିଲା, ଫଳରେ ଲାଲଧରଙ୍କ ଡାହାଣ ଗୋଡ଼ ସମ୍ପୂର୍ଣ୍ଣ ଜଳି ଯାଇଥିଲା। ସେଠାରେ ସାଥୀ ଶ୍ରମିକ ଲାଲଧରଙ୍କୁଗୁରୁତର ଅବସ୍ଥାରେ ଉଦ୍ଧାର କରି ନଗସାପୁରର ଏକ
ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ୭ ଦିନ ଧରି ଚିକିତ୍ସିତ ହୋଇଥିଲେ । ଅଧିକ ଖର୍ଚ୍ଚ ହେବାରୁ ଇଟାଭାଟି ମାଲିକ ଡାକ୍ତରଖାନାରୁ ଆଣି ପକାଇଥିଲା। ଗତ ୪ ଦିନ ଧରି ଇଟାଭାଟିରେ ଶ୍ରମିକ ଜଣକ ପଡ଼ି ରହିଥିବା ବେଳେ ଶୁକ୍ରବାର ଭାଟି ମାଲିକ ଚିକିତ୍ସା ଖର୍ଚ୍ଚ ପାଇଁ ୧୦ ହଜାର ଟଙ୍କା ମାତ୍ର ଦେଇ ହାଇଦ୍ରାବାଦରୁ ବସରେ ସିନାପାଲିକୁ ପଠାଇ ଦେଇଥିଲା ।ଆଜି ସକାଳେ ସିନାପାଲିରୁ ବସରେ ପରିବାର ଲୋକେ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ । ଏବେ ବର୍ଣ୍ଣ ୟୁନିଟରେ ଭର୍ତ୍ତି ହୋଇ ଲାଲଧର ଚିକିତ୍ସିତ ହେଉଛନ୍ତି ତେବେ ଅର୍ଥ ଅଭାବରୁ ଉଚ୍ଚତର ଚିକିତ୍ସା ହୋଇପାରୁ ନଥିବା ବେଳେ ସରକାରୀ ସହାୟତା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନ ନିକଟରେ ପରିବାର ଲୋକେ ନିବେଦନ କରିଛନ୍ତି । ଏ ସମ୍ପର୍କରେ ଜିଲ୍ଲା ଶ୍ରମ ଅଧିକାରୀ ରବୀନ୍ଦ୍ର ବାର୍ଲାଙ୍କୁ ପଚାରିବାରୁ ତୁରନ୍ତ ଚିକିତ୍ସା ପାଇଁ ସହାୟତା ଦେବାର ସରକାରୀ
ବ୍ୟବସ୍ଥା ନାହିଁ। ପଞ୍ଜିକୃତ ଶ୍ରମିକ ହୋଇଥିଲେ ଚିକିତ୍ସା ଖର୍ଚ୍ଚ ମିଳିବ, ତଥାପି ମୁଁ ତଦନ୍ତ କରି ଆବଶ୍ୟକ
ପଦକ୍ଷେପ ଗ୍ରହଣ କରିବି ବୋଲି କହିଛନ୍ତି ।
Post a Comment