ଅଗ୍ରିମ ଟଙ୍କା ଫେରାଇବାକୁ ଦାଦନ ଶ୍ରମିକଙ୍କୁ ଧମକ


କୋମନା (ବିରବଲ ପ୍ରଧାନ)ନୂଆପଡା ଜିଲ୍ଳା କୋମନା ବ୍ଲକ ନୂଆଗାଁ ପଞ୍ଚାୟତ ଠୁଟିବର ଓ ଗନିଆପଡା ଗାଁର ଶ୍ରମିକମାନେ ଦାଦନ ମଧ୍ୟସ୍ଥିଙ୍କ ଭୟ,ରେ ଘରୁ ବାହାରି ପାରୁ ନାହାନ୍ତି I ଏ ନେଇ କୋମନା ଥାନାରେ ଅଭିଯୋଗ କଲା ପରେ ମଧ୍ୟ ପୋଲିସ ଅଭିଯୋଗ ଗ୍ରହଣ କରୁନାହିଁ । ଦାଦନ ମଧ୍ୟସ୍ଥିଙ୍କୁ ଡାକି ସମସ୍ୟା ସମାଧାନ କରିଦେବି ବୋଲି ଓଲଟି କହୁଥୁବା ଶ୍ରମିକମାନେ ଅଭିଯୋଗ କରିଛନ୍ତି। ସୂଚନା ମୁତାବକ ନୂଆଗାଁ ପଞ୍ଚାୟତ ଠୁଟିବର ଓ ଗନିଆପଡାର ୧୭ ଜଣ ଶ୍ରମିକ ତେଲଙ୍ଗାନା ରାଜ୍ୟ କାରିମନଗର ନାଗରୋଲସ୍ଥିତ ଜିଏମ ସେଟ ଇଟାଭାଟିରେ ଫେବୃଆରୀ ୧୬ରୁ ନିୟୋଜିତ ଥିଲେ। ଇଟାଭାଟି ମାଲିକ ଦିନରାତ୍ରି କାମ କରାଉଥିଲେ। କୌଣସି ଶ୍ରମିକଙ୍କୁ ଜ୍ବର ହେଲେ ଚିକିତ୍ସା ନ କରାଇ କାମ କରିବା ପାଇଁ ବାଧ୍ୟ କରୁଥିଲେ। ଜଣ ପିଛା ସପ୍ତାହକୁ ୨ରୁ ୪ଶହ ଟଙ୍କା ଖାଇବା ପାଇଁ ଦେଉଥିଲେ। ଏ ବିଷୟରେ ମଧ୍ୟସ୍ଥିଙ୍କୁ ଜଣାଇଲେ ମଧ୍ୟ ସେ କର୍ଣ୍ଣପାତ କରୁ ନ ଥିଲେ। ଶ୍ରମିକମାନେ ଅତିଷ୍ଠ ହୋଇ ଗାଁ ଲୋକଙ୍କୁ ଫୋନ ଯୋଗେ ଜଣାଇଥିଲେ। ଗନିଆପଡା ଗାଁର ଜଣେ ମହିଳା ଇଟାଭାଟିରେ କାମ କରିବା ସମୟରେ ତେଲଙ୍ଗାନା ଶ୍ରମ ବିଭାଗ ଅଧିକାରୀଙ୍କ ଫୋନ ନମ୍ବର ରଖିଥିଲେ। ଶ୍ରମିକମାନଙ୍କ ନିର୍ଯାତନା ଖବର ପାଇ ସମ୍ପୃକ୍ତ ମହିଳା ସମସ୍ତ ଶ୍ରମିକଙ୍କ ତାଲିକା ପ୍ରସ୍ତୁତ କରି ତେଲଙ୍ଗାନା ଶ୍ରମ ବିଭାଗକୁ ପଠାଇ ସମସ୍ୟା ବିଷୟରେ ଜଣାଇ ଥିଲେ। ଏହାପରେ ଶ୍ରମିକମାନେ ଉଦ୍ଧାର ହୋଇ ଗାଁକୁ ଫେରିଛନ୍ତି । ସେମାନେ ଗାଁକୁ ଫେରିବା ପରେ କୋମନା ଥାନା ଠିକପାଲି ପଞ୍ଚାୟତ ସେମେସଲପାଲି ଗାଁର ୨ଜଣ ଦାଦନ ମଧ୍ୟସ୍ଥି ସେମାନଙ୍କୁ ଅଗ୍ରୀମ ନେଇଥିବା ଟଙ୍କା ଫେରାଇ ଦିଅ ନ ହେଲେ ପରିଣାମ ଭୋଗିବ ବୋଲି ଧମକ ଦେଉଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି । ଏଭଳି ଧମକ ପରେ ଶ୍ରମିକମାନେ ଭୟରେ ଘରୁ ବାହାରିବାକୁ ଭୟ କରୁଛନ୍ତି । ଏ ସଂକ୍ରାନ୍ତରେ କୋମନା ଥାନା ଅଧିକାରୀ ସୁମନ୍ତ ନାଏକଙ୍କୁ ପଚାରିବାରୁ ଶ୍ରମିକମାନେ ଥାନା – ଆସିଥିଲେ ହେଁ ଲିଖିତ ଭାବେ କୌଣସି ଅଭିଯୋଗ କରି ନାହାନ୍ତି। ଲିଖତ ଅଭିଯୋଗ କଲେ ଘଟଣାର ତଦନ୍ତ କରା‌ଯିବ ଏବଂ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

Post a Comment

Previous Post Next Post